29.1 C
Bhubaneswar
Monday, September 30, 2024
Homeଦେଶ ବିଦେଶପୃଥିବୀକୁ ମିଳିଲା ‘ମିନି ମୁନ୍‌’ : ଆଜିଠୁ ୨ ମାସ ପାଇଁ ପୃଥିବୀ ଚାରିପଟେ ଘୂର୍ଣ୍ଣନ...

ପୃଥିବୀକୁ ମିଳିଲା ‘ମିନି ମୁନ୍‌’ : ଆଜିଠୁ ୨ ମାସ ପାଇଁ ପୃଥିବୀ ଚାରିପଟେ ଘୂର୍ଣ୍ଣନ କରିବ

ୱାଶିଂଟନ: ରବିବାର ଠାରୁ ପୃଥିବୀକୁ ଏକ ଅସ୍ଥାୟୀ କ୍ଷୁଦ୍ର ଚନ୍ଦ୍ର ବା ମିିନି ମୁନ୍ ମିଳିବ । ‘୨୦୨୪ ପିଟି ୫’ ନାମକ ଏକ ଛୋଟ ଆଷ୍ଟରଏଡ୍ ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ଦ୍ୱାରା ଆକର୍ଷିତ ହୋଇଛି । ଏହା ଆଷ୍ଟରଏଡ୍‌ଟି ଚନ୍ଦ୍ର ଆଲୋକରେ ଆଲୋକିତ ହେବା ଫଳରେ ଏହା ଏକ ମିନି ଚନ୍ଦ୍ରର ଭ୍ରମ ସୃଷ୍ଟି କରିବ । ଏହି ଆଷ୍ଟରଏଡର ବ୍ୟାସ ମାତ୍ର ୧୦ ମିଟର (୩୩ ଫୁଟ୍‌) ରହିଛି । ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ଦ୍ୱାରା ଆକର୍ଷିତ ହେବା ଫଳରେ ରବିବାର ଠାରୁ ପୃଥିବୀ ଚାରିପଟେ ଘୂର୍ଣ୍ଣନ କରିବ । ଏହା ପ୍ରାୟ ୫୩ ଦିନ ଯାଏ (ନଭେମ୍ବର ୨୫ ଯାଏ) ପୃଥିବୀର କକ୍ଷପଥରେ ରହିବ । ପୃଥିବୀର ଚନ୍ଦ୍ରଠାରୁ ୩,୫୦,୦୦୦ ଗୁଣ ଛୋଟ ଏହି ମିନି ମୁନ୍ ବା କ୍ଷୁଦ୍ର ଚନ୍ଦ୍ର ରାତି ୧:୩୦ ପରେ ଏକ ସ୍ୱତନ୍ତ୍ର ଟେଲିସ୍କୋପ (ପ୍ରଫେସନାଲ ଟେଲିସ୍କୋପ୍‌) ସାହାଯ୍ୟରେ ଦେଖିବାକୁ ମିଳିବ ବୋଲି ଜ୍ୟୋତିର୍ବିଜ୍ଞାନୀ ଡ. ଜେନିଫର ମିଲାର୍ଡ କହିଛନ୍ତି ।

ଏହି ଚନ୍ଦ୍ର ପ୍ରକୃତରେ ଏକ ଗ୍ରହ ଅଟେ । ୭ ଅଗଷ୍ଟରେ ଏହା ଆବିଷ୍କୃତ ହୋଇଥିଲା । ଏହାର ଗତି ବହୁତ କମ୍ ରହିଥିବାରୁ ଏହି ଆଷ୍ଟେରଏଡ୍ ଆସନ୍ତା ଦୁଇ ମାସ ମଧ୍ୟରେ ପୃଥିବୀର ଗୋଟିଏ ସମ୍ପୂର୍ଣ୍ଣ ଅଂଶକୁ ମଧ୍ୟ ପରିକ୍ରମା କରିପାରିବ ନାହିଁ । ତେବେ ନଭେମ୍ବର ୨୫ ପରେ ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ପ୍ରଭାବରୁ ‘୨୦୨୪ ପିଟି ୫’ ମୁକ୍ତ ହେବ ଏବଂ ଏହା ସୂର୍ଯ୍ୟ ଚାରିପଟେ ଘୂରିବା ଆରମ୍ଭ କରିବ । ତେବେ ୨୦୫୫ରେ ପୁଣିଥରେ ‘୨୦୨୪ ପିଟି ୫’ ପୃଥିବୀର କକ୍ଷପଥକୁ ଫେରିବ ବୋଲି ବୈଜ୍ଞାନିକମାନେ ଅନୁମାନ କରିଛନ୍ତି । ଏହି ବିରଳ ଜ୍ୟୋତିର୍ବିଜ୍ଞାନ ଘଟଣା ପୃଥିବୀର ମାଧ୍ୟାକର୍ଷଣ ଶକ୍ତିକୁ ପ୍ରଦର୍ଶିତ କରୁଛି ବୋଲି ବୈଜ୍ଞାନିକମାନେ କହିଛନ୍ତି । ଅର୍ଜୁନ ଆଷ୍ଟେରଏଡ ବେଲ୍ଟର ଏକ ସୂକ୍ଷ୍ମ ଆଷ୍ଟରଏଡ ହେଉଛି ୨୦୨୪ ପିଟି ୫ । ବୈଜ୍ଞାନିକଙ୍କ ଅନୁଯାୟୀ, ଶନିଙ୍କର ୧୪୬ ଚନ୍ଦ୍ର ଥିବାବେଳେ ବୃହସ୍ପତିଙ୍କର ୯୫ଟି, ମଙ୍ଗଳ ଗ୍ରହର ୨ଟି ଏବଂ ପୃଥିବୀରେ କେବଳ ଗୋଟିଏ ଚନ୍ଦ୍ର ଅଛି ।

ଆଷ୍ଟେରଏଡ୍ ଗବେଷକ ଫେଡେରିକା ସ୍ପୋଟୋ ଏବଂ ସ୍ମିଥସୋନିଆନ୍ କହିଛନ୍ତି ଯେ, ୨୦୨୪ ପିଟି ୫ ମହାକାଶରେ ସେହି ଆଷ୍ଟେରଏଡଗୁଡିକ ବିଷୟରେ ସୂଚନା ପ୍ରଦାନ କରିବ, ଯାହାକି ପୃଥିବୀ ନିକଟତର ହେବ କିମ୍ବା ପୃଥିବୀ ପ୍ରତି ବିପଦ ସୃଷ୍ଟି କରିବ । ଏତଦ୍‌ବ୍ୟତୀତ ପୃଥିବୀ ପରିକ୍ରମା ସମୟରେ ଏହି ଆଷ୍ଟରଏଡ୍ ଅନେକ ମହାକାଶଭିତ୍ତିକ ଜାଗତିକ ଘଟଣାବଳୀ ସମ୍ପର୍କରେ ମଧ୍ୟ ସୂଚନା ଦେବ । ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର (ଇସ୍ରୋ) ପକ୍ଷରୁ ମଧ୍ୟ ଏହି ‘ମିନି ମୁନ୍‌’ର କାର୍ଯ୍ୟକଳାପ ଉପରେ ନେଟୱାର୍କ ଫର୍ ସ୍ପେସ୍ ଅବଜେକ୍ଟସ୍ ଟ୍ରାକିଂ ଆଣ୍ଡ ଆନାଲିସିସ୍ (ନେତ୍ର) ଜରିଆରେ ତୀକ୍ଷ୍ଣ ନଜର ରଖାଯାଇଛି । ପ୍ରକାଶ, ଏହାପୂର୍ବରୁ ୧୯୮୧ ଏବଂ ୨୦୨୨ ମସିହାରେ ମଧ୍ୟ ପୃଥିବୀ ୨୦୨୨ ଏନ୍‌ଏକ୍ସ ୧ ନାମକ ଏକ ମିନି ଚନ୍ଦ୍ର ପାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking