ଭୁବନେଶ୍ୱର: ରାଜ୍ୟରେ ବିଷାକ୍ତ ମଦ ମୋଟ ୨୩୧ ଜଣଙ୍କ ଜୀବନ ନେଇଛି । ବିଧାନସଭାରେ ଆଜି ଏହି ସୂଚନା ଦେଇଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ୧୯୯୨ ମସିହା ଠାରୁ ଏଯାବତ ବିଷାକ୍ତ ମଦ ପିଇ ୨୩୧ ଜଣଙ୍କ ମୃତ୍ୟୁ ହୋଇଛି। ତାଙ୍କ ସୂଚନା ଅନୁଯାୟୀ ୧୯୯୨ ମସିହାରେ କଟକରେ ସର୍ବାଧିକ ୧୩୪ଜଣଙ୍କ ମୃତ୍ୟୁ ହୋଇଥିଲା । ୨୦୧୨ ମସିହାରେ ଭୁବନେଶ୍ୱର ଉପକଣ୍ଠ ଟୁକୁଲିପଡ଼ାରେ ୪୧ଜଣଙ୍କ ମୃତ୍ୟୁ ହୋଇଥିଲା । ସେହିପରି ୨୦୦୧ରେ ପୁରୀରେ ୨୦ ଜଣ ଓ ୨୦୦୬ରେ ଗଞ୍ଜାମରେ ୧୯ ଜଣଙ୍କ ମୃତ୍ୟୁ ହୋଇଥିଲା। ୨୦୧୯ ନିର୍ବାଚନବେଳେ ଭଦ୍ରକ ଜିଲ୍ଲା ତିହିଡ଼ି ଅଞ୍ଚଳରେ ୭ ଜଣଙ୍କ ମୃତ୍ୟୁ ହୋଇଛି।
ଅନ୍ୟପକ୍ଷରେ ଓଡ଼ିଶାର ଗ୍ରାମାଞ୍ଚଳଗୁଡିକରେ ୪୩୩ଟି ଦେଶୀଭାଟି (ମହୁଲି) ରହିଛି । ଚଳିତ ଆର୍ôଥକ ବର୍ଷରେ ଏହି ଦେଶୀଭାଟିମାନଙ୍କରୁ ୨୨୭ କୋଟି ରାଜସ୍ୱ ଆଦାୟ ହୋଇଛି। ଯାହାକି ରାଜ୍ୟର ଅବକାରୀ ରାଜସ୍ୱର ୯ ଶତାଂଶ ଅଟେ। ରାଜ୍ୟରେ ଦେଶୀ ମଦଭାଟି ଗୁଡିକରେ ପାଉଚ୍ ଉତ୍ପାଦନ ପାଇଁ ୪୯୦ଟି ମଦଭାଟିକୁ ଲାଇସେନ୍ସ ଦିଆଯାଇଛି। ୨୦୨୩-୨୪ ଆର୍ôଥକ ବର୍ଷରେ ରାଜ୍ୟରେ ୨୩ କୋଟି ଲିଟର ଦେଶୀ ମହୁଲି ମଦ ଉତ୍ପାଦନ ହୋଇଥିବା ମନ୍ତ୍ରୀ ଶ୍ରୀ ହରିଚନ୍ଦନ ସୂଚନା ଦେଇଛନ୍ତି।
ଅନ୍ୟପକ୍ଷରେ ବର୍ତ୍ତମାନ ରାଜ୍ୟରେ ସମ୍ପୂର୍ଣ୍ଣ ନିଶା ନିବାରଣ ପାଇଁ ସରକାରଙ୍କ ପାଖରେ କିଛି ପ୍ରସ୍ତାବ ନାହିଁ। ଏହାସହ ରାଜ୍ୟରେ ମଦ୍ୟପମାନଙ୍କୁ ପଞ୍ଜିକରଣ କରି ବୀମାଭୁକ୍ତ ଓ ସ୍ୱାସ୍ଥ୍ୟବୀମା ଭୁକ୍ତ କରିବାକୁ କୌଣସି ବ୍ୟବସ୍ଥା ନାହିଁ ବୋଲି ମନ୍ତ୍ରୀ କହିଛନ୍ତି।ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଏହା କହିଛନ୍ତି। ପ୍ରକାଶ ଯେ ରାଜ୍ୟରେ ନିଶା ନିବାରଣ ପାଇଁ ସରକାରଙ୍କ ପ୍ରସ୍ତାବ କ’ଣ ଅଛି। ମଦ୍ୟପମାନଙ୍କୁ ପଞ୍ଜିକରଣ କରି ସେମାନଙ୍କୁ ବୀମାଭୁକ୍ତ ଓ ସ୍ୱାସ୍ଥ୍ୟ ବୀମାଭୁକ୍ତ କରିବାକୁ ସରକାର କ’ଣ ବ୍ୟବସ୍ଥା କରିବେ କି ବୋଲି ଶ୍ରୀ ମହାକୁଡ଼ ପ୍ରଶ୍ନ କରିଥିଲେ।