ଭୋପାଳ: ନିଜ ସନ୍ତାନକୁ କେବେ କ’ଣ କିଏ ଏମିତି ନୃଶଂସତା କାମ କରିପାରେ ! ହେଲେ ଜଣେ ବାପା ୮ ବର୍ଷର ଝିଅ ସହିତ ଏମିତି ଘୃଣ୍ୟ କାମ କରିଛନ୍ତି, ଯାହା ଜାଣିବା ପରେ ଆପଣଙ୍କ ପାଦତଳୁ ମାଟି ଖସିଯିବ । ମଧ୍ୟପ୍ରଦେଶ ଗୁନା ଜିଲ୍ଲାରେ ଜଣେ ବ୍ୟକ୍ତି ୮ ବର୍ଷର ଝିଅକୁ ହତ୍ୟା କରି କୂଅରେ ପକାଇଥିବା ଖବର ମିଳିଛି । ତେବେ ଝିଅକୁ ମାରିବା ପୂର୍ବରୁ ବାପା ଝିଅକୁ ଦୁଷ୍କର୍ମ କରିଥିବା ପୋଲିସ ସନ୍ଦେହ କରୁଛି । ଅଭିଯୁକ୍ତକୁ ପୋଲିସ ଗିରଫ କରିଛି । ପୋଲିସ କହିବା ମୁତାବକ, ମଧ୍ୟପ୍ରଦେଶ ଗୁନା ଜିଲ୍ଲା ମୁଖ୍ୟାଳୟ ପାଖରେ ୭୫ କିମି ଦୂର ଚାଚୋଡା ଥାନା ଅଞ୍ଚଳରେ ଏକ ପିଲାର ମୃତଦେହ କୂଅରେ ମିଳିଥିଲା ।
ପିଲାର ଗୋଟିଏ ହାତ ଏବଂ ଗୋଡ ପଥରରେ ବନ୍ଧା ହୋଇଥିଲା । ପିଲାଟି ୩ ଦିନ ପୂର୍ବରୁ ନିଖୋଜ ହୋଇଥିଲା । ଚାଚୋଡା ଥାନାର ଅଧିକାରୀ କହିଛନ୍ତି, ନାବାଳିକାଙ୍କ ବାପାଙ୍କ ଉପରେ ସନ୍ଦେହ କରିଥିଲା ପୋଲିସ । ବ୍ୟକ୍ତି ଜଣକ ପିଲାକୁ ଖୋଜିବାକୁ କୌଣସି ଆନ୍ତରିକତା ଦେଖାଉନଥିବାରୁ ପୋଲିସ ସନ୍ଦେହ କରିଥିଲା । ତେବେ ପୋଲିସ ପ୍ରାରମ୍ଭିକ ଯାଞ୍ଚରୁ ଜାଣିବାକୁ ପାଇଥିଲା କି, ପିଲାଟିକୁ ଶେଷ ଥର ପାଇଁ ବାପା ସହିତ ଦେଖିବାକୁ ମିଳିଥିଲା । ତେଣୁ ପୋଲିସ ପିଲାର ମୃତଦେହକୁ ଜବତ କରି ବ୍ୟବଚ୍ଛେଦ କରିବା ପରେ ପରିବାରକୁ ହସ୍ତାନ୍ତର କରିଥିଲା । ପିଲାର ଅନ୍ତିମ ସଂସ୍କାର ପରେ ପୋଲିସ ଅଭିଯୁକ୍ତ ବାପାକୁ ଗିରଫ କରିଛି । ବ୍ୟକ୍ତି ଜଣକ ପିଲାକୁ ହତ୍ୟା କରି ହାତଗୋଡ ଟାୱଲରେ ବାନ୍ଧି ପଥର ବାନ୍ଧି ମୃତଦେହକୁ କୂଅରେ ଫୋପାଡିଦେଇଥିଲା । ତେବେ ନାବାଳିକାକୁ ହତ୍ୟା କରିବା ପୂର୍ବରୁ ଦୁଷ୍କର୍ମ କରାଯାଇଥିବା ବ୍ୟବଚ୍ଛେଦ ରିପୋର୍ଟରେ ଜଣାପଡିଛି । ପୋଲିସ ଏହି ମାମଲାରେ ଯାଞ୍ଚ କରୁଛି ।