ଉଦୟପୁର: ଗୁଜୁରାଟ ପରେ ଏବେ ଚଣ୍ଡିପୁରା ଭାଇରସ୍ ରାଜସ୍ଥାନରେ ପ୍ରବେଶ କରିଛି । ଏହି ଭାଇରସ୍ର ଲକ୍ଷଣଗୁଡିକ ଉଦୟପୁରର ଆଦିବାସୀ ଅଞ୍ଚଳର ୨ ପିଲାଙ୍କଠାରେ ଦେଖିବାକୁ ମିଳିଛି । ସେଥିମଧ୍ୟରୁ ଗୁଜୁରାଟର ହିମ୍ମତନଗରର ସିଭିଲ ହସ୍ପିଟାଲରେ ଚିକିତ୍ସା ସମୟରେ ଜଣେ ଶିଶୁର ମୃତ୍ୟୁ ଘଟିଛି । ଆଉ ଜଣେ ୪ ବର୍ଷର ଶିଶୁ ଏହି ଜୀବାଣୁ କବଳରେ ରହିଛି ।
କିନ୍ତୁ ଶିଶୁଟିର ଅବସ୍ଥା ବିପଦ ମୁକ୍ତ ରହିଥିବା ଜଣାପଡ଼ିଛି । ବିଶେଷଜ୍ଞଙ୍କ ଅନୁଯାୟୀ ଏହି ଜୀବାଣୁ ସିଧାସଳଖ ମସ୍ତିଷ୍କ ଉପରେ ଆକ୍ରମଣ କରିଥାଏ । ପ୍ରଥମେ ଫ୍ଲୁ ଲକ୍ଷଣ ଦେଖାଯାଏ ଏବଂ ତା’ପରେ ପିଲା କୋମାକୁ ପଳାଏ ବୋଲି ବିଶେଷଜ୍ଞ କହିଛନ୍ତି । ଦୁଇଟି ମାମଲା ସାମ୍ନାକୁ ଆସିବା ପରେ ଡାକ୍ତରୀ ବିଭାଗ ଟିମ ସେମାନଙ୍କ ଗ୍ରାମକୁ ଯାଇ ଅନ୍ୟ ପିଲାମାନଙ୍କର ନମୁନା ସଂଗ୍ରହ କରିଛନ୍ତି । ଏହା ବ୍ୟତୀତ ପୁନେର ଲ୍ୟାବକୁ ସେମାନଙ୍କ ପରିବାର ସଦସ୍ୟଙ୍କ ନମୁନା ମଧ୍ୟ ପଠାଯାଇଛି । ସ୍ୱାସ୍ଥ୍ୟ ବିଭାଗର ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ ୧୯୬୫ ମସିହାରେ ମହାରାଷ୍ଟ୍ରର ଚଣ୍ଡିପୁରା ଗ୍ରାମରେ ଏହି ଚଣ୍ଡିପୁରା ଭାଇରସ୍ ବ୍ୟାପି ଯାଇଥିଲା । ସେବେଠାରୁ ଏହାର ନାମ ଚଣ୍ଡିପୁରା ଭାଇରସ୍ ରଖାଯାଇଛି ।










