ଭୁବନେଶ୍ୱର: ମହଲରୁ ଆରମ୍ଭ କରି ଝାଟି ଚାଳିଆ ଘରେ ରାଜ୍ କରୁଥିବା ଆଳୁ ଆଜି ସଭିଙ୍କ ପାଖରୁ ଉଭାନ ହେବାରେ ଲାଗିଛି । ରାଜ୍ୟରେ ପରିସ୍ଥିତି ଏପରି ହେଲାଣି ଯେ ଆଳୁ ପାଇଁ ରାଜନୀତି ସରଗରମ ହେବାରେ ଲାଗିଲାଣି । ବଜାରରେ ଆଳୁ ଏକ ପ୍ରକାର ଉଭାନ ହୋଇଥିବା ବେଳେ କିଛି ମାର୍କେଟରେ ଆଳୁ ଦର କିଲୋ ପିଛା ୬୦ ଟଙ୍କା ଟପିଲାଣି । ଫଳରେ ଗରୀବଙ୍କ ମୁହଁରେ ଆଉ ବାଜୁନି ଆଳୁର ସ୍ୱାଦ । ଦୁଇ ରାଜ୍ୟ ମଧ୍ୟରେ ଆଳୁ ସମସ୍ୟାର ସମାଧାନ ନହୋଇପାରିବା ଦୁର୍ଭାଗ୍ୟଜନକ ବୋଲି ସାଧାରଣରେ ମଧ୍ୟ ଚର୍ଚ୍ଚା ଧରିଲାଣି । ଆଳୁ ଦେବାକୁ ସରକାର ଯେନତେଣ ଉଦ୍ୟମ କରୁଥିବା ବେଳେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଆଳୁ ନ ପଠାଇବାକୁ ନିଜ ଜିଦ୍ରେ ଅଟଳ ରହିଛନ୍ତି । ସ୍ୱାଭାବିକ ଭାବେ ଆଳୁ ନଆସିବା ଦ୍ୱାରା ଓଡ଼ିଶାରେ ଲୋକେ ଅଭାବୀର ସମ୍ମୁଖୀନ ହୋଇଛନ୍ତି । ରାଜ୍ୟରେ ଆଳୁ ସଂକଟରୁ ଫାଇଦା ଉଠାଇ ବ୍ୟବସାୟୀମାନେ ମନ ଇଛା ବେପାର କରୁଥିବା ଦେଖାଦେଇଛି । ଆଳୁ ସଂକଟ ଦୂର କରିବା ପାଇଁ ରାଜ୍ୟ ସରକାର ଯେତେ ଯାହା ଉଦ୍ୟମ କଲେ ବି ସଫଳ ହେଉନାହାନ୍ତି । ତେବେ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ କିଲୋଗ୍ରାମ ପ୍ରତି ଆଳୁ ୩୦ ଟଙ୍କାରେ ଖାଉଟିଙ୍କୁ ଦିଆଯିବ ବୋଲି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି । ରାଜ୍ୟ ସରକାର ନାଫେଡ ଜରିଆରେ ଆଳୁ ଆଣିବେ ।
ଦିନକ ପରେ ରାଜ୍ୟକୁ ପର୍ଯ୍ୟାପ୍ତ ପରିମାଣର ଆଳୁ ଆସିଯିବ । ଉଚ୍ଚା ଦରରେ କିଣିଲେ ବି ଲୋକଙ୍କୁ ୩୦ଟଙ୍କାରେ ଆଳୁ ଦିଆଯିବ । ଆଳୁ ଅଭାବ ରହିବନି, ଯେତେ ଆବଶ୍ୟକ ସେତେ ଅଣାଯିବ ବୋଲି ଯୋଗାଣ ମନ୍ତ୍ରୀ ଶ୍ରୀ ପାତ୍ରଙ୍କ ସୂଚନା ଦେଇଛନ୍ତି । ରାଜ୍ୟରେ ଆଳୁ ସଙ୍କଟ ଦୂର କରିବା ପାଇଁ ସରକାର ବିଧିବଦ୍ଧ ଭାବେ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ସରକାର ନାଫେଡ ମାଧ୍ୟମରେ ଆଳୁ କିଣିବା ସହ ଖାଉଟି ମାନଙ୍କୁ କିଲୋଗ୍ରାମ ପିଛା ୩୦ ଟଙ୍କାରେ ଯୋଗାଇ ଦେବେ । ଏହାଦ୍ୱାରା ଖାଉଟିମାନଙ୍କୁ ସୁଲଭ ଦରରେ ଆଳୁ ଉପଲବ୍ଧ କରାଇବା ସହ ରାଜ୍ୟରେ ଆଳୁ ସଙ୍କଟ ଦୂର ହୋଇପାରିବ ବୋଲି ଜଣାପଡିଛି । ତେବେ ପ୍ରଥମ ପର୍ଯ୍ୟାୟରେ ତିନି ଶହ ମେଟ୍ରିକ ଟନ ଆଳୁ ପାଇଁ ନାଫେଡ ମାଧ୍ୟମରେ ଅର୍ଡର ପ୍ରଦାନ କରାଯାଇଛି । ଏହା ଆସନ୍ତା ସପ୍ତାହକ ମଧ୍ୟରେ ରାଜ୍ୟରେ ଉପଲବ୍ଧ ହେବ । ପ୍ରଥମ ପର୍ଯ୍ୟାୟରେ ଏହା ଭୁବନେଶ୍ୱର, କଟକ, ରାଉଲକେଲା, ସମ୍ବଲପୁର ଓ ବ୍ରହ୍ମପୁରରେ ସରକାରୀ ଖୁଚୁରା ଦୋକାନ ମାଧ୍ୟମରେ ଉପଲବ୍ଧ ହେବ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି । ବିକ୍ରୟ ନିମନ୍ତେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ମନ୍ତ୍ରୀ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି ।
ଅପରପକ୍ଷରେ ମାର୍କେଟରୁ ଏକ ପ୍ରକାର ଆଳୁ ଉଭାନ ହୋଇଯାଇଛି । ଆସନ୍ତାକାଲି ସୁଦ୍ଧା ଯଦି ପର୍ଯ୍ୟାପ୍ତ ପରିମାଣରେ ଆଳୁ ନ ପହଞ୍ଚେ ତେବେ ବଜାରରେ ଆହୁରି ଚଢା ଦରରେ ବିକ୍ରି ହେବ । ମିଳିଥିବା ସୂଚନା ଅନୁସାରେ ଆଜି ଓଡ଼ିଶାକୁ ୭୦ ଟ୍ରକ ଆଳୁ ଆସିଛି । ସେଥିରୁ ଭୁବନେଶ୍ୱରକୁ ଆସିଛି ୧୦ଟି ଟ୍ରକ । ଉତ୍ତରପ୍ରଦେଶରୁ ୪ ଓ ପଶ୍ଚିମବଙ୍ଗରୁ ୬ଟି ଟ୍ରକ ଆସିଛି । ବର୍ତ୍ତମାନ ରାଜ୍ୟରେ ୧୨ ହଜାର ଟନ୍ ଆଳୁ ଗଚ୍ଛିତ ରହିଥିବା ଜଣାପଡିଛି ।
ଏହାବ୍ୟତୀତ ପଶ୍ଚିମବଙ୍ଗ ସରକାରଙ୍କ ଏଭଳି ନିତୀକୁ ନେଇ ରାଜ୍ୟର ବିଭିନ୍ନ ସଂଗଠନ ପକ୍ଷରୁ ବିରୋଧ କରିବା ଆରମ୍ଭ ହେଲାଣି । ଆଳୁ ଏକ ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟ ସାମଗ୍ରୀ ହୋଇଥିବାରୁ ଗରିବଙ୍କଠାରୁ ନିମ୍ନ ମଧ୍ୟବିତ୍ତ ପର୍ଯ୍ୟନ୍ତ ଦରବୃଦ୍ଧିକୁ ନେଇ ସମସ୍ତେ ଚିନ୍ତିତ । ଏହି ଆଳୁ ସଂକଟକୁ ନେଇ ଆଜି ତାତିଛନ୍ତି ବିଭିନ୍ନ ସାମାଜିକ ସଂଗଠନ । ପଶ୍ଚିମବଙ୍ଗ ସରକାର ଓଡ଼ିଶାକୁ ଆଳୁ ଗାଡ଼ି ନ ଛାଡିବା ପ୍ରସଙ୍ଗରେ କଟକ ଜିଲ୍ଲା ମଙ୍ଗୁଳି ଛକରେ ପଶ୍ଚିମବଙ୍ଗ ଯାଉଥିବା ଖାଦ୍ୟସାମଗ୍ରୀ ଗାଡ଼ି ଅଟକାଇଛନ୍ତି ବିଭିନ୍ନ ସାମାଜିକ ସଂଗଠନ । ପଶ୍ଚିମବଙ୍ଗ ପର୍ଯ୍ୟାପ୍ତ ଆଳୁ ନ ଛାଡ଼ିବା ପ୍ରତିବାଦରେ ଜୋରଦାର ବିକ୍ଷୋଭ କରିଛନ୍ତି । ଏନ୍ଏଚ୍ ୧୬ ମଙ୍ଗୁଳି ଛକରେ ଅଟକି ରହିଛି ବହୁ ଖାଦ୍ୟସାମଗ୍ରୀ ଗାଡ଼ି । ଏହାବ୍ୟତୀତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର ଜାଳିବା ସହ କଲିକତାର କୌଣସି ଗାଡି ଓଡ଼ିଶା ମଧ୍ୟ ଦେଇ ଛଡାଯିବ ନାହିଁ ଏବଂ ଅନ୍ୟ ରାଜ୍ୟକୁ କଲିକତା ଯାଉଥିବା ମାଛ, ଅଣ୍ଡା ଆଦି ବିଭିନ୍ନ ଅତ୍ୟାବଶ୍ରକୀୟ ସାମଗ୍ରୀର ଗାଡିକୁ ମଧ୍ୟ ଛଡା ଯିବ ନାହିଁ ବୋଲି ଅନେକ ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି ।
କିଛି ଆଳୁ ବ୍ୟବସାୟୀଙ୍କ କହିବା ଅନୁଯାୟୀ, ବଜାରରେ ଆଉ ମିଳୁନି ଆଳୁ । ଚୋରାରେ ବେପାରୀ ଆଳୁ ଆଣୁଥିବାରୁ ଦର ଆକାଶଛୁଆଁ ହୋଇଛି । କିଛି ସ୍ଥାନରେ ଡିଲର ପଏଣ୍ଟରେ ଆଳୁ କିଲୋ ପିଛା ୬୦ ଟଙ୍କା । ୧୫ ଦିନ ଧରି ଆଳୁ ସମସ୍ୟାର ସମାଧାନ ହେଉନି । ତରକାରୀ କଥା ଛାଡ଼ନ୍ତୁ ମାର୍କେଟରେ ବି ମୁଳିନି ଆଳୁ । ପଶ୍ଚିମବଙ୍ଗ ଛାଡ଼ି ୟୁପିରୁ ଆଳୁ ଆମଦାନୀ ସରକାରଙ୍କୁ ମହଙ୍ଗା ପଡ଼ିଛି । ଉତ୍ତରପ୍ରଦେଶରୁ ଆଳୁ ଆସିଥିଲେ ବି ୟୁପି ଆଳୁକୁ ଲୋକେ ଗ୍ରହଣ କଲେ ନାହିଁ । ୟୁପିରୁ ଆସୁଥିବା ଆଳୁ ଶୀଘ୍ର ପଚିଗଲା । ତେଣୁ ବ୍ୟବସାୟୀ ଆଉ ୟୁପିରୁ ଆଳୁ ଆଣୁନାହାନ୍ତି । ଏବେ ରାଜ୍ୟର ବିଭିନ୍ନ ବଜାରରେ ୧୫ ହଜାର ଟନ୍ ଆଳୁ ମହଜୁଦ ରହିଛି । ଯାହା ଦୁଇ ଦିନ ଭିତରେ ସରିଯିବ । ଗତ ଦୁଇ ତିନି ସପ୍ତାହ ମଧ୍ୟରେ ଆଳୁ ଦର ୧୮ରୁ ୬୦ରେ ପହଞ୍ôଚଲାଣି । ତୁରନ୍ତ ଏହାର ସମାଧାନ ନହେଲେ ଆଳୁ ଦର ଶତକ ଛୁଇଁବାର ସମ୍ଭାବନା ରହିଥିବା ବ୍ୟବସାୟୀମାନେ କହିଲେଣି ।
ଆଳୁର ଦର ବଢ଼ି ଥିବା ବେଳେ ଏହି ସଙ୍କଟ ଦୂର କରିବା ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାଡ଼ଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର ଆଜି କୋଲକାତା ଯାଇଛନ୍ତି । ଓଡ଼ିଶାକୁ ଆଳୁ ପଠାଇବା ବାବଦରେ ସେ ଦିଦିଙ୍କ ସହ ଆଲୋଚାନ କରିବେ । ମମତାଙ୍କୁ ମନାଇବା ପାଇଁ ଉଦ୍ୟମ କରିବେ । ସେ କଥା ହେବା ପରେ ରାଜ୍ୟରେ ଉପୁଜିଥିବା ଆଳୁ ସମସ୍ୟାର ସମାଧାନ ହେବ ବୋଲି ଆଶା ରଖିଛନ୍ତି । ଦିଦିଙ୍କ ସହ ଜଗନ୍ନାଥ ସ୍ୱାଇଁ ମହାପାତ୍ର ଓରଫ ଜଗୁନୀଙ୍କର ସୁସମ୍ପର୍କ ରହିଛି । ସେ ବିଭିନ୍ନ ସମୟରେ କୋଲକାତାରେ ଦିଦିଙ୍କ ଘରେ ପୂଜାର୍ଚ୍ଚନା କରିଥାନ୍ତି । ବିଶେଷ କରି କାଳିପୂଜା ଓ ଦୁର୍ଗାପୂଜା ସମୟରେ ଜଗନ୍ନାଥ ସ୍ୱାଇଁ ମହାପାତ୍ର ମମତା ବାନାର୍ଜୀଙ୍କ ଘରେ ପୂଜାର୍ଚ୍ଚନା କରିଥାନ୍ତି । ତେଣୁ ତାଙ୍କ କଥା ଦିଦି ରଖିବେ ବୋଲି ସେ ଆଶା ରଖିଛନ୍ତି ।