ଗୋପ: ଗୋପ ଥାନା ଅଧୀନ କୁଆଁପଡ଼ା ପଞ୍ଚାୟତ ଓରୁଆଳି ଗ୍ରାମରେ ଜୈନିକ ନବବଧୂକୁ ନିର୍ଯାତନା ଦିଆଯାଇ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଥିବାବେଳେ ଏହି ଘଟଣାରେ ଗୋପ ପୁଲିସ୍ ବାପ ପୁଅଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି । ସୂଚନା ମୁତାବକ, ଗୋପ ଥାନା ଅଧୀନ ମଦରଙ୍ଗ ଗ୍ରାମର କୁମର ବେହେରାଙ୍କ ବଡ଼ ଝିଅ ଭାଗ୍ୟବତୀ ବେହେରା ଗତ ୫ବର୍ଷ ତଳେ ଓରୁଆଳି ଗ୍ରାମର ଶ୍ରୀଧର ବେହେରାଙ୍କ ପୁଅ ଏକାଦଶୀ ବେହେରାଙ୍କୁ ବୈଦିକରୀତିରେ ବିବାହ କରିଥିଲେ । ବିବାହ ସମୟରେ ଦାବି ମୁତାବକ ସୁନା ଚେନ୍, ମୁଦି ସମେତ ନଗଦ ୭୦ହଜାର ଟଙ୍କା ଓ ଅନ୍ୟାନ୍ୟ ଆସବାସପତ୍ର ଭାଗ୍ୟବତୀଙ୍କ ପରିବାର ପକ୍ଷରୁ ଦିଆଯାଇଥିଲା । ବିବାହ ପରେ ଭାଗ୍ୟବତୀଙ୍କ ଗୋଟିଏ ୪ବର୍ଷର ଓ ଆଉ ଗୋଟିଏ ଦେଢ଼ ବର୍ଷର ଶିଶୁକନ୍ୟା ରହିଥିଲା । ବିଭିନ୍ନ ସମୟରେ ଯୌତୁକକୁ ନେଇ ପରିବାର ଓ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କଳହ ଲାଗି ରହିଥିବାବେଳେ ହଠାତ୍ ଭାଗ୍ୟବତୀଙ୍କ ଦେହ ଅସୁସ୍ଥ ଥିବା ନେଇ ଶୁକ୍ରବାର ବିଳମ୍ବିତ ରାତିରେ ଭାଗ୍ୟବତୀଙ୍କ ବାପଘରକୁ ଖବର ଆସିଥିବାବେଳେ ଗୋପ ମେଡ଼ିକାଲକୁ ଆସ ବୋଲି କୁହାଯାଇଥିଲା । ବାପଘର ଲୋକ ମେଡ଼ିକାଲରେ ପହଞ୍ôଚ ଝିଅର ମୃତଦେହ ଦେଖି ସହଜରେ ଗ୍ରହଣ କରିପାରି ନଥିବାବେଳେ ଡାକ୍ତରଖାନା ପରିସରରେ ଉତ୍ତେଜନାମୂଳକ ପରିସ୍ଥିତି ଦେଖାଦେଇଥିଲା । ପରେ ଝିଅକୁ ମାରିଦେଇଥିବା ନେଇ ପିତା କୁମର ବେହେରା ଗୋପ ଥାନାରେ ଅଭିଯୋଗ କରିବା ପରେ ପୁଲିସ୍ ଶବ ଜବତକରି ବ୍ୟବଚ୍ଛେଦ ନିମନ୍ତେ ଚାରିଛକ ଡାକ୍ତରଖାନା ପଠାଇଥିଲା । ଏହି ଘଟଣାରେ ମୃତ ମହିଳାଙ୍କ ସ୍ୱାମୀ ଏକାଦଶୀ ବେହେରା ଓ ଶ୍ୱଶୁର ଶ୍ରୀଧର ବେହେରାଙ୍କୁ ପୁଲିସ୍ ଅଟକ ରଖି ତଦନ୍ତ ଜାରି ରଖିଥିବା ଥାନାଧିକାରୀ ପ୍ରଶାନ୍ତ କୁମାର ପଢ଼ିଆରୀ ସୂଚନା ଦେଇଛନ୍ତି ।