ନୂଆଦିଲ୍ଲୀ : ଏୟାର ଇଣ୍ଡିଆ ବିମାନ ଉପରେ ୯୦ ଲକ୍ଷ ଟଙ୍କାର ଜରିମାନା। ଅଯୋଗ୍ୟ କ୍ରୁ ମେମ୍ବରଙ୍କୁ ନେଇ ଉଡ଼ାଣ ଭରିବା ଏୟାର ଇଣ୍ଡିଆକୁ ଭାରି ପଡ଼ିଛି। ଏଭଳି କରିଥିବାରୁ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ବା ଡିଜିସିଏ ଏୟାର ଇଣ୍ଡିଆ ଉପରେ ୯୦ ଲକ୍ଷ ଟଙ୍କାର ଜରିମାନା ଲଗାଇଛି। ଏହା ବ୍ୟତୀତ ନିର୍ଦ୍ଦେଶାଳୟ, ଏୟାର ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ଏବଂ ପ୍ରଶିକ୍ଷଣ ନିର୍ଦ୍ଦେଶକଙ୍କ ଉପରେ କ୍ରମଶଃ ୬ ଲକ୍ଷ ଟଙ୍କା ଏବଂ ତିନି ଲକ୍ଷ ଟଙ୍କାର ଜରିମାନା ଲଗାଇଛି। ଡିଜିସିଏର ଏକ ପ୍ରେସ ରିଲିଜ ଅନୁଯାୟୀ, ଏୟାର ଇଣ୍ଡିଆ ଲିମିଟେଡ ଜଣେ ‘ନନ୍ ଟ୍ରେନ୍ର ଲାଇନ୍ କ୍ୟାପ୍ଟେନ’କୁ ନେଇ ଉଡ଼ାଣ ଭରିଥିଲା। ନିର୍ଦ୍ଦେଶାଳୟ ଏହାକୁ ଏକ ସମ୍ବେଦନଶୀଳ ଘଟଣା ବୋଲି କହିବା ସହ ଏହାଦ୍ବାରା ଗୁରୁତର ସୁରକ୍ଷା ପରିସ୍ଥିତି ଉପୁଜିଥାନ୍ତା ବୋଲି କହିଛି। ଏହା ସହ ଡିଜିସିଏ ଉକ୍ତ ପାଇଲଟଙ୍କୁ ଭବିଷ୍ୟତରେ ଆଉ ଏଭଳି ନକରିବାକୁ ଚେତାବନୀ ମଧ୍ୟ ଦେଇଛି।










