ଚଣ୍ଡିଗଡ଼: ଚଳିତ ବର୍ଷ ଆୟୋଜିତ ହେବାକୁ ଯାଉଥିବା ବ୍ରଜ ମଣ୍ଡଳ ଜଳାଭିଷେକ ଯାତ୍ରା ପୂର୍ବରୁ ହରିଆଣା ସରକାର ସତର୍କତାମୂଳକ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି । ରିପୋର୍ଟ ଅନୁସାରେ ରାଜ୍ୟ ସରକାର ନୁହ ଜିଲ୍ଲାରେ ଆସନ୍ତା ୨୪ ଘଣ୍ଟା ପାଇଁ ମୋବାଇଲ, ଇଣ୍ଟରନେଟ୍ ଓ ଏସ୍ଏମ୍ଏସ୍ ସେବାକୁ ବନ୍ଦ କରିଦେଇଛନ୍ତି । ସେହିପରି ଜଳାଭିଷେକ କାର୍ଯ୍ୟକ୍ରମ ସମୟରେ କୌଣସି ଶ୍ରଦ୍ଧାଳୁ ନିଜ ସହ କୌଣସି ପ୍ରକାର ଲାଠି, କାଠ କିମ୍ବା କୌଣସି ପ୍ରକାର ସାଜସରଞ୍ଜାମ ନେବା ଉପରେ ମଧ୍ୟ କଟକଣା ଲାଗୁ କରିଦିଆଯାଇଛି ।
ରାଜ୍ୟର ଅତିରିକ୍ତ ମୁଖ୍ୟ ସଚିବ (ଗୃହ) ଅନୁରାଗ ରସ୍ତୋଗୀ କହିଛନ୍ତି, ଜିଲ୍ଲାରେ ଇଣ୍ଟରନେଟ୍ ସେବା ରବିବାର ସନ୍ଧ୍ୟା ୬ଟାରୁ ସୋମବାର ସନ୍ଧ୍ୟା ୬ଟା ଯାଏ ବନ୍ଦ ରହିବ । କେହିବି ଏକାକଳୀନ ବିପୁଳ ସଂଖ୍ୟାର ଏସଏମଏସ୍ ପଠାଇପାରିବେ ନାହିଁ କିମ୍ବା ଗୋଟିଏ ସ୍ଥାନରେ ୨/୩ଜଣରୁ ଅଧିକ ଲୋକ ଏକଜୁଟ୍ ହୋଇପାରିବେ ନାହିଁ । ଏହି ଧାର୍ମିକ ଶୋଭାଯାତ୍ରା ସମୟରେ ନୁହରେ ହିଂସା, ବିକ୍ଷୋଭ, ସର୍ବସାଧାରଣ ସମ୍ପତ୍ତିରେ କ୍ଷତି ଘଟିବା ଓ ଶାନ୍ତିରେ ବ୍ୟାଘାତ ସୃଷ୍ଟି ହେବାର ଆଶଙ୍କା ଥିବାରୁ ଏପରି ପଦକ୍ଷେପ ନିଆଯାଇଛି । ହ୍ୱାଟସ୍ଆପ୍, ଫେସବୁକ୍, ଏକ୍ସ ଭଳି ସୋଶାଲ ମିଡିଆରେ ଗୁଜବ ଓ ମିଥ୍ୟା ଖବରର ପ୍ରଚାରକୁ ରୋକିବା ପାଇଁ ଇଣ୍ଟରନେଟ୍ ସେବାକୁ ବନ୍ଦ କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି ।
ପ୍ରକାଶ, ୨୦୨୩ ବ୍ରଜ ମଣ୍ଡଳ ଜଳାଭିଷେକ ଭଳି ଧାର୍ମିକ ଶୋଭାଯାତ୍ରା ସମୟରେ ବ୍ୟାପକ ହିଂସାକାଣ୍ଡ ଘଟିଥିଲା । ଗୋରକ୍ଷାକାରୀ ବିଟ୍ଟୁ ବଜରଙ୍ଗୀ ଏହି ସମୟରେ ଉତ୍ତେଜନାପୂର୍ଣ୍ଣ ଭାଷଣ ଦେବାରୁ ନୁହରେ ସାଂପ୍ରଦାୟିକ ହିଂସା ଘଟିଥିଲା । ଶତାଧିକ ଲୋକ ଗୁରୁଗ୍ରାମରେ ଥିବା ଗୋଟିଏ ମସ୍ଜିଦ ଉପରେ ଆକ୍ରମଣ କରି ନାଏବ ଇମାମଙ୍କୁ ହତ୍ୟା କରିଥିଲେ । ଏହି ଘଟଣା ପରେ ସୃଷ୍ଟି ହୋଇଥିବା ସାଂପ୍ରଦାୟିକ ହିଂସାରେ ୫ ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା । ସେହିପରି ବହୁଲୋକ ଗୁରୁତର ଆହତ ମଧ୍ୟ ହୋଇଥିଲେ ।
ଏଥିପାଇଁ ଚଳିତ ବର୍ଷ ସରକାର ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି । ନୁହରେ ପୁଲିସ୍ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଜିଲ୍ଲାର ବିଭିନ୍ନ ସ୍ଥାନରେ ସ୍ଥାନୀୟ ପୁଲିସ୍ କର୍ମୀଙ୍କ ସହ କମାଣ୍ଡୋ ୟୁନିସ, ଡଗ ସ୍କ୍ୱାଡ ଓ ବୋମା ନିଷ୍କ୍ରିୟକାରୀ ଟିମ ମୁତୟନ ହୋଇଛନ୍ତି । ସୁରକ୍ଷା ଓ ଶାନ୍ତି ବଜାୟ ରଖିବା ପାଇଁ ନୁହ ପୁଲିସ୍ ଡଗ୍ ସ୍କ୍ୱାଡ ଓ ଡ୍ରୋନ ଦ୍ୱାରା ସର୍ଭେଲାନ୍ସ କରୁଛି । ଜିଲ୍ଲାକୁ ଆସୁଥିବା ଓ ବାହାରକୁ ଯାଉଥିବା ସବୁ ଗାଡ଼ିକୁ ଚେକ୍ କରାଯାଉଛି । ଚେକ୍ ପଏଣ୍ଟଗୁଡ଼ିକରେ ଡଗ ସ୍କ୍ୱାଡ୍ ମଧ୍ୟ ରହିଛନ୍ତି । ନୁହ ଏସ୍ପିଙ୍କ ଅଧ୍ୟକ୍ଷତାରେ ପୁଲିସ ପକ୍ଷରୁ ଆଜି ବିଭିନ୍ନ ସ୍ଥାନରେ ଫ୍ଲାଗମାର୍ଚ୍ଚ କରାଯାଇଛି । ବିଟ୍ଟୁ ବଜରଙ୍ଗୀକୁ ଶୋଭାଯାତ୍ରାରେ ସାମିଲ ହେବାକୁ ବାରଣ କରାଯାଇଛି । ଗତବର୍ଷ ବଜରଙ୍ଗୀକୁ ପୁଲିସ୍ ଗିରଫ କରିଥିଲା । ଏଥର ମଧ୍ୟ ତାକୁ ଆଗୁଆ ପୁଲିସ ନିଜ ହେପାଜତ୍କୁ ନେବ ବୋଲି ଯୋଜନା କରିଛି ।