ଶ୍ରୀନଗର: ଆଗାମୀ ଦିନରେ ଜମ୍ମୁ କାଶ୍ମୀରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ଜମ୍ମୁ କାଶ୍ମୀର ସମେତ ଜାତୀୟ ରାଜନୀତି ମଧ୍ୟ ସରଗରମ୍ ହୋଇପଡିଛି। ବିଶେଷକରି ୨୦୧୪ ପରଠାରୁ ପ୍ରଥମ ଥର ପାଇଁ ଏଠାରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ୨୦୧୪ରେ ତତ୍କାଳୀନ କେନ୍ଦ୍ର ସରକାର, ଜମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବା ସହ ଏହାକୁ କେନ୍ଦ୍ର ଶାସିତ ଅଞ୍ଚଳ ଘୋଷଣା କରିଥିଲେ। ସେବେଠାରୁ ସୁରକ୍ଷାଜନିତ ଦୃଷ୍ଟିକୋଣରୁ ଏଠାରେ ଆଉ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇନଥିଲା। କିନ୍ତୁ ଏବେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ନିର୍ବାଚନ ଆୟୋଗ ବିଧାନସଭା ନିର୍ବାଚନ ଅନୁଷ୍ଠିତ କରାଇବା ପାଇଁ ଅଣ୍ଟା ଭିଡିଛନ୍ତି। ନିର୍ବାଚନ ଆୟୋଗଙ୍କ ଘୋଷଣାନୁସାରେ ୧୮ ସେପ୍ଟେମ୍ବରରୁ ୧ ଅକ୍ଟୋବର ମଧ୍ୟରେ ୩ଟି ପର୍ଯ୍ୟାୟରେ ଏଠାରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ।
ଏସବୁ ମଧ୍ୟରେ କଂଗ୍ରେସ ଏବେ ଜମ୍ମୁ କାଶ୍ମୀରର ଆଞ୍ଚଳିକ ଦଳଙ୍କ ସହ ସନ୍ଧି କରିବାକୁ ଇଚ୍ଛାବ୍ୟକ୍ତ କରିଥିବା ଜଣାପଡିଛି। ରିପୋର୍ଟ ଅନୁସାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖର୍ଗେ ଆସନ୍ତା କାଲି ଅର୍ଥାତ୍ ବୁଧବାର ଦିନ ୨ଦିନିଆ ଜମ୍ମୁ କାଶ୍ମୀର ଗସ୍ତରେ ଯିବେ। ସେଠାରେ ଉଭୟ ନ୍ୟାସନାଲ କନ୍ଫରେନ୍ସି ମୁଖ୍ୟ ଫାରୁକ୍ ଅବଦ୍ଦୁଲ୍ଲା ଏବଂ ପିଡିପି ସୁପ୍ରିମୋ ମେହବୁବା ମୁଫ୍ତୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ସୁତରାଂ ଏମାନଙ୍କ ମଧ୍ୟରେ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଆଲୋଚନା ତଥା ମେଣ୍ଟ ହୋଇପାରେ ବୋଲି ଅନୁମାନ କରାଯାଉଛି। ପ୍ରକାଶ, ଏନ୍ସି ଏବେ ବିରୋଧୀ ଇଣ୍ଡିଆ ମେଣ୍ଟର ଅଂଶୀଦାର ଦଳ ରହିଥିଲେ ମଧ୍ୟ ପିଡିପି ଏପର୍ଯ୍ୟନ୍ତ ଇଣ୍ଡିଆ ମେଣ୍ଟରେ ସାମିଲ ହୋଇନାହିଁ।
କଂଗ୍ରେସ ସାଧାରଣ ସମ୍ପାଦକ କେ.ସି ଭେଣୁଗୋପାଲ କହିଛନ୍ତି ଉଭୟ ରାହୁଲ ଏବଂ ଖର୍ଗେ ୨୧ ଅଗଷ୍ଟ ଅପରାହ୍ନରେ ଜମ୍ମୁରେ ଏବଂ ୨୨ ଅଗଷ୍ଟରେ ଶ୍ରୀନଗରରେ ରହିବେ। ଉଭୟ ନେତା ଦଳୀୟ ନେତାଙ୍କ ସହ ସ୍ଥାନୀୟ ଆଞ୍ଚଳିକ ନେତାଙ୍କ ସହ ନିର୍ବାଚନ ପ୍ରସ୍ତୁତି ବିଷୟରେ ଆଲୋଚନା କରିବେ। ସନ୍ଧ୍ୟାରେ ଏକ ସାମ୍ବାଦିକ ସମ୍ମିଳନୀ କରାଯିବ। ଭେଣୁଗୋପାଳଙ୍କ କହିବାନୁସାରେ ଜମ୍ମୁ କାଶ୍ମୀରରେ ଏନ୍ସି-ପିଡିପିକୁ ଏକାଠି କରିବାକୁ କଂଗ୍ରେସ ଚେଷ୍ଟା କରୁଛି। ଜମ୍ମୁ କାଶ୍ମୀରରେ ମିଳିତ ମଞ୍ଚ ଗଠନ କରିବାର ଉଦ୍ଦେଶ୍ୟ ହେଉଛି ବିଜେପିକୁ ପରାସ୍ତ କରିବା। ଏଥିପାଇଁ ସମାନ ଚିନ୍ତାଧାରା ଥିବା ଦଳଗୁଡ଼ିକୁ ଏକାଠି ହେବାକୁ ପଡ଼ିବ। ଅନ୍ୟପକ୍ଷେ ଜମ୍ମୁ କାଶ୍ମୀରର ଅନ୍ୟତମ ଚର୍ଚ୍ଚିତ ରାଜନେତା ତଥା ପୂର୍ବତନ କଂଗ୍ରେସ ନେତା ଗୁଲାମନବୀ ଆଜାଦ୍ଙ୍କୁ କଂଗ୍ରେସ ଏବେ ପୁଣିଥରେ ଦଳକୁ ଫେରାଇନେବାକୁ ଇଚ୍ଛା ବ୍ୟକ୍ତ କରିଛି। କିନ୍ତୁ ଗୁଲାମ୍ ନବୀଙ୍କ ଦଳ ପକ୍ଷରୁ ଏପ୍ରକାର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନେ କରାଯାଇଛି।










