ନୂଆଦିଲ୍ଲୀ: ଭାରତ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ଫିଜି ସରକାରଙ୍କ ପକ୍ଷରୁ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନରେ ସମ୍ମାନିତ କରାଯାଇଛି । ଏହି ସମ୍ମାନ ଭାରତ ଓ ଫିଜି ମଧ୍ୟରେ ଥିବା ଗଭୀର ବନ୍ଧୁତାର ପ୍ରତିଫଳନ ବୋଲି ରାଷ୍ଟ୍ରପତି ମୁର୍ମୁ ଅଭିହିତ କରିଛନ୍ତି । ଫିଜି ରାଷ୍ଟ୍ରପତି ରାତୁ ୱିଲିୟମ ମିଆଭାଲିଲି କାଟୋନିଭେରେ ତାଙ୍କୁ ‘କମ୍ପାନିୟନ୍ ଅଫ୍ ଦି ଅର୍ଡର ଅଫ୍ ଫିଜି’ ସମ୍ମାନରେ ସମ୍ମାନୀତ କରିଛନ୍ତି ।
ପ୍ରକାଶ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଏବେ ଦୁଇ ଦିନିଆ ଫିଜି ଗସ୍ତରେ ରହିଛନ୍ତି । ଏହି ଗସ୍ତ ସମୟରେ ତାଙ୍କୁ ଏପରି ସମ୍ମାନ ମିଳିଛି । ଭାରତର ପ୍ରଥମ ରାଷ୍ଟ୍ରମୁଖ୍ୟ ଭାବେ ଫିଜି ଗସ୍ତ କରିଥିବା ରାଷ୍ଟ୍ରପତି ମୁର୍ମୁ ନିଜ ଗସ୍ତ ଅବସରରେ ସେଠାକାର ସଂସଦକୁ ମଧ୍ୟ ସମ୍ବୋଧନ କରିଛନ୍ତି । ଫିଜି ସଂସଦକୁ ସମ୍ବୋଧିତ କରିବାକୁ ଯାଇ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଛନ୍ତି, ଭାରତ ବିଶ୍ୱ ମଞ୍ଚରେ ଶକ୍ତିଶାଳୀ ରାଷ୍ଟ୍ର ଭାବେ ଉଭା ହେଉଥିବା ବେଳେ ଆମେ ଫିଜି ସହ ଭାଗିଦାରୀ କରିବାକୁ ପ୍ରସ୍ତୁତ । ଫିଜିର ପ୍ରାଥମିକତାକୁ ଭିତ୍ତିକରି ଦେଶକୁ ଅଧିକ ସଶକ୍ତ କରିବାକୁ ଭାରତ ପ୍ରତିଶ୍ରୁତିବଦ୍ଧ । ସେହିପରି ଜଳବାୟୁ ପରିବର୍ତ୍ତନଜନିତ ସୁରକ୍ଷା ଦିଗରେ ଭାରତ ଫିଜି ଏବଂ ଅନ୍ୟାନ୍ୟ ସାମୁଦ୍ରିକ ରାଷ୍ଟ୍ର ସହ ସଦାସର୍ବଦା ଛିଡା ରହିବ । ରାଷ୍ଟ୍ରପତିଙ୍କ ଏହି ଗସ୍ତ କାର୍ଯ୍ୟକ୍ରମରେ ସାମିଲ ଥିବା ରାଷ୍ଟ୍ରମନ୍ତ୍ରୀ ଜର୍ଜ କୁରିଆନ୍, ଲୋକସଭା ସାଂସଦ ସୌମିତ୍ର ଖାନ୍ ଓ ଯୁଗଳ କିଶୋର ପ୍ରମୁଖ ମଧ୍ୟ ଆଜି ଫିଜି ସଂସଦରେ ଶ୍ରୀମତୀ ମୁର୍ମୁଙ୍କ ସହ ଉପସ୍ଥିତ ଥିଲେ ।
ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଆଜି ଫିଜି ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଫିଜି ପ୍ରଧାନମନ୍ତ୍ରୀ ସିତିବେନି ରାବୁକା ଭବ୍ୟ ସ୍ୱାଗତ କରିଥିଲେ । ପରେ ପରେ ରାଷ୍ଟ୍ରପତି କାଟୋନିଭେରେ ମଧ୍ୟ ଶ୍ରୀମତୀ ମୁର୍ମୁଙ୍କୁ ଷ୍ଟେଟ୍ ହାଉସରେ ସ୍ୱାଗତ କରିଥିଲେ । ସେଠାରେ ଉଭୟଙ୍କ ପକ୍ଷରେ ଦୀର୍ଘ ସମୟ ଧରି ଦ୍ୱିପାକ୍ଷିକ ଆଲୋଚନା ହୋଇଥିଲା । ପ୍ରଶାନ୍ତ ମହାସାଗରୀୟ ଦ୍ୱୀପ ଦେଶଗୁଡ଼ିକ (ପିଆଇସି) ସହିତ ଆମର ସମ୍ପର୍କ ଏବଂ ବିକାଶ ଭାଗିଦାରୀକୁ ସୁଦୃଢ଼ କରିବା ପାଇଁ ଭାରତ ପ୍ରତିଶ୍ରୁତିବଦ୍ଧ ଯେଉଁଥିରେ ଫିଜି ଏକ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ବୋଲି ରାଷ୍ଟ୍ରପତି ମୁର୍ମୁ କହିଥିଲେ । ଏହି ସମୟରେ ଫିଜି ରାଷ୍ଟ୍ରପତି ରାତୁ ୱିଲିୟମ ମିଆଭାଲିଲି କାଟୋନିଭେରେ ଶ୍ରୀମତୀ ମୁର୍ମୁଙ୍କୁ ‘କମ୍ପାନିୟନ୍ ଅଫ୍ ଦି ଅର୍ଡର ଅଫ୍ ଫିଜି’ ସମ୍ମାନରେ ସମ୍ମାନୀତ କରିଛନ୍ତି । ପରେ ରାଷ୍ଟ୍ରପତି ମୁର୍ମୁ ଫିଜିର ପ୍ରଧାନମନ୍ତ୍ରୀ ସିଟିଭେନି ରାବୁକାଙ୍କ ସହ ମଧ୍ୟ ଦୁଇ ଦେଶର ସମ୍ପର୍କ କେମିତି ଅଧିକ ସଶକ୍ତ ହେବେ, ସେ ସମ୍ପର୍କରେ ବିସ୍ତୃତ ଭାବେ କଥା ହୋଇଛନ୍ତି ।
ନିଜ ଗସ୍ତ ପରିପ୍ରେକ୍ଷୀରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଫିଜିରେ ରହୁଥିବା ଭାରତୀୟ ଲୋକ (ଭାରତୀୟ ସମ୍ପ୍ରଦାୟ)ଙ୍କୁ ମଧ୍ୟ ସମ୍ବୋଧନ କରିଛନ୍ତି । ଆମେ ସାରା ବିଶ୍ୱରେ ଥିବା ପ୍ରବାସୀ ଭାରତୀୟ ସମ୍ପ୍ରଦାୟକୁ ଆମ ସ୍ୱପ୍ନର ଭାରତ ନିର୍ମାଣ ଯାତ୍ରାରେ ଗୁରୁତ୍ୱପୂର୍ଣ୍ଣ ସହଭାଗୀ ଭାବରେ ଦେଖୁଛୁ ବୋଲି ରାଷ୍ଟ୍ରପତି ମୁର୍ମୁ କହିଛନ୍ତି । ସେହିପରି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଏଠାରେ ଥିବା ସହିଦ୍ ଯବାନଙ୍କ ସ୍ମୃତିକୁ ସମ୍ମାନ ଜଣାଇ ସୁଭାସ୍ଥିତ ଜାତୀୟ ଯୁଦ୍ଧ ସ୍ମାରକୀ ପରିଦର୍ଶନ ପୂର୍ବକ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ପରେ ପରେ ଶ୍ରୀମତୀ ମୁର୍ମୁ, ମହାତ୍ମା ଗାନ୍ଧୀ ମେମୋରିଆଲ ହାଇସ୍କୁଲ ପରିଦର୍ଶନ କରି ଏଠାରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଦିନର ଶେଷ ସରକାରୀ କାର୍ଯ୍ୟକ୍ରମରେ ଫିଜିର ରାଷ୍ଟ୍ରପତି ରାତୁ ୱିଲିଆମେ ମାଇଭାଲିଲି କାଟୋନିଭେରେ ଷ୍ଟେଟ୍ ହାଉସରେ ରାଷ୍ଟ୍ରପତି ମୁର୍ମୁଙ୍କ ସମ୍ମାନରେ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ କରିଥିଲେ, ଯେଉଁଥିରେ ବିଭିନ୍ନ ବର୍ଗର ବିଶିଷ୍ଟ ଫିଜିଆନ୍ମାନେ ଏକାଠି ହୋଇଥିଲେ । ସୁଭାରେ ସରକାରୀ କାର୍ଯ୍ୟକ୍ରମ ସଫଳ ହେବା ପରେ ରାଷ୍ଟ୍ରପତି ମୁର୍ମୁ ନାଦି ଅଭିମୁଖେ ଯାତ୍ରା କରିଛନ୍ତି ଯେଉଁଠାରୁ ସେ ଆସନ୍ତାକାଲି ନ୍ୟୁଜିଲାଣ୍ଡର ଅକଲାଣ୍ଡ ଅଭିମୁଖେ ଯାତ୍ରା କରିବେ ବୋଲି କାର୍ଯ୍ୟକ୍ରମ ରହିଛି । ସୂଚନାଯୋଗ୍ୟ ଗତବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ଫିଜି ପକ୍ଷରୁ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନରେ ସମ୍ମାନୀତ କରାଯାଇଥିଲା । ଏହାକୁ ମୋଦୀ ସମସ୍ତ ଭାରତୀୟ ଓ ଫିଜିରେ ରହୁଥିବା ଲୋକଙ୍କୁ ଉତ୍ସର୍ଗ କରିଥିଲେ ।