ଶ୍ରୀନଗର: ସୋମବାର ଜମ୍ମୁ ଓ କଶ୍ମୀରର ଉଧମପୁର ଜିଲ୍ଲାର ଡାଡ଼ୁ ଅଞ୍ଚଳରେ ଆତଙ୍କବାଦୀଙ୍କ ପକ୍ଷରୁ ଅତର୍କିତ ଆକ୍ରମଣ ହୋଇଛି । ଏଥିରେ ଜଣେ ସିଆରପିଏଫ୍ ଅଫିସର ସହିଦ୍ ହୋଇଛନ୍ତି । ସହିଦ୍ ଅଫିସରଜଣକଙ୍କ ନାମ କୁଲଦୀପ ଏବଂ ସେ ୧୮୭ତମ ସିଆରପିଏଫ୍ ବାଟାଲିୟନ୍ର ଜି କମ୍ପାନୀରେ ଜଣେ ଇନ୍ସପେକ୍ଟର ର୍ୟାଙ୍କ୍ରେ ଅବସ୍ଥାପିତ ଥିଲେ । ତେବେ ଡାଡ଼ୁ ପୁଲିସ୍ ଷ୍ଟେସନଠାରୁ ପ୍ରାୟ ୮ କିଲୋମିଟର ଦୂରରେ ସିଆରପିଏଫ୍ର ଏକ ଆଉଟ୍ପୋଷ୍ଟ ନିର୍ମାଣ ଚାଲିଥିବାବେଳେ ଆତଙ୍କବାଦୀଙ୍କ ପକ୍ଷରୁ ଆକ୍ରମଣ ହୋଇଥିବା ସିଆରପିଏଫ୍ ଦର୍ଶାଇଛି ।
ସିଆରପିଏଫ୍ର ଏହି ଆଉଟ୍ପୋଷ୍ଟ ନିର୍ମାଣ କାର୍ଯ୍ୟ ଶେଷ ହେଲେ ସିଆରପିଏଫ୍ର ଏକ ବାଟାଲିୟନକୁ ଏଠାରେ ମୁତୟନ କରାଯିବ । ସୁତରାଂ ଏହି ଆଉଟ୍ପୋଷ୍ଟର ନିର୍ମାଣ କାର୍ଯ୍ୟର ଅଗ୍ରଗତି ଦେଖିବା ପାଇଁ ନିଜ ସହ ଏକ ଟିମ୍ ନେଇ ଏହି ଅଞ୍ଚଳକୁ ଆସିଥିବା ବେଳେ ସିଆରପିଏଫ୍ ଇନ୍ସପେକ୍ଟର ସହିଦ୍ ହୋଇଛନ୍ତି । ଆତଙ୍କବାଦୀମାନେ ଆମ୍ବୁଶ ଲଗାଇ ସେମାନଙ୍କ ଉପରେ ଗୁଳିମାଡ଼ କରିଥିବା କୁହାଯାଉଛି । ତେବେ ଘଟଣା ପରେ ଜମ୍ମୁ ପୁଲିସ, ସିଆରପିଏଫ୍ ଯବାନ ଏବଂ ଭାରତୀୟ ସେନା ପକ୍ଷରୁ ଏଠାରେ ମିଳିତ ସର୍ଚ୍ଚ ଅପରେସନ୍ ଆରମ୍ଭ କରାଯାଇଛି ।
ପ୍ରକାଶ, ଗତ କିଛି ମାସ ମଧ୍ୟରେ ଜମ୍ମୁ ଅଞ୍ଚଳରେ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଇଛି । ଜୁଲାଇ ମାସରେ ଡୋଡା ଜିଲ୍ଲାରେ ସେନାର ଜଣେ ଅଫିସରଙ୍କ ସମେତ ୪ ଜଣ ଯବାନ ସହିଦ୍ ହୋଇଥିଲେ । ଜମ୍ମୁ ଡିଭିଜନରେ ଥିବା କାଠୁଆ ଜିଲ୍ଲାରେ ଆତଙ୍କବାଦୀମାନେ ସେନାର ଏକ କନଭୟ ଉପରକୁ ଆକ୍ରମଣ କରିବାରୁ ଜଣେ ଜୁନିୟର କମିଶନ୍ଡ ଅଫିସରଙ୍କ ସମେତ ସେନାର ୫ ଜଣ ଯବାନ ସହିଦ୍ ହୋଇଥିଲେ । ୫ ଦିନ ତଳେ ଅର୍ଥାତ୍ ଅଗଷ୍ଟ ୧୪ ତାରିଖରେ ଡୋଡା ଜିଲ୍ଲାରେ ଏକ ଏନ୍କାଉଣ୍ଟର ବେଳେ ଆତଙ୍କବାଦୀଙ୍କ ଗୁଳିରେ ସେନାର ଜଣେ କ୍ୟାପ୍ଟେନ ସହିଦ୍ ହୋଇଥିଲେ ।










