ଭୁବନେଶ୍ୱର: ଆସନ୍ତା ଜୁନ ୨୧ ତାରିଖ ରବିବାର ଦିନ ନିଟ- ୟୁଜି ପୁନଃ ପରୀକ୍ଷା ଅନୁଷ୍ଠିତ ହେବାକୁ ଯାଉଛି । ଏହି ପରୀକ୍ଷାକୁ ସୁରୁଖୁରୁରେ ଏବଂ ସ୍ୱଚ୍ଛତାର ସହ ସମ୍ପାଦନ କରିବା ପାଇଁ ଜାତୀୟ ପରୀକ୍ଷା ଏଜେନ୍ସି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ପରୀକ୍ଷାର ଦିନକ ପୂର୍ବରୁ ଅର୍ଥାତ ଆଜି ଏନଟିଏ ଦେଶବ୍ୟାପୀ ଏକ ମକଡ୍ରିଲ ପରିଚାଳନା କରୁଛି । ପରୀକ୍ଷାରେ କୌଣସି ପ୍ରକାର ଅନିୟମିତତା ବା ଜାଲିଆତିକୁ ରୋକିବା ପାଇଁ କେନ୍ଦ୍ର ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ବିଶେଷ କରି ପ୍ରକ୍ସି ପ୍ରାର୍ଥୀ ବ୍ୟବସ୍ଥାକୁ ରୋକିବା ପାଇଁ ନ୍ୟାସନାଲ ମେଡିକାଲ କମିସନ ଏକ ବଡ ନିଷ୍ପତ୍ତି ନେଇଛି । ଜୁନ ୨୦ ଏବଂ ୨୧ ତାରିଖରେ ମେଡିକାଲ ଛାତ୍ରମାନଙ୍କ ଛୁଟି ମଞ୍ଜୁର ନକରିବାକୁ ସମସ୍ତ ମେଡିକାଲ କଲେଜଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି । କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ଅଧୀନରେ ଥିବା ଉଚ୍ଚ ଶିକ୍ଷା ବିଭାଗର ପରାମର୍ଶ କ୍ରମେ ଏହି ପଦକ୍ଷେପ ନିଆଯାଇଛି । ସୂଚନା ଯୋଗ୍ୟ ଯେ, ଚଳିତ ବର୍ଷ ନିଟ ପରୀକ୍ଷା ପାଇଁ ଦେଶରେ ୫ ହଜାରରୁ ଅଧିକ ପରୀକ୍ଷା କେନ୍ଦ୍ର କରାଯାଇଛି ।










