ନୂଆଦିଲ୍ଲୀ : ମଙ୍ଗଳବାର ରାଷ୍ଟ୍ରପତି ଭବନ ସାଂସ୍କୃତିକ କେନ୍ଦ୍ରରେ ଆୟୋଜିତ ଏକ ଭବ୍ୟ ସମାରୋହରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ, ନ୍ୟାସନାଲ ଜିଓ ସାଇନ୍ସ ସମ୍ମାନ-୨୦୨୩ ପ୍ରଦାନ କରିଛନ୍ତି। ଏହି ଅବସରରେ ଶ୍ରୀମତୀ ମୁର୍ମୁ କହିଛନ୍ତି ଯେ, ୨୦୪୭ ସୁଦ୍ଧା ଭାରତ ଏକ ବିକଶିତ ରାଷ୍ଟ୍ର ହେବାର ଲକ୍ଷ୍ୟ ହାସଲ କରିବା ପାଇଁ ଖଣିଜ ଉତ୍ପାଦନରେ ଆତ୍ମନିର୍ଭରଶୀଳ ହେବା ଅତ୍ୟନ୍ତ ଜରୁରୀ। ତେବେ ଭାରତ ସରକାର ଏଦିଗରେ ନ୍ୟାସନାଲ ଜିଓ ସାଇନ୍ସ ଡାଟା ରେପୋଜିଟୋରୀ ପୋର୍ଟାଲ ମାଧ୍ୟମରେ ଜିଓ ସାଇଣ୍ଟିଫିକ୍ ତଥ୍ୟର ଏକୀକରଣ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)ର ବ୍ୟବହାର ଏବଂ ଖଣିଜ ସମ୍ପଦ ଅନୁସନ୍ଧାନ ଏବଂ ଖଣିରେ ଉଦୀୟମାନ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଭଳି ଅନେକ ପଦକ୍ଷେପ ନେଉଥିବାରୁ ସେ ଅତ୍ୟନ୍ତ ଖୁସି ଅନୁଭବ କରୁଛନ୍ତି। ଆଗାମୀ ଦିନରେ ଏହି ପଦକ୍ଷେପଗୁଡିକ ପ୍ରାକୃତିକ ସମ୍ପଦକୁ ଭଲ ଭାବେ ବୁଝିବା ଏବଂ ଏହାର ସଠିକ୍ ବିନିଯୋଗ କରିବା ଦିଗରେ ଆମକୁ ସକ୍ଷମ କରିବ ବୋଲି ରାଷ୍ଟ୍ରପତି ଆଶାବ୍ୟକ୍ତ କରିଛନ୍ତି।
ରାଷ୍ଟ୍ରପତି କହିଛନ୍ତି, ନିରନ୍ତର ବିକାଶ ଦିଗରେ ଗତି କରୁଥିବା ଭାରତ ଶୂନ୍ୟ ଅଙ୍ଗାରକାମ୍ଳ ନିର୍ଗମନ ପାଇଁ ପ୍ରତିଶ୍ରୁତିବଦ୍ଧ ଅଟେ। ବୃହତ ପରିମାଣର ସ୍ୱଚ୍ଛ ଶକ୍ତି ଗ୍ରହଣ କରିବାକୁ ଆମର ପ୍ରୟାସ ଏହି ଲକ୍ଷ୍ୟ ସହିତ ମେଳ ଖାଉଛି। ସବୁଜ ପରିବର୍ତ୍ତନ ଦିଗରେ ଖଣିଜ ଉପାଦାନ ଅତ୍ୟନ୍ତ ଜରୁରି। ଏହି ପରିପ୍ରେକ୍ଷୀରେ ନ୍ୟାସନାଲ୍ କ୍ରିଟିକାଲ୍ ମିନେରାଲ୍ସ ମିଶନ୍ ପ୍ରତିଷ୍ଠା ଭାରତକୁ ଆତ୍ମନିର୍ଭରଶୀଳ କରିବାରେ ସାହାଯ୍ୟ କରିବ ଏବଂ ଅର୍ଥନୈତିକ ବିକାଶ ତଥା ସବୁଜ ପରିବର୍ତ୍ତନ ପାଇଁ ଆବଶ୍ୟକ ଖଣିଜ ପଦାର୍ଥର ମୂଲ୍ୟ ଶୃଙ୍ଖଳାକୁ ସୁଦୃଢ଼ କରିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ସେହିପରି କୋଲକାତାରେ ନ୍ୟାସ୍ନାଲ ଲ୍ୟାଣ୍ଡସ୍ଲାଇଡ୍ ପୂର୍ବାନୁମାନ କେନ୍ଦ୍ର ପ୍ରତିଷ୍ଠା କରାଯିବା ନେଇ ରାଷ୍ଟ୍ରପତି ଖୁସିବ୍ୟକ୍ତ କରିଛନ୍ତି। ଏହି ଲ୍ୟାଣ୍ଡସ୍ଲାଇଡ୍ ପୂର୍ବାନୁମାନ କେନ୍ଦ୍ର ସମସ୍ତ ଭୂସ୍ଖଳନପ୍ରବଣ ରାଜ୍ୟ ପାଇଁ ଆଗୁଆ ସତର୍କ ସୂଚନା ପ୍ରଦାନ କରିବ, ଯାହାଦ୍ୱାରା କ୍ଷୟକ୍ଷତିଜନିତ ବ୍ୟାପକତାକୁ ସୀମିତ କରାଯାଇପାରିବ। ଦେଶର ଭୌଗୋଳିକ ଇତିହାସ ଏହାର ପଥର, ସମତଳ, ଜୀବାଶ୍ମ ଏବଂ ସାମୁଦ୍ରିକ ଶଯ୍ୟାରେ ରେକର୍ଡ କରାଯାଇଛି ଏବଂ ଆମେ ଏହାକୁ ଆମର ଐତିହ୍ୟ ବୋଲି କହିପାରିବା। ଜିଓ ପର୍ଯ୍ୟଟନ ଏବଂ ଜିଓ-ଐତିହ୍ୟ ସ୍ଥଳର ମହତ୍ତ୍ୱ ବୁଝିବାକୁ ରାଷ୍ଟ୍ରପତି ଦେଶର ଯୁବଗୋଷ୍ଠୀଙ୍କୁ ଅନୁରୋଧ କରିଥିଲେ। ସେ କହିଥିଲେ ଯେ ଜିଓ-ଟୁରିଜିମ୍ ଏକ ମାଧ୍ୟମ ହୋଇପାରେ ଯାହା ଲୋକଙ୍କୁ ଭୂବିଜ୍ଞାନ କ୍ଷେତ୍ରରେ ଯୋଗଦେବାକୁ ଉତ୍ସାହିତ କରିବ।
ସୂଚନାଯୋଗ୍ୟ, ଜାତୀୟ ଜିଓ ସାଇନ୍ସ ପୁରସ୍କାର ଖଣି ମନ୍ତ୍ରଣାଳୟ, ଭାରତ ସରକାରଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଛି। ଏହି ପୁରସ୍କାର ମାଧ୍ୟମରେ ବ୍ୟକ୍ତିବିଶେଷ ତଥା ଗୋଷ୍ଠୀଙ୍କୁ ଭୂବିଜ୍ଞାନର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ତଥା ଅସାଧାରଣ ସଫଳତା ପାଇଁ ସମ୍ମାନିତ କରାଯାଇପାରିବ।










