17.1 C
Bhubaneswar
Friday, December 26, 2025
Homeଦେଶ ବିଦେଶପୋଲିସକୁ ଭର୍ତ୍ସନା କଲେ ବମ୍ୱେ ହାଇକୋର୍ଟ

ପୋଲିସକୁ ଭର୍ତ୍ସନା କଲେ ବମ୍ୱେ ହାଇକୋର୍ଟ

ମୁମ୍ୱାଇ: ବଦଲାପୁର ସ୍କୁଲରେ ଯୌନ ଉତ୍ପୀଡନର ଶିକାର ହୋଇଥିବା ଦୁଇ କୁନି ଝିଅଙ୍କ ମାମଲାରେ ବମ୍ୱେ ହାଇକୋର୍ଟ ସ୍କୁଲ ପ୍ରଶାସନ ଏବଂ ପୋଲିସକୁ କଡ଼ ଶବ୍ଦରେ ଭର୍ତ୍ସନା କରିଛନ୍ତି । କୋର୍ଟ ମାମଲାରେ ସ୍ୱତଃ ସଜ୍ଞାନ ନେଇ କହିଛନ୍ତି ଯେ ଏ କିଭଳି ସ୍ଥିତି ସୃଷ୍ଟି ହୋଇଛି, ପୋଲିସ ଆକ୍ସନ ପାଇଁ ଲୋକଙ୍କୁ ରାସ୍ତାକୁ ଓହ୍ଲାଇବାକୁ ପଡ଼ୁଛି । ଶୁଣାଣି ବେଳେ ହାଇକୋର୍ଟ ସ୍ଥାନୀୟ ପୋଲିସ ଉପରେ ବର୍ଷିବା ସହ ଘଟଣା ବିଷୟରେ ସଠିକ୍ ସମୟରେ ରିପୋର୍ଟ କରିନଥିବାରୁ ସ୍କୁଲ ପ୍ରଶାସନାକୁ କଡ଼ା ପ୍ରଶ୍ନ କରିଛନ୍ତି । ଏହାସହ କୋର୍ଟ ପଚାରିଛନ୍ତି,ଯଦି ସ୍କୁଲ ହିଁ ସୁରକ୍ଷିତ ସ୍ଥାନ ନୁହେଁ, ତେବେ ଶିକ୍ଷାର ଅଧିକାର କଥା କହିବାର ଲାଭ କ’ଣ…? । ବମ୍ୱେ ହାଇକୋର୍ଟ ଗୁରୁବାର ବଦଲାପୁର ସ୍କୁଲରେ ଦୁଇ ନାବାଳିକାଙ୍କ ସହ ଯୌନ ଉତ୍ପୀଡନ ମାମଲାକୁ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ବୋଲି କହିଛନ୍ତି ।

ନ୍ୟାୟମୂର୍ତ୍ତି ରେବତୀ ମୋହିତେ ଡେରେ ଏବଂ ଜଷ୍ଟିସ୍ ପୃଥ୍ୱୀରାଜ ଚୌହାନଙ୍କ ଖଣ୍ଡପୀଠ କହିଛନ୍ତି ଯେ ଘଟଣା ବିଷୟରେ ଅବଗତ ଥିବା ସତ୍ତ୍ୱେ ରିପୋର୍ଟ କରିନଥିବା ସ୍କୁଲ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଦରକାର । ଅଗଷ୍ଟ ୧୨ ଏବଂ ୧୩ରେ ବଦଲାପୁରର ଏକ ସ୍କୁଲର ଶୌଚାଳୟରେ ଦୁଇ ନାବାଳିକାଙ୍କ ସହ ଯୌନ ଉତ୍ପୀଡନ ହୋଇଥିଲା । ହାଇକୋର୍ଟ ଏହି ଘଟଣାରେ ସ୍ୱତଃ ସଜ୍ଞାନ ନେଇଛନ୍ତି । କୋର୍ଟଙ୍କ ଦସ୍ତାବିଜ ଅନୁସାରେ, ଅଗଷ୍ଟ ୧୬ରେ ଏଫଆଇଆର ରୁଜୁ କରାଯାଇଥିଲା ଏବଂ ଅଭିଯୁକ୍ତକୁ ଅଗଷ୍ଟ ୧୭ରେ ଗିରଫ କରାଯାଇଥିଲା । ହାଇକୋର୍ଟଙ୍କ ଡିଭିଜନ୍ ବେଞ୍ଚ ପୋଲିସ ପ୍ରଶାସନର କାର୍ଯ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି । କୋର୍ଟ କହିଛନ୍ତି, ‘ପୋଲିସ ମେସିନାରୀ ସେପର୍ଯ୍ୟନ୍ତ ଶୋଇ ରହିଥାଏ, ଯେପର୍ଯ୍ୟନ୍ତ ଜନତା ବିରୋଧ ଏବଂ ଆକ୍ରୋଶ ସହ ରାସ୍ତାକୁ ଓହ୍ଲାଇ ନାହାନ୍ତି ।

ବିଳମ୍ୱରେ ଏଫଆଇଆର ରୁଜୁ କରିବା ଉପରେ ମଧ୍ୟ କୋର୍ଟ ପୋଲିସକୁ ଜବାବ ମାଗିଛନ୍ତି । ଏହାସହ କୋର୍ଟ ଦ୍ୱିତୀୟ ପୀଡ଼ିତାଙ୍କ ଏବେ ସୁଦ୍ଧା ବୟାନ ରେକର୍ଡ କରାନଯିବା ଉପରେ ଆଶ୍ଚର୍ଯ୍ୟ ବ୍ୟକ୍ତ କରିଛନ୍ତି । ଖଣ୍ଡପୀଠ କହିଛନ୍ତି ଏହା ଆଶ୍ଚର୍ଯ୍ୟର କଥା ଯେ ବଦଲାପୁର ପୋଲିସ ମାମଲାରେ ଠିକ୍ ତଦନ୍ତ କରିନାହିଁ । କୋର୍ଟ ପ୍ରଶ୍ନ କରିଛନ୍ତି, ‘ଏପରି ସଙ୍ଗୀନ ମାମଲା ଯେଉଁଠି ତିନି ଏବଂ ଚାରି ବର୍ଷର ଝିଅଙ୍କ ଯୌନ ଉତ୍ପୀଡନ କରାଯାଉଛି…ପୋଲିସ କିପରି ଏହାକୁ ହାଲୁକାରେ ନେଇପାରେ ।’ ଖଣ୍ଡପୀଠ କହିଛନ୍ତି ଯେ ବଦଲାପୁର ପୋଲିସ ଯେପରି ଭାବେ ମାମଲାର ତଦନ୍ତ କରିଛି ସେଥିରେ ସେ ଆଦୌ ଖୁସି ନାହାନ୍ତି । ହାଇକୋର୍ଟ କହିଛନ୍ତି, ‘ପୀଡିତାଙ୍କୁ ନ୍ୟାୟ ମିଳୁ ଏବଂ ପୋଲିସର ମଧ୍ୟ ଏଥିରେ ଇଚ୍ଛା ରହୁ ଆମେ କେବଳ ତାହା ଚାହୁଁଛୁ ।’ ପୀଡ଼ିତା ଏବଂ ତାଙ୍କ ପରିବାରକୁ ଯଥାସମ୍ଭବ ସହାୟତା ପ୍ରଦାନ ପାଇଁ ପୋଲିସକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ଖଣ୍ଡପୀଠ ମାମଲାର ତଦନ୍ତ ପାଇଁ ସରକାରଙ୍କ ଦ୍ୱାରା ଗଠନ କରାଯାଇଥିବା ଏସଆଇଟିକୁ ଅଗଷ୍ଟ ୨୭ ସୁଦ୍ଧା ରିପୋର୍ଟ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking