ନୂଆଦିଲ୍ଲୀ : ବିଦେଶୀଙ୍କୁ ସ୍ଥାୟୀତ୍ୱ ଦେବା ନେଇ ବ୍ରିଟେନରେ ଦଙ୍ଗା ହେବା ପରେ କୋଠର ହେଲେ ପ୍ରଧାନମନ୍ତ୍ରୀ କେୟାର ଷ୍ଟାର୍ମର । ଦେଶରୁ ବିଦେଶୀଙ୍କ ସଂଖ୍ୟା କମାଇବା ପାଇଁ ଇମିଗ୍ରେସନ ଆଇନରେ ବଡ଼ ପରିବର୍ତ୍ତନ ନେଇ ଚିନ୍ତା କରୁଛନ୍ତି ସରକାର । ଏହି ଆଇନ ଲାଗୁ ହେଲେ ବିଶେଷ କରି ଭାରତୀୟ ଆଇଟି ପ୍ରଫେସନାଲ ମାନେ ପ୍ରଭାବିତ ହେବାର ଆଶଙ୍କା ଦେଖାଦେଇଛି । ସରକାର ବଦଳିବା ପରେ ବ୍ରିଟେନରେ ଦେଖାଦେଇଥିବା ହିଂସାକୁ ନେଇ ଏବେ ଅସୁବିଧାରେ ପଡିବାକୁ ଯାଉଛନ୍ତି ପ୍ରବାସୀ ମାନେ । ବ୍ରିଟେନରେ ବସବାସ କରୁଥିବା ବିଦେଶୀ ନାଗରିକଙ୍କ ପାଇଁ ଆଗକୁ ଆଇନ ଆହୁରି କଡ଼ାକଡି କରିପାରନ୍ତି ବ୍ରିଟେନର ନୂଆ ଲେବର ସରକାର । ବ୍ରିଟେନର ଇମିଗ୍ରେସନ ପଲିସିକୁ ବଦଳାଇବା ପାଇଁ ସଙ୍କେତ ଦେଇଛନ୍ତି କେୟର ଷ୍ଟାର୍ମର୍ ।
ବ୍ରିଟେନ ନିର୍ବାଚନରେ ବିଦେଶୀ ଶରଣାର୍ଥୀ ସମ୍ବନ୍ଧୀୟ ନିୟମକୁ ପ୍ରସଙ୍ଗ କରିଥିଲା ବିରୋଧୀ ଲେବର ପାର୍ଟି । ପୂର୍ବତନ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଦଳ କଞ୍ଜରଭେଟିବକୁ ଲିବେରାଲ ଓ ଶରଣାର୍ଥୀ ତୁଷ୍ଟିକରଣ ରାଜନୀତି କରୁଥିବା ଅଭିଯୋଗ ଲଗାଇଥିଲା । ଫଳରେ ସୁନକ ନିର୍ବାଚନରେ ପରାଜିତ ହୋଇଥିଲେ । ଲେବର ପାର୍ଟିର ନେତାମାନେ ଗଣମାଧ୍ୟମରେ ଖୋଲାଖୋଲି ଆଇନ ବଦଳାଇବା ନେଇ ପ୍ରତିକ୍ରିୟା ଦେଉଛନ୍ତି । ବ୍ରିଟେନରେ ଯଦି ଏହି ଆଇନ କୋଠର ହୁଏ ତେବେ ଏହାର ସବୁଠୁ ଅଧିକ ପ୍ରଭାବ ଭାରତ ଉପରେ ପଡିବ । ରିପୋର୍ଟ ଅନୁସାରେ ୨୦୨୩ରେ ପ୍ରାୟ ଅଢେଇ ଲକ୍ଷ ଭାରତୀୟ ବ୍ରିଟେନ ଯାଇଛନ୍ତି । ଏଥିମଧ୍ୟରୁ ୧ ଲକ୍ଷ ୨୭ ହଜାର ଶ୍ରମିକ ରହିଛନ୍ତି ଏବଂ ୧ ଲକ୍ଷ ୧୫ ହଜାର ଛାତ୍ରଛାତ୍ରୀ ରହିଛନ୍ତି । ନିୟମ ବଦଳିଲେ ଏମାନେ ଅଧିକ ପ୍ରଭାବିତ ହୋଇପାରନ୍ତି ।










