ଭୁବନେଶ୍ୱର: ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧିନରେ ଥିବା ଓଡିଶା ସାହିତ୍ୟ ଏକାଡେମୀ ଓ ଓଡିଶା ସଙ୍ଗୀତ ନାଟକ ଏକାଡେମୀରେ ସଭାପତି ଓ ଉପସଭାପତି ଏବଂ ଓଡିଶା ଲଳିତ କଳା ଏକାଡେମୀର ଉପ ସଭାପତିଙ୍କ କାର୍ଯ୍ୟକାଳ ୨୦୨୪ ମଇ ୨୦ ତାରିଖରେ ଶେଷ ହୋଇଛି । ଏହାର ଦାୟିତ୍ୱ ସରକାରୀ ଅଧିକାରୀଙ୍କ ହାତରେ ନ୍ୟସ୍ତ କରାଯାଇଥିବାବେଳେ ପଦବୀଗୁଡିକୁ ଶୀଘ୍ର ପୂରଣ ପାଇଁ ପଦକ୍ଷେପ ନିଆଯାଉଥିବା କହିଛନ୍ତି ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ ଉପରୋକ୍ତ ସଂସ୍ଥା ଗୁଡିକରେ ସଭାପତି ଓ ଉପସଭାପତି ପଦବୀ ଖାଲି ପଡିଥିବାବେଳେ ଓଡିଆଭାଷା,ସାହିତ୍ୟ ଓ ସଂସ୍କୃତି ବିଭଗର ନିର୍ଦ୍ଦେଶକଙ୍କୁ ଓଡିଆ ଭାଷା ପ୍ରତିଷ୍ଠାନର ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି ।
ଓଡିଶା ସାହିତ୍ୟ ଏକାଡେମୀ ଓ ଓଡିଶା ଲଳିତ କଳା ଏକାଡେମୀରେ କାର୍ଯ୍ୟନିର୍ବାହୀ ପୁର୍ନଗଠନ ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଉଛି । ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ସଡିଶା ସାହିତ୍ୟ ଏକାଡେମୀରେ ୯ଟି ପଦବୀ ଖାଲି ପଡିଥିବାବେଳେ ଓଡିଶା ସଙ୍ଗୀତ ନାଟକ ଏକାଡେମୀରେ ୯ଟି, ଓଡିଶା ଲଳିତ କଳା ଏକାଡେମୀରେ ୮ଟି ଓ ଓଡିଆ ଭାଷା ପ୍ରତିଷ୍ଠାନରେ ୧୩ଟି ପଦବୀ ଖାଲି ପଡିଛି । ପ୍ରତିଷ୍ଠାନ ଓ ଏକାଡେମୀଗୁଡିକ ସ୍ୱୟଂଶାସିତ ଅନୁଷ୍ଠାନ ଓ ନିଜସ୍ୱ ନିୟମ ଦ୍ୱାରା ପରିଚାଳିତ ହେଉଥିବାରୁ ଏକାଡେମୀର ସାଧାରଣ ପରିଷଦ/କାର୍ଯ୍ୟକାରୀ କମିଟି ବୈଠକରେ ନିଷ୍ପତ୍ତିକ୍ରମେ ଖାଲି ଥିବା ପଦବୀ ପୂରଣ ନିମନ୍ତେ ପଦକ୍ଷେପ ଗ୍ରହଣ କରାଯିବ । ନିୟମିତ ନିଯୁକ୍ତି ହେବା ପର୍ଯ୍ୟନ୍ତ ବାହ୍ୟ କର୍ମ ଯୋଗାଣ ସଂସ୍ତା ମାଧ୍ୟମରେ ସେବା ନିୟୋଜନ କରାଯାଇ ସଂସ୍ଥାର ଦୈନନ୍ଦିନ କାର୍ଯ୍ୟ ପରିଚାଳନା କରାଯାଉଥିବା ମନ୍ତ୍ରୀ କହିଛନ୍ତି ।










