ମନ୍ତ୍ରୀଙ୍କ ପ୍ରୋତ୍ସାହନରେ ପୋଲିସ ଓ ଗୁଣ୍ଡାମାନେ କରୁଛନ୍ତି ଆତଙ୍କରାଜ
ପୋଲସରାର ସମସ୍ତ କଲେଜର ପ୍ରାର୍ଥୀଙ୍କୁ ଧମକାଉଛି ବିଜେପି
ନିଜ ଅପାରଗତା ଲୁଚାଇବା ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ବୃଥା କଟାକ୍ଷ କରୁଛନ୍ତି ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ
ଭୁବନେଶ୍ୱର: ପୋଲସରା, ବୁଗୁଡା, ବାଲିପଦର ତଥା ଗଂଜାମ ଜିଲ୍ଲାରେ ଛାତ୍ର ସଂସଦକୁ ଯେନତେନ ପ୍ରକାରରେ ଦଖଲ କରିବା ପାଇଁ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ପୋଲିସ ଓ ଗୁଣ୍ଡାଙ୍କୁ ବ୍ୟବହାର କରୁଛନ୍ତି । ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ପ୍ରଶାସନିକ କଳକୁ ନିୟୋଜିତ କରି ମନ୍ତ୍ରୀ ଧମକାଉଛନ୍ତି ବୋଲି ବିଜେଡି ଅଭିଯୋଗ କରିଛି । ଆଜି ଶଙ୍ଖ ଭବନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ସାଧାରଣ ସମ୍ପାଦକ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ଶ୍ରୀକାନ୍ତ ସାହୁ ଓ ମୁଖପାତ୍ର ଶ୍ରୀ ତୁମ୍ବନାଥ ପଣ୍ଡା, ଛାତ୍ର ସଂସଦ ନିର୍ବାଚନରେ ସରକାରୀ କଳର ନଗ୍ନ ଅପବ୍ୟବହାରକୁ ଦୃଢ ନିନ୍ଦା କରିଛନ୍ତି ।ଶ୍ରୀ ସାହୁ କହିଛନ୍ତି ଯେ, ଛାତ୍ର ସଂସଦ ନିର୍ବାଚନ ପାଇଁ ବିଜ୍ଞପ୍ତି ଘୋଷଣା ପରେ, ପୋଲସରା, ବୁଗୁଡା ଓ ବାଲିପଦ କଲେଜରେ ବିଜୁ ଛାତ୍ର ଜନତା ଦଳର ବିଜୟ ସମ୍ଭାବନା ସର୍ବାଧିକ ଥିବା ଜାଣି, ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ସ୍ଥାନୀୟ ପ୍ରଶାସନ ଓ ଅସାମାଜିକ ବ୍ୟକ୍ତିଙ୍କ ଜରିଆରେ ପ୍ରାର୍ଥୀ ଓ ତାଙ୍କ ପରିବାର ଉପରେ ଚାପ ପ୍ରୟୋଗ କରି ପ୍ରାର୍ଥୀପତ୍ର ପ୍ରତ୍ୟାହାରରେ ସକ୍ଷମ ହୋଇଛନ୍ତି । ହିଂସାକାଣ୍ଡ ପରେ ସ୍ଥାନୀୟ ପୋଲିସକୁ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ମନ୍ତ୍ରୀଙ୍କ ଏଭଳି କ୍ଷମତାର ଅପବ୍ୟବହାର କରି ଛାତ୍ର ସଂସଦକୁ ନିଜ ନିୟନ୍ତ୍ରଣକୁ ଆଣିବାକୁ ନେଇ ଦୃଢ ନିନ୍ଦା କରିଛନ୍ତି ଶ୍ରୀ ସାହୁ । ସେହିପରି ଶ୍ରୀ ପଣ୍ଡା କହିଛନ୍ତି, ନିଜ ଅପାରଗତାକୁ ଲୁଚାଇବାକୁ ଯାଇ ମନ୍ତ୍ରୀ ଶ୍ରୀ ମଲ୍ଲିକ, ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବିଷୟରେ ଯାହା କହିଛନ୍ତି, ତାହା ନିନ୍ଦନୀୟ । ନବୀନ ବାବୁ ଓଡିଶାକୁ ବିଶ୍ୱସ୍ତରରେ ଏକ ମଡେଲ ରାଜ୍ୟ ଭାବେ ପ୍ରତିଷ୍ଠିତ କରି ପ୍ରଶଂସିତ ହୋଇଥିଲା ବେଳେ ଅଢେଇ ବର୍ଷର ବିଜେପି ସରକାର ନିଜ କୁଶାସନ ଲାଗି ପ୍ରତ୍ୟେକ କ୍ଷେତ୍ରରେ ଓଡିଶାକୁ ନିନ୍ଦିତ କରିବାରେ ଲାଗିଛି । ନବୀନ ବାବୁଙ୍କ ସଂପର୍କରେ ଟିକାଟିପ୍ପଣୀ ଦେଇ ଚର୍ଚ୍ଚାରେ ରହିବା ପାଇଁ ବିଜେପି ନେତା ମନ୍ତ୍ରୀଙ୍କ ମଧ୍ୟରେ ପ୍ରତିଯୋଗିତା ଚାଲିଛି । ଦେଶ ତଥା ରାଜ୍ୟବାସୀ ଜାଣନ୍ତି ନବୀନ ବାବୁଙ୍କ ବ୍ୟକ୍ତିତ୍ୱ ଓ ଶାସନ କିଭଳି ଥିଲା । ଅଢେଇ ବର୍ଷର ବିଜେପିର କୁଶାସନରେ ଅତିଷ୍ଠ ହେଲେଣି ରାଜ୍ୟବାସୀ । ଆଗାମୀ ଦିନରେ ଓଡିଶାବାସୀ ଏହାର ଦେବେ ଉଚିତ ଜବାବ ।










