20.1 C
Bhubaneswar
Wednesday, January 15, 2025
Homeଦେଶ ବିଦେଶଅଗଷ୍ଟ ୨୩ରେ ମୋଦୀଙ୍କ ୟୁକ୍ରେନ୍ ଗସ୍ତ

ଅଗଷ୍ଟ ୨୩ରେ ମୋଦୀଙ୍କ ୟୁକ୍ରେନ୍ ଗସ୍ତ

ନୂଆଦିଲ୍ଲୀ:  ଆସନ୍ତା ମାସ ଅଗଷ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୟୁକ୍ରେନ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି । ରୁଷ୍‌-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ମୋଦୀଙ୍କର ଏହା ପ୍ରଥମ ୟୁକ୍ରେନ୍ ଗସ୍ତ ହେବ । ପ୍ରକାଶ ନିକଟରେ ମୋଦୀ, ରୁଷ୍ ଗସ୍ତରେ ଯିବାକୁ ନେଇ ୟୁକ୍ରେନ୍‌, ଆମେରିକା ସମେତ ସମଗ୍ର ୟୁରୋପୀୟ ଦେଶଗୁଡ଼ିକ କ୍ଷୋଭ ପ୍ରକାଶ କରିଥିଲେ । ତେବେ ନିଜ କୂଟନୈତିକ ରଣନୀତି ଦୃଷ୍ଟିକୋଣକୁ ସନ୍ତୁଳିତ ରଖିବାରେ ସିଦ୍ଧହସ୍ତ ଭାରତ ଏବେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ୟୁକ୍ରେନ୍ ଗସ୍ତ ପାଇଁ କାର୍ଯ୍ୟସୂଚୀ ନିର୍ଦ୍ଧାରିତ କରିଛି । ୟୁକ୍ରେନ୍ ସହ ଭାଗିଦାରୀ ସମ୍ପର୍କକୁ ସନ୍ତୁଳିତ ରଖିବା ଲାଗି ମୋଦୀ ୟୁକ୍ରେନ ଗସ୍ତ କରିପାରନ୍ତି ବୋଲି ଅନୁମାନ କରାଯାଉଛି । ବର୍ତ୍ତମାନ ସୁଦ୍ଧା ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସୂଚୀ ସ୍ପଷ୍ଟ ହୋଇନଥିଲେ ମଧ୍ୟ ଅଗଷ୍ଟ ଶେଷ ସପ୍ତାହ ବେଳକୁ (ଅଗଷ୍ଟ ୨୩) ମୋଦୀ, ୟୁକ୍ରେନ ଯିବା ସମ୍ଭାବନା ରହିଛି ବୋଲି ଜଣାପଡ଼ିଛି ।
ପ୍ରଧାନମନ୍ତ୍ରୀ ଭାବେ ମୋଦୀ ୩ୟ ଥର ପାଇଁ କାର୍ଯ୍ୟକାଳ ଆରମ୍ଭ କରିବା ପରେ ଚଳିତ ମାସରେ ପ୍ରଥମେ ରୁଷ ଗସ୍ତ କରିଥିଲେ । ୨୨ତମ ଭାରତ-ରୁଷ୍ ବାର୍ଷିକ ସମ୍ମିଳନୀ ପାଇଁ ପୁଟିନଙ୍କ ନିମନ୍ତ୍ରଣ କ୍ରମେ ଜୁଲାଇ ୮ରେ ପ୍ରଧାନମନ୍ତ୍ରୀ ମୋଦୀ ୨ ଦିନିଆ ରୁଷ୍ ଗସ୍ତ କରିଥିଲେ । ଏହି ଅବସରରେ ଉଭୟ ଦେଶ ପରମାଣୁ ଶକ୍ତି ଏବଂ ଜାହାଜ ନିର୍ମାଣ ସମେତ ବିଭିନ୍ନ କ୍ଷେତ୍ରରେ ସହଯୋଗ ବୃଦ୍ଧି କରିବାକୁ ଆଲୋଚନା କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍‌, ରୁଷର ସର୍ବୋଚ୍ଚ ନାଗରିକ ସମ୍ମାନ, ଅର୍ଡର ଅଫ୍ ସେଣ୍ଟ ଆଣ୍ଡ୍ର‌୍ୟୁ ପ୍ରେରିତ ସମ୍ମାନରେ ସମ୍ମାନିତ କରିଥିଲେ । ତେବେ ଏହି ସମୟରେ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଦିମିର ଜେଲେନ୍‌ସ୍କି ପ୍ରତିକ୍ରିୟାଶୀଳ ହୋଇ ଉଠିଥିଲେ । ଜେଲେନ୍‌ସ୍କି କହିଥିଲେ ମୋଦୀ-ପୁତିନ୍‌ଙ୍କ ଆଲିଙ୍ଗନ କେବଳ ଏକ ବଡ଼ ଅସନ୍ତୋଷ ନୁହେଁ, ବରଂ ଶାନ୍ତି ପ୍ରତିଷ୍ଠାରେ ଏକ ଧ୍ୱଂସକାରୀ ଉଦ୍ୟମ । ପୁତିନ୍‌ଙ୍କୁ ଜଣେ ନରହନ୍ତା ଭାବେ ଅଭିହିତ କରିବା ପୂର୍ବକ ମୋଦୀ ଜଣେ ମାନବସମାଜର ଶତ୍ରୁକୁ ଆଲିଙ୍ଗନ କରିଥିବା ନେଇ ମଧ୍ୟ ଜେଲେନ୍‌ସ୍କି ମତ ଦେଇଥିଲେ । ପ୍ରକାଶ, ଜୁନ୍‌ରେ ଇଟାଲୀରେ ଅନୁଷ୍ଠିତ ଜି-୭ ଶିଖର ସମ୍ମିଳନୀରେ ମୋଦୀ ଏବଂ ଜେଲେନସ୍କିଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା ।
ପ୍ରକାଶ, ଗୋଟିଏ ପଟେ ରୁଷ୍ ପକ୍ଷରୁ ୟୁକ୍ରେନ୍ ଉପରେ ଆକ୍ରମଣ ଜାରି ରଖିଥିବା ବେଳେ ମୋଦୀଙ୍କ ରୁଷ୍ ଗସ୍ତକୁ ନେଇ ପଶ୍ଚିମ ଦେଶଗୁଡ଼ିକ ସମାଲୋଚନା କରିଥିଲେ । ଏବେ ଯେତେବେଳେ ମୋଦୀଙ୍କ ୟୁକ୍ରେନ୍ ଗସ୍ତ ପ୍ରସଙ୍ଗ ସାମ୍ନାକୁ ଆସିଛି ଏବେ ଏହିସବୁ ପଶ୍ଚିମଦେଶଗୁୂଡ଼ିକ ଏହାକୁ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ଅଭିହିତ କରିଛନ୍ତି । ମୋଦୀଙ୍କ ୟୁକ୍ରେନ୍ ଗସ୍ତ ତଥା ରୁଷ-ୟୁକ୍ରେନ୍ ଯୁଦ୍ଧ ଉପରାନ୍ତେ ଭାରତର ଆଭିମୁଖ୍ୟ ଉପରେ ଏବେ ସମଗ୍ର ବିଶ୍ୱର ତୀକ୍ଷ୍ମ ନଜର ରହିଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking