ସମ୍ବଲପୁର : ହୀରାକୁଦ ଜଳଭଣ୍ଡାରରେ ଆଉ ୪ଟି ଗେଟ୍ ବନ୍ଦ କରାଯାଇଛି । ଏବେ ୨ଟି ଗେଟ୍ ଦେଇ ହୀରାକୁଦ ଜଳଭଣ୍ଡାରରୁ ଜଳ ନିଷ୍କାସନ କରାଯାଉଛି । ରାଜ୍ୟରେ ବର୍ଷାର ପରିମାଣ ବଢ଼ିବାରେ ଲାଗିଛି । ସେଥିପାଇଁ ହୀରାକୁଦ ଜଳଭଣ୍ଡାର ଗେଟ୍ ବନ୍ଦ କରାଯାଇଛି । ବର୍ଷା ଜଳ ଓ ଜଳଭଣ୍ଡାର ଜଳ ଯୋଗୁ ଚାଷୀମାନେ ହନ୍ତସନ୍ତ ହେଉଛନ୍ତି । ସେମାନଙ୍କ ଫସଲ ନଷ୍ଟ ମଧ୍ୟ ହୋଇଯାଉଛି । ସେଥିପାଇଁ ହୀରାକୁଦ ଜଳଭଣ୍ଡାରର ବାମ ପାର୍ଶ୍ଵ ଓ ଡାହାଣ ପାର୍ଶ୍ଵରୁ ଗୋଟିଏ ଗେଟ୍ ଦେଇ ଜଳ ନିଷ୍କାସନ କରାଯାଉଛି । ସକ୍ରିୟ ମୌସୁମୀ ପ୍ରଭାବ ସହ ଝାଡ଼ଖଣ୍ଡ ଓ ସଂଲଗ୍ନ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, କେନ୍ଦୁଝର, ଦେବଗଡ଼ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବ ।










