ଜେନେଭା : ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍ଓ)ର ନୂଆ ରିପୋର୍ଟରେ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ପ୍ରକାଶ ପାଇଛି । ଯୁବତୀଯୁବକମାନଙ୍କ ମଧ୍ୟରେ କଣ୍ଡୋମ ଏବଂ ଗର୍ଭନିରୋଧକ ଔଷଧର ବ୍ୟବହାର ହ୍ରାସ ପାଉଛି, ଯାହା ଚିନ୍ତାର ବିଷୟ ବୋଲି ଡବ୍ଲ୍ୟୁଏଚ୍ଓ ପକ୍ଷରୁ କୁହାଯାଇଛି । ରିପୋର୍ଟ ଅନୁଯାୟୀ, ୟୁରୋପୀୟ ଦେଶମାନଙ୍କରେ ପ୍ରାୟ ଏକ ତୃତୀୟାଂଶ ଯୁବତୀଯୁବକ ସ୍ୱୀକାର କରିଛନ୍ତି, ସେମାନେ ଶେଷଥର ଶାରୀରିକ ସମୟରେ କଣ୍ଡମ କିମ୍ବା ଗର୍ଭନିରୋଧକ ବଟିକା ଗ୍ରହଣ କରି ନ ଥିଲେ ।
୨୦୧୮ଠାରୁ ଏହି ଅଭ୍ୟାସରେ କୌଣସି ପରିବର୍ତ୍ତନ ହୋଇନାହିଁ । ଏହି କାରଣରୁ ଅସୁରକ୍ଷିତ ଯୌନ କାରଣରୁ ରୋଗ ଏବଂ ଅବାଞ୍ଛିତ ଗର୍ଭଧାରଣ ହେବାର ଆଶଙ୍କା ବଢିଛି । ଡବ୍ଲ୍ୟୁଏଚ୍ଓ ନିକଟରେ ୟୁରୋପ ଏବଂ ମଧ୍ୟ ପୂର୍ବର ୪୨ଟି ଦେଶରେ ଏକ ସର୍ଭେ କରିଥିଲା । ଯେଉଁଥିରେ ୧୫ ବର୍ଷ ବୟସର ୨,୪୨,୦୦୦ କିଶୋର ଅନ୍ତର୍ଭୁକ୍ତ ହୋଇଥିଲେ । ସେମାନଙ୍କୁ ପଚରାଯାଇଥିବା ପ୍ରଶ୍ନ ଅନୁଯାୟୀ, ଶେଷଥର କୌଣସି ବ୍ୟକ୍ତିଙ୍କ ସହ ସମ୍ପର୍କ ରଖିବା ସମୟରେ କଣ୍ଡମ ବ୍ୟବହାର କରିଥିବା ପୁଅଙ୍କ ସଂଖ୍ୟା ୨୦୧୪ରେ ୭୦% ରୁ ୨୦୨୨ରେ ୬୧%କୁ ଖସି ଆସିଛି ।
ରିପୋର୍ଟ ଅନୁଯାୟୀ, କଣ୍ଡୋମ କିମ୍ବା ଜନ୍ମ ନିୟନ୍ତ୍ରଣ ବଟିକା ବ୍ୟବହାର କରିଥିବା ଝିଅଙ୍କ ସଂଖ୍ୟା ୬୩ ପ୍ରତିଶତରୁ ୫୭ ପ୍ରତିଶତକୁ ଖସି ଆସିଛି । ପ୍ରାୟ ଏକ ତୃତୀୟାଂଶ କିଶୋର ଶାରୀରିକ ସମ୍ପର୍କ ଥିବାବେଳେ କଣ୍ଡୋମ ବ୍ୟବହାର କରନ୍ତି ନାହିଁ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସର୍ଭେ ଅନୁଯାୟୀ, ୨୦୧୪ ରୁ ୨୦୨୨ ପର୍ଯ୍ୟନ୍ତ ଗର୍ଭନିରୋଧକ ଔଷଧର ବ୍ୟବହାର ସ୍ଥିର ରହିଛି । ୧୫ ବର୍ଷର ଝିଅମାନଙ୍କ ମଧ୍ୟରୁ ୨୬ ପ୍ରତିଶତ ଶେଷ ଥର ଶାରୀରିକ ସମ୍ପର୍କ ସ୍ଥାପନ ସମୟରେ ଏହି ଔଷଧ ବ୍ୟବହାର କରିଥିଲେ । ନିମ୍ନ ମଧ୍ୟବିତ୍ତ ପରିବାରର ୩୩% କିଶୋର କଣ୍ଡୋମ କିମ୍ବା ଜନ୍ମ ନିୟନ୍ତ୍ରଣ ବଟିକା ବ୍ୟବହାର କରି ନ ଥିବାବେଳେ ଉଚ୍ଚ ଶ୍ରେଣୀର ପରିବାରର କିଶୋରମାନଙ୍କ ସଂଖ୍ୟା ୨୫% ଥିଲା । ଡବ୍ଲ୍ୟୁଏଚ୍ଓ ୟୁରୋପର ନିର୍ଦ୍ଦେଶକ ହାନ୍ସ କ୍ଲୁଗ କହିଛନ୍ତି, ଆଜି ମଧ୍ୟ ୟୁରୋପର ଅନେକ ଦେଶରେ ଯୌନ ଶିକ୍ଷା ଦିଆଯାଉ ନାହିଁ । ସଠିକ ସମୟରେ ଅସୁରକ୍ଷିତ ଯୌନ ସମ୍ପର୍କର ବିପଦ ଏବଂ ଅସୁବିଧା ବିଷୟରେ ଯୁବତୀଯୁବକମାନଙ୍କୁ ନ କହିବା କାରଣରୁ ଏହି ପ୍ରକାର ସମସ୍ୟା ମଧ୍ୟ ବଢୁଛି ।










