ଭୁବନେଶ୍ୱର : ମୋ ସ୍କୁଲ ଅଭିଯାନ ତରଫରୁ ରାଜ୍ୟର ୨୪ଜିଲ୍ଲାରେ ୬୫୮୦ଟି ଉଚ୍ଚ ବିଦ୍ୟାଳୟର ରୂପାନ୍ତରଣ କରାଯାଇଛି । ଏ ବାବଦରେ ୩୦୮୯ କୋଟି ଟଙ୍କାରୁ ଅଧିକ ଅର୍ଥ ଖର୍ଚ୍ଚ ହୋଇଥିବା କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ବିଦ୍ୟାଳୟ ରୂପାନ୍ତରଣ ସଂକ୍ରାନ୍ତରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍ତି ଯେ ମୋ ସ୍କୁଲ ଅଭିଯାନ ତରଫରୁ ଉଚ୍ଚ ବିଦ୍ୟାଳୟମାନଙ୍କର ଭିତ୍ତିଭୂମିର ଉନ୍ନତିକରଣ ପାଇଁ ବିଭିନ୍ନ ସିଏସ୍ଆର ସୂତ୍ର ଓ ସରକାରଙ୍କ ଅନୁଦାନକୁ ମିଶାଇ ମୋଟ୍ ୨୪ଟି ଜିଲ୍ଲାର ୬୫୮୦ଟି ଉଚ୍ଚ ବିଦ୍ୟାଳୟ ପାଇଁ ୩୦୮୯ କୋଟି ୭୫ଲକ୍ଷ ଟଙ୍କା ରାଜ୍ୟ ସରକାରଙ୍କ ଅନୁମୋଦନ ଦିଆଯାଇଛି ।
ଅନ୍ୟ ୬ଟି ଜିଲ୍ଲାରେ ଓମ୍ବାଡିସ ଓ ଡିଏମଏଫ୍ ଏହି ରୂପାନ୍ତରଣ କାର୍ଯ୍ୟ ହୋଇଛି । ମନ୍ତ୍ରୀ ଆହୁରି ଦର୍ଶାଇଛନ୍ତି ଯେ ପ୍ରତି ଉଚ୍ଚ ବିଦ୍ୟାଳୟର ମୌଳିକ ଆବଶ୍ୟକତା ଯେପରିକି ସ୍ମାର୍ଟ ଶ୍ରେଣୀଗୃହ, ଇ-ପାଠାଗାର, ଉନ୍ନତ ବିଜ୍ଞାନ ପ୍ରୟୋଗଶାଳା, ପାନୀୟଜଳ, ଶୌଚାଳୟ ଏବଂ ଖେଳପଡିଆର ଉନ୍ନତିକରଣ ପାଇଁ ଖର୍ଚ୍ଚ ହୋଇଛି । ଝାରସୁଗୁଡା ଜିଲ୍ଲାର ତିନିଟି ପର୍ଯ୍ୟାୟରେ ୧୦୬ଟି ଉଚ୍ଚ ବିଦ୍ୟାଳୟର ରୂପାନ୍ତରଣ ବାବଦରେ ମୋଟ୍ ୫୪କୋଟି ୬୩ଲକ୍ଷ ୮୩ହଜାର ୪୫୦ ଟଙ୍କା ବ୍ୟୟ ହୋଇଛି ।