ଭୁବନେଶ୍ୱର: ଉତ୍ତର ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଯାହା ଫଳରେ ରାଜ୍ୟରେ ଆଗାମୀ ତିନିଦିନ ଧରି ବର୍ଷା ହେବାର ସମ୍ଭାବନା ରହିଛି। ତେବେ କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ମଧ୍ୟ ରହିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ,ଆସନ୍ତା ୨୪ଘଣ୍ଟା ମଧ୍ୟରେ ଅର୍ଥାତ ରବିବାର କେନ୍ଦୁଝର ଓ ମୟୂରଭଞ୍ଜ ଜିଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ଏସବୁ ଜିଲାରେ ୭୦ରୁ ୨୦୦ମିମି ବର୍ଷା ହେବାର ଆଶଙ୍କା ରହିଛି। ସେଥିପାଇଁ ଏହି ଦୁଇଟି ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ସମୟ ମଧ୍ୟରେ ମଧ୍ୟ ମାଲକାନଗିରି, କୋରାପୁଟ, ଝାରସୁଗୁଡ଼ା, ସୁନ୍ଦରଗଡ଼, ଅନୁଗୋଳ, ଢେଙ୍କାନାଳ, କଟକ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର ଜିଲାର ଗୋଟିଏ ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ତେଣୁ ଏହି ସବୁ ଜିଲାଗୁଡ଼ିକୁ ମଧ୍ୟ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି। ତବେ ଆଗାମୀ ୫ଦିନ ପାଇଁ ରାଜ୍ୟର ବିଭିତ୍ତ ସ୍ଥାନରେ ବଜ୍ରପାତ ହେବାର ସମ୍ଭାବନା ରହିଛି। ବିଶେଷ କରି ଉତ୍ତର ଓଡ଼ିଶାର ଅଧିକାଂଶ ଜିଲାରେ ବଜ୍ରପାତ ହେବାର ଆଶଙ୍କା ରହିଛି ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।
୨୭ ଏବଂ ୨୮ ତାରିଖରେ ବର୍ଷା କମିବା ସହ ୨୯ ତାରିଖରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ତାହାର ପ୍ରଭାବରେ ଅଗଷ୍ଟ ୩୧ ରୁ ସେପ୍ଟେମ୍ବର ୩ ତାରିଖ ପର୍ଯ୍ୟନ୍ତ ପୁଣି ପ୍ରବଳ ବର୍ଷା ନେଇ ପାଣିପାଗ କେନ୍ଦ୍ର ଆକଳନ କରିଛି। ସେହିପରି ଜୁନ ୧ ରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ସ୍ୱାଭାବିକଠାରୁ ୧୧ ପ୍ରତିଶତ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଥିବା ଜଣାପଡିଛି।
ଅପରପକ୍ଷେ ରାଜ୍ୟରେ ଶୁକ୍ରବାରରୁ ଶନିବାର ସକାଳ ଭିତରେ ସମ୍ବଲପୁରର ବାମରାରେ ୧୬୭.୮ ମିଲିମିଟର ବର୍ଷା ହୋଇଥିବା ବେଳେ ସୁନ୍ଦରଗଡ଼ରେ ୧୪୧.୪ମିମି, ସୁନ୍ଦରଗଡ଼ ଟାଙ୍ଗରପଲ୍ଲୀରେ ୧୩୪.୪, କୁତ୍ରାରେ ୧୨୫.୧, ରାଜଗାଙ୍ଗପୁରରେ ୧୨୪.୪ମିମି ବର୍ଷା ହୋଇଛି। ସେହିଭଳି ଶନିବାର ସକାଳ ସାଢ଼େ ୮ଟାରୁ ସନ୍ଧଶ ସାଢ଼େ ୬ଟା ମଧ୍ୟରେ ଝାରସୁଗୁଡ଼ାରେ ସର୍ବାଧିକ ୨୮.୪ମିମି ବର୍ଷା ହୋଇଥିବା ବେଳେ ତାଳଚେର ୨୨, ସୁନ୍ଦରଗଡ଼ରେ ୧୯, କଟକ ୧୭, ଯାଜପୁର ୧୫, ପାରଳାଖେମୁଣ୍ଡି ୧୪.୨ମିମି ବର୍ଷା ହୋଇଛି।
ସେହିପରି ଉପମୁଣ୍ଡରେ ବର୍ଷା ଯୋଗୁଁ ହୀରାକୁଦର ଆଉ ୮ଟି ଗେଟ୍ ଖୋଲାଯାଇଛି। ବର୍ତ୍ତମାନ ସୁଦ୍ଧା ମୋଟ ୧୪ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ଜାରି ରହିଛି। ଡ୍ୟାମ୍ର ବାମ ପାଶ୍ୱର୍ର ୯ଟି ଓ ଡାହାଣ ପାଶ୍ୱର୍ରୁ ୫ଟି ଗେଟ୍ ଖୋଲା ରହିଛି। ଉପର ମୁଣ୍ଡରେ ବର୍ଷା ବଢ଼ିଥିବାରୁ ଜଳଭଣ୍ଡାରକୁ ଇନଫ୍ଲୋ ବଢ଼ିଛି। ଆଉଟ୍ଫ୍ଲୋ ସମାନ ରଖିବା ପାଇଁ ଆଉ ୮ଟି ଗେଟ୍ ଖୋଲିଥିବା ଡ୍ୟାମ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଗତ ଗୁରୁବାର ଦିନ ୬ଟି ଗେଟ୍ ଖୋଲାଯାଇଥିଲା।










