25.9 C
Bhubaneswar
Monday, April 6, 2026
Homeଦେଶ ବିଦେଶବିଭ୍ରାନ୍ତକାରୀ ବିଜ୍ଞାପନ ମାମଲା: ବାବା ରାମଦେବ, ଆଚାର୍ଯ୍ୟ ବାଲକ୍ରିଷ୍ଣନଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି

ବିଭ୍ରାନ୍ତକାରୀ ବିଜ୍ଞାପନ ମାମଲା: ବାବା ରାମଦେବ, ଆଚାର୍ଯ୍ୟ ବାଲକ୍ରିଷ୍ଣନଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି

ନୂଆଦିଲ୍ଲୀ: ଯୋଗଗୁରୁ ବାବା ରାମଦେବ ଓ ପତଞ୍ଜଳି ଆୟୁର୍ବେଦର ପରିଚାଳନା ନିର୍ଦ୍ଦେଶକ ଆଚାର୍ଯ୍ୟ ବାଲକୃଷ୍ଣଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି । ପତଞ୍ଜଳି ବିରୋଧରେ ଆଗତ ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ମଙ୍ଗଳବାର ସୁପ୍ରିମକୋର୍ଟ ରାମଦେବ ଓ ସହଯୋଗୀ ବାଲକୃଷ୍ଣଙ୍କ କ୍ଷମା ପ୍ରାର୍ଥନା ଗ୍ରହଣ କରିଛନ୍ତି । ଏଥିସହ ପତଞ୍ଜଳି ବିରୋଧରେ ଆଗତ ମାନହାନି ମାମଲାକୁ ମଧ୍ୟ ସବୁଦିନ ପାଇଁ ବନ୍ଦ କରିଦେଇଛନ୍ତି । ଜଷ୍ଟିସ୍ ହିମା କୋହଲି ଏବଂ ଜଷ୍ଟିସ୍ ସନ୍ଦୀପ ମେହତା ଆଜି ଏହି ମାମଲାର ଶୁଣାଣି କରିବା ପୂର୍ବକ ଉପରୋକ୍ତ  ରାୟ ଶୁଣାଇଛନ୍ତି । ପ୍ରକାଶ, ପତଞ୍ଜଳି ପକ୍ଷରୁ କ୍ଷମାପ୍ରାର୍ଥନା କରାଯାଇସାରିଥିବାରୁ ମାନହାନି ମାମଲାର ଆଉ କୌଣସି ଆବଶ୍ୟକତା ନଥିବା ସୁପ୍ରିମକୋର୍ଟ ନିଜ ପୂର୍ବ ଶୁଣାଣି ସମୟରେ ସ୍ପଷ୍ଟ କରିଥିଲେ । ପ୍ରକାଶ, ଗତ ୧୪ ତାରିଖରେ ଏହି ମାମଲା ଉପରେ ଶୁଣାଣି କରି ସର୍ବୋଚ୍ଚ ନ୍ୟାୟାଳୟ ନିଜ ରାୟ ସଂରକ୍ଷିତ ରଖିଥିବା ବେଳେ ଆଜି ରାୟ ଶୁଣାଇଛନ୍ତି । ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ଖଣ୍ଡପୀଠ ବାବା ରାମଦେବ ଏବଂ ଆଚାର୍ଯ୍ୟ ବାଲକୃଷ୍ଣଙ୍କ କ୍ଷମା ପ୍ରାର୍ଥନାକୁ ଗ୍ରହଣ କରି ମାମଲା ବନ୍ଦ କରିଥିବା ନିଜ ରାୟରେ ସ୍ପଷ୍ଟ କରିଛନ୍ତି ।
୨୦୨୨ରେ ଭାରତୀୟ ମେଡିକାଲ ଆସୋସିଏସନ୍ ପକ୍ଷରୁ ବିଭ୍ରାନ୍ତିକର ବିଜ୍ଞାପନ ପ୍ରକାଶନ ଭଳି ଅଭିଯୋଗ ଆଧାରରେ ପତଞ୍ଜଳି ବିରୋଧରେ ସୁପ୍ରିମକୋର୍ଟରେ ଏକ ମାନହାନି ମୋକଦ୍ଦମା ଦାୟର କରାଯାଇଥିଲା । ଏହି ଆବେଦନରେ କୁହାଯାଇଥିଲା ଯେ, ପତଞ୍ଜଳିର ବିଜ୍ଞାପନରେ ଜୀବନଶୈଳୀ ସମ୍ବନ୍ଧୀୟ ବିକାର ଏବଂ ଅନ୍ୟାନ୍ୟ ରୋଗ ପାଇଁ ଚମତ୍କାର ଉପଶମ କରୁଥିବା ‘ଡ୍ରଗ୍ସ ଏବଂ ମ୍ୟାଜିକ ରିମେଡିଜ’ (ଆପତ୍ତିଜନକ ବିଜ୍ଞାପନ) ଅଧିନିୟମ, ୧୯୫୪ ଏବଂ ’ଡ୍ରଗ୍ସ ଏବଂ କସମେଟିକ୍ସ ରୁଲ୍ସ, ୧୯୫୪ ଅନୁଯାୟୀ ଆଇନ ଉଲ୍ଲଂଘନ କରାଯାଇଛି । ଏତଦ୍‌ବ୍ୟତୀତ ଏଥିରେ ଆଧୁନିକ ଔଷଧ ବିରୋଧରେ ରାମଦେବ ଏବଂ ପତଞ୍ଜଳି ଆୟୁର୍ବେଦ ପରିଚାଳନା ନିର୍ଦ୍ଦେଶକ ଆଚାର୍ଯ୍ୟ ବାଲକୃଷ୍ଣଙ୍କ ଅପମାନଜନକ ମନ୍ତବ୍ୟ ସମ୍ପର୍କରେ ମଧ୍ୟ ଉଲ୍ଲେଖ କରାଯାଇଥିଲା । ତେବେ ଏହି ମାମଲା ଉପରେ ସୁପ୍ରିମକୋର୍ଟ ପତଞ୍ଜଳିକୁ ନୋଟିସ୍ କରିଥିଲେ ଏବଂ ବିଜ୍ଞାପନ ଜରିଆରେ କ୍ଷମା ପ୍ରାର୍ଥନା କରିବାକୁ କହିଥିଲେ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଆସିବା ପରେ ପରେ ଉଭୟ ବାବା ରାମଦେବ ଓ ଆଚାର୍ଯ୍ୟ ବାଲକୃଷ୍ଣ ଏନେଇ ବିଧିବଦ୍ଧ ଭାବେ କ୍ଷମା ପ୍ରାର୍ଥନା କରିଥିଲେ । ଆଗକୁ ଏପରି ପ୍ରଚାର ପ୍ରସାର କରିବେ ନାହିଁ ବୋଲି ଲିଖିତ ପ୍ରତିଶୃତି ଦେବା ପରେ ସର୍ବୋଚ୍ଚ ଅଦାଲତ ସେମାନଙ୍କ କ୍ଷମା ଆବେଦନକୁ ଗ୍ରହଣ କରିଛନ୍ତି ।
ସୂଚନାଯୋଗ୍ୟ, ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ (ଆଇଏମ୍‌ଏ) ପକ୍ଷରୁ ପତଞ୍ଜଳି ବିରୋଧରେ କୋଭିଡ-୧୯ ଟିକାକରଣକୁ ନେଇ ଏକ ଅଭିଯାନ ଚଳାଇଥିବାର ଆରୋପ ଲଗାଇଥିଲା । ଆଇଏମ୍‌ଏ ପକ୍ଷରୁ ଦାଖଲ ହୋଇଥିବା ଆବେଦନରେ କୁହାଯାଇଥିଲା ଯେ ପତଞ୍ଜଳିର ବିଭ୍ରାନ୍ତିକର ବିଜ୍ଞାପନ ହେତୁ ଏଲୋପାଥି ଔଷଧ ଅବହେଳିତ ହେଉଛି । ଏହା ଉପରେ ସୁପ୍ରିମକୋର୍ଟ ଏକ ନୋଟିସ୍ ଜାରି ପୂର୍ବକ ପତଞ୍ଜଳି ଆୟୁର୍ବେଦୀୟ ଔଷଧ ସମ୍ପର୍କରେ ମିଥ୍ୟା ଏବଂ ବିଭ୍ରାନ୍ତିକର ବିଜ୍ଞାପନ ତୁରନ୍ତ ବନ୍ଦ କରୁ ବୋଲି ଚେତାବନୀ ଦେଇଥିଲେ । ଏପରିକି ନିର୍ଦ୍ଦିଷ୍ଟ ରୋଗକୁ ଠିକ୍ କରିବା ନେଇ ମିଥ୍ୟା ଦାବି କରୁଥିବା ପ୍ରତ୍ୟେକ ଉତ୍ପାଦ ପାଇଁ ୧ କୋଟି ଟଙ୍କା ପର୍ଯ୍ୟନ୍ତ ଜୋରିମାନା ହେବାର ସମ୍ଭାବନା ଥିବା ବୋଲି ଚେତାବନୀ ଦେଇଥିଲେ । ତେବେ ବିବାଦୀୟ ବିଜ୍ଞାପନ ପାଇଁ ଆଇଏମ୍‌ଏ ଦ୍ୱାରା ଦାଖଲ ହୋଇଥିବା ଅପରାଧିକ ମାମଲାର ସମ୍ମୁଖୀନ ହୋଇଥିବା ରାମଦେବ ଏବଂ ଆଚାର୍ଯ୍ୟ ବାଲକୃଷ୍ଣ ଏହି ମାମଲା ରଦ୍ଦ କରିବାକୁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ରାମଦେବଙ୍କ ବିରୋଧରେ ଭାରତୀୟ ପିଙ୍ଗଳ କୋଡ୍‌(ଆଇପିସି)ର ଧାରା ୧୮୮, ୨୬୯, ୫୦୪ରେ ମାମଲା ରୁଜୁ ହୋଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking