28.1 C
Bhubaneswar
Saturday, October 5, 2024
Homeଦେଶ ବିଦେଶହିଜବୁଲ୍ଲା ଆକ୍ରମଣର ଦୃଢ଼ ଜବାବ ଦେଲା ଇସ୍ରାଏଲ; ବେରୁତରେ ଆଇଡିଏଫ୍‌ର ଏୟାରଷ୍ଟ୍ରାଇକ୍‌

ହିଜବୁଲ୍ଲା ଆକ୍ରମଣର ଦୃଢ଼ ଜବାବ ଦେଲା ଇସ୍ରାଏଲ; ବେରୁତରେ ଆଇଡିଏଫ୍‌ର ଏୟାରଷ୍ଟ୍ରାଇକ୍‌

ବେରୁତ:  ଗୁରୁବାର ହିଜବୁଲ୍ଲା ଉଗ୍ରବାଦୀ ସଂଗଠନକୁ ଟାର୍ଗେଟ୍ ପୂର୍ବକ ଇସ୍ରାଏଲ୍ ଦକ୍ଷିଣ ଓ କେନ୍ଦ୍ରୀୟ ବେରୁତ ପ୍ରାନ୍ତରେ ଭୟଙ୍କର ଏୟାର ଷ୍ଟ୍ରାଇକ୍ କରିଛି । ଏଥିରେ ପ୍ରାୟ ୪୦ରୁ ଅଧିକ ମୃତ୍ୟୁବରଣ କରିଛନ୍ତି । ତେବେ ମୃତକଙ୍କ ମଧ୍ୟରେ ହିଜବୁଲ୍ଲା ସଂଗଠନର କେତେ ସଦସ୍ୟ ଏବଂ ସାଧାରଣ ନାଗରିକଙ୍କ ସଂଖ୍ୟା କେତେ ରହିଛି ସେସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିପାରିନାହିଁ । ଏସମ୍ପର୍କରେ ଲେବାନନ୍ ପ୍ରଧାନମନ୍ତ୍ରୀ ନଜୀବ ମିକାତୀ ସୂଚନା ଦେଇ କହିଛନ୍ତି ଯେ, ଏହି ଦୁଇ ପ୍ରାନ୍ତରେ ଇସ୍ରାଏଲ୍ ସେନାର ପ୍ରଚଣ୍ଡ ଆକ୍ରମଣ ହୋଇଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରାୟ ୧.୨ ମିଲିଅନ୍ ଲୋକଙ୍କୁ ବିସ୍ଥାପିତ ହେବାକୁ ପଡ଼ିଛି । ଇସ୍ରାଏଲୀ ଏୟାରଫୋର୍ସର ଲଢ଼ୁଆ ବିମାନ ଲେବାନନ୍ ସଂସଦ ଏବଂ ଏକ ସ୍ୱାସ୍ଥ୍ୟକେନ୍ଦ୍ର ନିକଟରେ ମଧ୍ୟ ବୋମାମାଡ଼ କରିଛନ୍ତି ଯେଉଁଥିରେ ପ୍ରାୟ ୬ଜଣ ପ୍ରାଣ ହରାଇଛନ୍ତି । ଇସ୍ରାଏଲ୍ ବାରମ୍ବାର ଯୁଦ୍ଧ ଅପରାଧ ଘଟାଇବା ପୂର୍ବକ ନୀରିହ ଜନସାଧାରଣ ବସବାସ କରୁଥିବା ଅଞ୍ଚଳଗୁଡ଼ିକୁ ଟାର୍ଗେଟ୍ କରୁଛି ।
ପ୍ରକାଶ, ଗୁରୁବାର ଭୋର୍ ସମୟରେ ଲେବାନନ୍ ସୀମାରେ ପ୍ରବେଶ କରିଥିବା ଇସ୍ରାଏଲୀୟ ସୈନ୍ୟଙ୍କୁ ଟାର୍ଗେଟ୍ କରି ୩ଟି କ୍ଷେପଣାସ୍ତ୍ର ମାଡ଼ କରିଥିଲା । ଏଥିରେ ଇସ୍ରାଏଲ୍ ସେନା ୩ଟି ଟ୍ୟାଙ୍କ୍ ନଷ୍ଟ ହୋଇଥିବା ବେଳେ ଅନେକ ଇସ୍ରାଏଲୀୟ ସୈନ୍ୟ ମୃତ୍ୟୁବରଣ କରିଥିବା ନିଜେ ହିଜବୁଲ୍ଲା ଦାବି କରିଛି । ତେବେ ହିଜବୁଲ୍ଲାର ଏପ୍ରକାର ଆକ୍ରମଣ ପରେ ପରେ ହିଁ ଜବାବୀ କାର୍ଯ୍ୟାନୁଷ୍ଠାନ ରୂପ ଇସ୍ରାଏଲ୍ ବେରୁତ ପ୍ରାନ୍ତରେ ସେନା ଏପ୍ରକାର ପ୍ରଚଣ୍ଡ ଆକ୍ରମଣ କରିଥିବା ଜଣାପଡ଼ିଛି ।
ଏସବୁ ମଧ୍ୟରେ ଇରାନ୍ କିନ୍ତୁ ଏବେ ଇସ୍ରାଏଲ୍ ବିରୋଧୀ ଆକ୍ରମଣକୁ ଏକଦମ୍ ସ୍ଥଗିତ କରିଦେଇଛି । ଇରାନ୍ ଏବେ ଇସ୍ରାଏଲର ପାଲଟା ଆକ୍ରମଣକୁ ଅପେକ୍ଷା କରିଛି । ଇସ୍ରାଏଲ୍ ମଧ୍ୟ ଇରାନ୍ ବିରୋଧରେ ବଡ଼ ଧରଣର ଯୁଦ୍ଧ ପାଇଁ ପ୍ରସ୍ତୁତି କରୁଥିବା କୁହାଯାଉଛି । ପ୍ରକାଶ, ଇସ୍ରାଏଲ୍ ଏବେ ଏକସମୟରେ ଗୋଟିଏ ପଟୁ ଇରାନ୍ ସହ ଲଢ଼େଇ କରୁଥିବା ବେଳେ ଅନ୍ୟ ଦୁଇ ପଟୁ ଲେବାନନ୍ ଏବଂ ପାଲେଷ୍ଟାଇନ୍‌ର ସମର୍ଥିତ ଉଗ୍ରବାଦୀ ସଂଗଠନ ଯଥାକ୍ରମେ ହିଜବୁଲ୍ଲା ଏବଂ ହମାସକୁ ମଧ୍ୟ ଦୃଢ଼ ଜବାବ ଦେଉଛି ।
ଅନ୍ୟ ଏକ ରିପୋର୍ଟ ଅନୁସାରେ ଇସ୍ରାଏଲ୍ ସେନା ପକ୍ଷରୁ ଗୁରୁବାର ଏକ ବଡ଼ ଦାବି କରାଯାଇଛି । ଇସ୍ରାଏଲ୍ ସେନା ସୋସିଆଲ ମିଡିଆ ଏକ୍ସରେ ଏକ ପୋଷ୍ଟ କରି ଦର୍ଶାଇଛି ଯେ, ଗତ ୩ ମାସ ତଳେ ଉତ୍ତର ଗାଜା ଷ୍ଟ୍ରିପ୍‌ରେ ହୋଇଥିବା ଏୟାରଷ୍ଟ୍ରାଇକ୍‌ରେ ପାଲେଷ୍ଟାଇନ୍ ତଥା ଇରାନ୍ ସମର୍ଥିତ ଉଗ୍ରବାଦୀ ସଂଗଠନ ହମାସର ୩ ବରିଷ୍ଠ ନେତାଙ୍କ ମୃତ୍ୟୁ ହୋଇଛି । ଏହି ୩ଜଣଙ୍କ ମଧ୍ୟରେ ଗାଜା ସରକାରଙ୍କ ମୁଖ୍ୟ ରାହି ମୁଶତାହା, ହମାସର ୨ କମାଣ୍ଡର ସିରାଜ ଏବଂ  ସମେହ ଓୟୁଦେହ ସାମିଲ ଥିବା ଇସ୍ରାଏଲ ସେନା କହିଛି । ଏମାନେ ଉତ୍ତର ଗାଜାର ମାଟିତଳେ ସୁଡଙ୍ଗ କରି ରହୁଥିବା ବେଳେ ସେହିଠାରୁ ହିଁ ସଂଗଠନକୁ ଚଳାଉଥିବା ସମ୍ପର୍କରେ ଗୁଇନ୍ଦା ସୂଚନା ମିଳିବା ପରେ ଏହି ଅଞ୍ଚଳକୁ ଟାର୍ଗେଟ୍ କରାଯାଇ ଧୂଳିସାତ୍ କରିଦିଆଯାଇଥିଲା । ତେବେ ଇସ୍ରାଏଲର ଏପ୍ରକାର ଦାବି ଉପରେ ହମାସ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପ୍ରକାର ପ୍ରତିକ୍ରିୟା ଦିଆଯାଇନାହିଁ । ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟା ମଧ୍ୟରେ ଇସ୍ରାଏଲ୍ ସେନା ପକ୍ଷରୁ ଗାଜାଷ୍ଟ୍ରିପ୍‌ରେ ହୋଇଥିବା ଆକ୍ରମଣରେ ପ୍ରାୟ ୯୯ ଜଣ ନିହତ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking