18.1 C
Bhubaneswar
Thursday, February 12, 2026
Homeଦେଶ ବିଦେଶତିରୁପତି ଲଡୁ ବିବାଦ:  ରିପୋର୍ଟ ତଲବ କଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ; ୪ଜଣିଆ ତଦନ୍ତ କମିଟି ଗଠନ...

ତିରୁପତି ଲଡୁ ବିବାଦ:  ରିପୋର୍ଟ ତଲବ କଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ; ୪ଜଣିଆ ତଦନ୍ତ କମିଟି ଗଠନ କଲା ମନ୍ଦିର ପ୍ରଶାସନ

ନୂଆଦିଲ୍ଲୀ : ତିରୁପତି ଶ୍ରୀ ଭେଙ୍କଟେଶ୍ୱର ବାଲାଜୀ ମନ୍ଦିରରେ ପ୍ରସାଦ ଭାବେ ବ୍ୟବହୃତ ହେଉଥିବା ଲଡୁ’ରେ ଗୋରୁ-ଘୁଷୁରୀ ଚର୍ବି, ମାଛ ତେଲ ଆଦି ବ୍ୟବାହାର କରାଯାଇଥିବା ନେଇ ଏକ ଲାବୋରେଟୋରି ରିପୋର୍ଟ ସାମ୍ନାକୁ ଆସିବା ପରେ ଏହାକୁ ନେଇ ଦେଶବ୍ୟାପୀ ତୀବ୍ର ଉତ୍ତେଜନା ଦେଖାଦେଇଛି । ବିଶେଷକରି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡୁ ଏହି ରିପୋର୍ଟକୁ ସାର୍ବଜନୀନ କରିବା ପରେ ପୁରା ଆନ୍ଧ୍ର୍ରପ୍ରଦେଶରେ ଜନଆକ୍ରୋଶ ସାଙ୍ଗକୁ ରାଜନୈତିକ ଉଷ୍ମତା ମଧ୍ୟ ପ୍ରକାଶ ପାଇଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ଏସମ୍ପର୍କରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କ ଠାରୁ ରିପୋର୍ଟ ତଲବ କରାଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡା ଏହି ପ୍ରସଙ୍ଗରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି । ତିରୁପତି ପ୍ରସାଦ ବିବାଦ ଉପରେ ସେ କହିଛନ୍ତି, ସେ ନିଜେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ସହ କଥା ହୋଇ ରିପୋର୍ଟ ମାଗିଛନ୍ତି । ରିପୋର୍ଟ ମିଳିବା ପରେ ଏସବୁ ଅଭିଯୋଗ ଉପରେ ଅନୁସନ୍ଧାନ କରାଯିବ । ଏତଦ୍‌ବ୍ୟତୀତ ଖାଦ୍ୟ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ମଧ୍ୟ ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଯେଉଁ ଅଭିଯୋଗ ଆଣିଛିନ୍ତି, ତାହା ଗୁରୁତର ପ୍ରସଙ୍ଗ । ଏ ଉପରେ ବିସ୍ତୃତ ତଦନ୍ତ ଆବଶ୍ୟକ ଏବଂ ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବା ଉଚିତ୍ ବୋଲି ସେ କହିଛନ୍ତି । ଏସବୁ ମଧ୍ୟରେ ଏହି ପ୍ରସଙ୍ଗରେ ନିଜ ହିସାବରେ ଯାଞ୍ଚ୍ କରିବା ପାଇଁ ମନ୍ଦିର ପ୍ରଶାସନ ତିରୁମାଳା ତିରୁପତି ଦେବସ୍ଥାନମ୍ (ଟିଟିଡି) ପକ୍ଷରୁ ଏକ ୪ଜଣିଆ ତଦନ୍ତ କମିଟି ମଧ୍ୟ ଗଠନ କରାଯାଇଛି ।
ଆନ୍ଧ୍ରପ୍ରଦେଶର ତତ୍କାଳୀନ ୱାଇଏସ୍‌ଆର୍ କଂଗ୍ରେସ ସରକାର ସମୟରେ ତିରୁପତିଙ୍କ ପୂଜାବିଧି ତଥା ଭୋଗ ନୈବେଦ୍ୟରେ ଲାଗି ହେଉଥିବା ପ୍ରଖ୍ୟାତ ‘ଲଡୁ’ ପ୍ରସ୍ତୁତିରେ ପଶୁ ଚର୍ବି ଓ ନିମ୍ନମାନର ଉପାଦାନ ବ୍ୟବହାର କରାଯାଉଥିଲା ବୋଲି ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡୁ ଅଭିଯୋଗ ଆଣିବା ପରେ ଏହି ବିବାଦ ସାମ୍‌ନାକୁ ଆସିଥିଲା । ଗୁଜୁରାଟରେ ଥିବା ତଥା କେନ୍ଦ୍ର ସରକାରଙ୍କ ଅଧୀନ ରାଷ୍ଟ୍ରୀୟ ଦୁଗ୍ଧ ବିକାଶ ବୋର୍ଡର ଲ୍ୟାବ୍ ସେଣ୍ଟର ଅଫ୍ ଆନାଲିସିସ୍ ଆଣ୍ଡ୍ ଲଣ୍ଣିଂ ଇନ୍ ଲାଇଭ୍‌ଷ୍ଟକ୍ ଆଣ୍ଡ ଫୁଡ୍ (ସିଏଏଲଏଫ୍ ବା କାଫ୍‌) ପକ୍ଷରୁ ଗତ ଜୁଲାଇ ୧୭ ତାରିଖରେ ଆସିଥିବା ରିପୋର୍ଟ ଆଧାରରେ ସେ ଏପ୍ରକାର ଅଭିଯୋଗ କରିଥିଲେ । ପ୍ରକାଶ ଏହି ରିପୋର୍ଟରେ ଦର୍ଶାଯାଇଛି ଯେ, ଏହି ଘିଅରେ ମାଛ ତେଲ, ଗାଈ ଗୋରୁଙ୍କ ଚର୍ବି ଏବଂ ଘୁଷୁରି ଚର୍ବିର କଣିକା (ଫ୍ୟାଟି ଟିସୁରୁ ପ୍ରାପ୍ତ ଏକ ଅର୍ଦ୍ଧ-କଠିନ ଧଳା ଚର୍ବି ଉତ୍ପାଦ) ଠାବ କରାଯାଇଥିଲା । ଏହି ଲାବ୍ ପ୍ରାଣୀ ଖାଦ୍ୟ ଓ ଦୁଗ୍ଧଜାତ ଦ୍ରବ୍ୟଗୁଡ଼ିକର ପରୀକ୍ଷା କରିଥାଏ ।
ବିଶ୍ୱହିନ୍ଦୁ ପରିଷଦର ରାଷ୍ଟ୍ରୀୟ ମୁଖପାତ୍ର ବିନୋଦ ବଂଶଲ ଏଥିପାଇଁ ଜଗନମୋହନଙ୍କୁ ନିନ୍ଦା କରିଛନ୍ତି । ବଂଶଲଙ୍କ କହିବାନୁସାରେ ଆନ୍ଧ୍ରପ୍ରଦେଶର ପୂର୍ବତନ ସରକାର ହିନ୍ଦୁ ବିରୋଧୀ କାର୍ଯ୍ୟରେ ସମ୍ପୃକ୍ତ ଥିବା ସମସ୍ତେ ଜାଣନ୍ତି । ତେବେ ତାହା ଏତେ ତଳ ସ୍ତରକୁ ଖସିଯିବ ବୋଲି କେହି ଭାବି ମଧ୍ୟ ପାରିନଥିବେ । ଲଡୁରେ ଗୋରୁ ଚର୍ବି ବ୍ୟବହାର କରୁଥିବା ଲୋକମାନଙ୍କୁ ଦଣ୍ଡିତ କରାଯାଉ ବୋଲି ବଂଶଲ ଦାବି କରିଛନ୍ତି । ଅନ୍ୟପକ୍ଷେ ଲଡୁରେ ପ୍ରକୃତରେ ପ୍ରାଣୀ ଚର୍ବି ବ୍ୟବହାର ହେଉଥିଲା କି ନାହିଁ ତାହା ନିଶ୍ଚିତ କରିବା ପାଇଁ ସିବିଆଇ ତଦନ୍ତ କରାଯିବାକୁ ପ୍ରଦେଶ କଂଗ୍ରେସ କମିଟି ସଭାନେତ୍ରୀ ୱାଇଏସ୍ ଶର୍ମିଲା ଦାବି କରିଛନ୍ତି । ଅନ୍ୟପକ୍ଷେ ରାଜନୈତିକ ଫାଇଦା ପାଇଁ ଟିଡିପି ସୁପ୍ରିମୋ ଚନ୍ଦ୍ରବାବୁ ଯେକୌଣସି ସ୍ତରକୁ ଯାଇପାରିବେ ବୋଲି ୱାଇଏସ୍‌ଆର୍ କଂଗ୍ରେସର ବରିଷ୍ଠ ନେତା ତଥା ରାଜ୍ୟ ସଭା ସଦସ୍ୟ ୱାଇଭି ସୁଽାରେଡ୍ଡୀ ପାଲଟା ଅଭିଯୋଗ କରିଛନ୍ତି । ଚନ୍ଦ୍ରବାବୁଙ୍କ ଏଭଳି ଫମ୍ପା ଅଭିଯୋଗ ସନାତନ ଧର୍ମାବଲମ୍ବୀ ଭକ୍ତମାନଙ୍କ ଭାବାବେଗକୁ ଆଘାତ ଦେଇଥିବା ସେ କହିଛନ୍ତି ।
ଏସମ୍ପର୍କରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ୱାଇଏସ୍‌ଆର କଂଗ୍ରେସ ମୁଖ୍ୟ ୱାଇଏସ୍ ଜଗନ୍ ମୋହନ ରେଡ୍ଡୀ ନିଜ ପ୍ରତିକ୍ରିୟାରେ ଏସବୁ ଅଭିଯୋଗକୁ ଖଣ୍ଡନ କରିବା ସହ ଏସବୁ ତାଙ୍କୁ ଏବଂ ତାଙ୍କ ଦଳକୁ ନିନ୍ଦିତ କରିବା ପାଇଁ ରାଜନୈତିକ ଷଡଯନ୍ତ୍ର ବୋଲି କହିଛନ୍ତି । କିନ୍ତୁ ଏହି ଘଟଣାକୁ କେନ୍ଦ୍ର କରି ତାଙ୍କୁ ଏବେ ଚାରିଆଡୁ ନିନ୍ଦା, ଭର୍ତ୍ସନାର ସାମ୍ନା କରିବାକୁ ପଡୁଛି । ତେବେ ମୁଖ୍ୟମନ୍ତ୍ରୀ ନାଇଡୁ ଆଣିଥିବା ଅଭିଯୋଗ ଉପରେ ତଦନ୍ତ ପାଇଁ ଏକ କମିଟି ଗଠନ କରିବାକୁ ୱାଇଏସ୍‌ଆର କଂଗ୍ରେସ ପକ୍ଷରୁ ହାଇକୋର୍ଟରେ ଏକ ପିଟିସନ୍‌୍ ଦାୟର କରାଯାଇଛି । ଆସନ୍ତା ୨୫ ତାରିଖରେ ହାଇକୋର୍ଟ ଏହା ଉପରେ ଶୁଣାଣି କରିବେ । ପ୍ରକାଶ, ତିରୁପତି ମନ୍ଦିରର ୩୦୦ ବର୍ଷ ପୁରୁଣା ରୋଷେଇ ଘରେ ପ୍ରତିଦିନ ୩.୫୦ ଲକ୍ଷ ଲଡୁ ତିଆରି କରାଯାଇଥାଏ । ତିରୁମାଲା ଟ୍ରଷ୍ଟ ପ୍ରସାଦରୁ ବାର୍ଷିକ ୫୦୦ କୋଟି ଟଙ୍କା ରୋଜଗାର କରିଥାଏ । ସେହିପରି ମନ୍ଦିରର ବାର୍ଷିକ ଆୟ ୩ହଜାର କୋଟିରୁ ଊର୍ଦ୍ଧ୍ୱ ରହୁଥିବା ବେଳେ ଏଥିମଧ୍ୟରୁ ପ୍ରାୟ ୨୦୦୦ କୋଟି କେବଳ ଦାନ ସୂତ୍ରରୁ ମିଳିଥାଏ । ତିରୁପତିର ଶ୍ରୀ ଭେଙ୍କେଟେଶ୍ୱର ସ୍ୱାମୀ ମନ୍ଦିରରେ ଲଡମ୍ମୁଖ୍ୟ ପ୍ରସାଦ ବା ‘ପ୍ରସାଦମ୍‌’ ରୂପେ ଭୋଗ ଲାଗି କରାଯାଇଥାଏ । ମନ୍ଦିରର ପରିଚାଳନା ଭାର ତିରୁମାଳା ତିରୁପତି ଦେବସ୍ଥାନମ୍ (ଟିଟିଡି) ଉପରେ ନ୍ୟସ୍ତ ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking