25.1 C
Bhubaneswar
Wednesday, October 30, 2024
Homeଓଡିଶାଖୋଲିଲା ଗୁମର, ବଡ଼ଠାକୁରଙ୍କ ନୀତିରେ ହୋଇଛି ବିଭ୍ରାଟ

ଖୋଲିଲା ଗୁମର, ବଡ଼ଠାକୁରଙ୍କ ନୀତିରେ ହୋଇଛି ବିଭ୍ରାଟ

ପୁରୀ: ଭାଙ୍ଗିଛି ବର୍ଷ ବର୍ଷର ପରମ୍ପରା । ମହାପ୍ରଭୁଙ୍କ ନୀତିରେ ମହାବିଭ୍ରାଟ କରାଯାଇଛି। ଏଭଳି କିଛି ମନ୍ତବ୍ୟ ଦେଇଛନ୍ତି ବଡ଼ଠାକୁରଙ୍କ ମୁଖ୍ୟ ବାଡ଼ଗ୍ରାହୀ ହଳଧର ଦାସମହାପାତ୍ର। ସେ କହିଛନ୍ତି ଯେ, ବର୍ଷ ବର୍ଷର ପରମ୍ପରାକୁ ଏଠାର ଭାଙ୍ଗି ନୀତିକାନ୍ତି ହୋଇଛି। ଅଣସର ଘରେ ସେନାପଟା ଲାଗି ହୋଇଥିବାବେଳେ ହଜାର ହଜାର ବର୍ଷର ରଥ ଆଜ୍ଞାମାଳ ବିଧିକୁ ମଧ୍ୟ ଭାଙ୍ଗି ଦିଆଯାଇଛି। ଯାହାଫଳରେ ଭୋକଉପାସରେ ଠାକୁରଙ୍କୁ ପହଣ୍ଡି କରି ଅଣାଯାଇଛି। ପ୍ରତିପଦା ଦ୍ବିତୀୟାରେ ହୋଇଛି ନେତ୍ରୋତ୍ସବ ଓ ନବଯୌବନ କରାଯାଇଛି । ତେବେ ପହଣ୍ଡି ବେଳେ ବଡ଼ଠାକୁର ଶ୍ରୀବଳଭଦ୍ର ଚାରମାଳ ଉପରେ ପଡ଼ିଯିବା ଘଟଣା ପରେ ସତ ଓଗାଳିଛନ୍ତି ବଡ଼ଠାକୁରଙ୍କ ମୁଖ୍ୟ ବାଡ଼ଗ୍ରାହୀ ହଳଧର ଦାସମହାପାତ୍ର।ସେ ଏକଥା ମଧ୍ୟ କହିଛନ୍ତି ଏଥିପାଇଁ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ, ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀମମାନେ ହିଁ ଦାୟୀ ।ଶ୍ରୀ ଦାସମହାପାତ୍ରଙ୍କ କହିବା ଅନୁଯାୟୀ, ବାରମ୍ବାର କହିବା ପରେ ବି ପ୍ରଶାସନ, ଶ୍ରୀମନ୍ଦିର ପରିଚାଳନା କମିଟିଙ୍କ ଜିଦ୍‌ କାରଣରୁ ଏଭଳି ବଡ଼ ଅଘଟଣ ଘଟିଲା । ଏଥିପାଇଁ କେବଳ ସେବାୟତ ଓ ଅଣସେବାୟତ ମାନେ ହିଁ ଦାୟୀ ଏବଂ ଏମାନଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ହେବାପାଇଁ ଦାବି କରିଛନ୍ତି। ଶ୍ରୀ ଦାସମହାପାତ୍ର କହିଛନ୍ତି, ନୀଳାଦ୍ରି ମହୋଦୟ ହେଉ କି ବାମଦେବ ସଂହିତା ଅବା ସମସ୍ତ ପାଞ୍ଜି, ସବୁଥିରେ ଉଲ୍ଲେଖ ରହିଛି ଯେ, ଆଷାଢ଼ ଅମାବାସ୍ୟା ଓ ଶୁକ୍ଳ ପ୍ରତିପଦ ତିଥିରେ ହିଁ ଠାକୁରଙ୍କ ନବଯୌବନ ବେଶ ଓ ନେତ୍ରୋତ୍ସବ ହେବ। ଆଷାଢ଼ ଶୁକ୍ଳ ଦ୍ବିତୀୟ ତିଥିରେ ଶ୍ରୀଗୁଣ୍ଡିଚା ଯାତ୍ରା ହେବ। ହଜାର ହଜାର ବର୍ଷର ଏହା ବିଧି ଓ ପରମ୍ପରା। ଏଣୁ ଅଣସର ସଂପୃକ୍ତ ଦଇତାପତି ସେବକମାନେ ପ୍ରତିପଦାରେ ନେତ୍ରୋତ୍ସବ ଓ ନବଯୌବନ ବେଶ କରିବା କଥା। ଯେହେତୁ ଚଳିତବର୍ଷ ୧୫ ଦିନ ବଦଳରେ ୧୩ ଦିନିଆ ମହାପ୍ରଭୁଙ୍କର ଅଣସର ଥିଲା, ହେଲେ ସେହି ଅନୁସାରେ ପ୍ରତିପଦା ପୂର୍ବରୁ ଅନ୍ୟାନ୍ୟ ଅଣସରକାଳୀନ ନୀତି ସାରିବା କଥା। ଏହାଥିଲା ଦଇତାପତିଙ୍କ ଦାୟିତ୍ବ ଓ ଏହା ସମ୍ଭବପର ବି ଥିଲା। କିନ୍ତୁ ସେଭଳି କିଛି କରାଗଲାନି। ଶ୍ରୀଗୁଣ୍ଡିଚା ଯାତ୍ରା ଦିନ ନେତ୍ରୋତ୍ସବ ଓ ନବଯୌବନ ବେଶ କରାଗଲା। ନବଯୌବନ ବେଶ ଓ ଶ୍ରୀଗୁଣ୍ଡିଚା ଯାତ୍ରା ଦିନର ଅନେକ ନୀତିକୁ ହଟାଇ ଦିଆଗଲା। ନବଯୌବନ ବେଶ ଦିନ ପ୍ରତିପଦାରେ ଠାକୁରଙ୍କ ମଙ୍ଗଳଆଳତି, ମଇଲମ, ଅବକାଶ ପରେ ଦଶାବତାର ଠାକୁରଙ୍କ ବାହୁଡ଼ା ବିଜେ, ତାଟି ଫିଟିବା, ଧୂଆଧୋଇ ହୋଇ ଚୁନ ପଡ଼ିବା, ଦଇତାପତି ସର୍ବାଙ୍ଗ ଓ ବନ୍ଦାପନା ପରେ ନେତ୍ରୋତ୍ସବ ବନ୍ଦାପନା, ରାଜନୀତି, ଯାତ୍ରାଙ୍ଗୀ ମହାସ୍ନାନ(ରଥଯାତ୍ରା ପାଇଁ), ବେଶ ପରେ ଗୋପାଳବଲ୍ଲଭ ଓ ଘଣ୍ଟଛତା ସକାଳଧୂପ ହେବା କଥା। ସକାଳଧୂପରେ ଠାକୁର ଖେଚୁଡ଼ି ଭୋଗ ଖାଇବାପରେ ରଥକୁ ଆଜ୍ଞାମାଳ ବିଜେ ନୀତି ଅନୁଷ୍ଠିତ ହେବା କଥା। ନବଯୌବନ ବେଶର ଦୈନନ୍ଦିନ ନୀତି ସହ ବଡ଼ସିଂହାର ବେଶ, ବଡ଼ସିଂହାର ଭୋଗ, ପହୁଡ଼ ଆଳତି ହୋଇ ଶ୍ରୀମୁଖ ଖଣ୍ଡୁଆ, ବାହୁଟ କଣ୍ଟ ଓ ସେନାପଟା ଲାଗି ହେବାକଥା। ପରଦିନ ଆଷାଢ଼ ଶୁକ୍ଳ ଦ୍ବିତୀୟ ତିଥିରେ ଶ୍ରୀଗୁଣ୍ଡିଚା ଯାତ୍ରାର ନୀତିକାନ୍ତି ଆରମ୍ଭ ହେବା କଥା। ମଙ୍ଗଳଆଳତି ଓ ଅନ୍ୟାନ୍ୟ ନୀତି ବଢ଼ିବାପରେ ସକାଳ ଧୂପରେ ଖେଚୁଡି ଭୋଗ ଖାଇ ଠାକୁର ପହଣ୍ଡିରେ ବାହାରିଥାନ୍ତେ। ଶ୍ରୀଗୁଣ୍ଡିଚା ଯାତ୍ରା ଦିନ ପହଣ୍ଡି ପୂର୍ବରୁ ରଥ ପ୍ରତିଷ୍ଠା ହୋଇଥାନ୍ତା।କିନ୍ତୁ, ଚଳିତବର୍ଷ ଅଣସର ଘରର ବିଧି ବ୍ୟବସ୍ଥାକୁ ଉଲ୍ଲଂଘନ କରି ନିୟମ ବାହାରେ ନେତ୍ରୋତ୍ସବ ଓ ନବଯୌବନ ବେଶ ପୂର୍ବରୁ ଅଣସର ଘରେ ବାହୁଟ କଣ୍ଟ, ସେନାପଟା ଲାଗି ହୋଇଥିଲା। କୁସୁମୀ ଲାଗି ହେଲାନି। ଠାକୁର ନବଯୌବନ ବେଶ ହେବାପରେ ଖୁସିରେ ରଥ ଆଣିବାକୁ ଆଜ୍ଞାମାଳ ପଠାଇଥା’ନ୍ତି। କିନ୍ତୁ ଠାକୁର ନବଯୌବନ ବେଶ ନ ହେବା ପୂର୍ବରୁ ପଟିଦିଅଁଙ୍କଠାରୁ ରଥକୁ ଆଜ୍ଞାମାଳ ବିଜେ କରାଗଲା। ଠାକୁରଙ୍କ ପାଖରୁ ଘଣ୍ଟା ଛତା ବାଜି ରଥ ଆଜ୍ଞାମାଳ ଯିବା କଥା। କିନ୍ତୁ ଅଣସର ନୀତି ଚାଲିଥିବାରୁ ଘଣ୍ଟଛତା ବାରଣ ଥିଲା। ତେଣୁ ବିନା ଘଣ୍ଟଛତାରେ ଆଜ୍ଞାମାଳ ବିଜେ କରାଗଲା। ନବଯୌବନ ବେଶର ଦୈନନ୍ଦିନ ନୀତିକୁ ସକାଳଧୂପ ଖେଚେଡ଼ି ଭୋଗଠାରୁ ବନ୍ଦ କରି ଦିଆଗଲା। ଏହା ପରେପରେ ରଥ ପ୍ରତିଷ୍ଠା କରାଗଲା। କିନ୍ତୁ ଶ୍ରୀଗୁଣ୍ଡିଚା ଯାତ୍ରାର ମଙ୍ଗଳ ଆଳତି, ମଇଲମ, ତଡ଼ପଲାଗି, ରୋଷହୋମ, ଅବକାଶ, ସୂର୍ୟ୍ୟପୂଜା, ଦ୍ବାରପାଳ ପୂଜା, ବେଶ, ଗୋପାଳବଲ୍ଲଭ, ସକାଳ ଧୂପ, ଖେଚୁଡ଼ି ଭୋଗ କରାଗଲାନି। ନବଯୌବନ ବେଶ ଓ ଶ୍ରୀଗୁଣ୍ଡିଚା ଯାତ୍ରାର ଅନେକ ନୀତିକୁ କାଟି ଦିଆଗଲା। ପାଲଟା ବସ୍ତ୍ର ପିନ୍ଧି, ଭୋକ ଉପାସରେ ଠାକୁରଙ୍କୁ ଜୋର ଜବରଦସ୍ତ ରଥକୁ ପହଣ୍ଡି କରି ଅଣାଗଲା। ଯାହାର ପରିଣାମ ଶ୍ରୀଗୁଣ୍ଡିଚା ଯାତ୍ରା ଦିନଠାରୁ ଦେଖିବାକୁ ମିଳିଲା। ବଡ଼ଠାକୁରଙ୍କ ରଥ ଗଡ଼ିଲାନି। ରଥ ଗଡ଼ିବା ବେଳେ ଭକ୍ତଙ୍କ ମୃତ୍ୟୁ ହେଲା। ଶତାଧିକ ଆହତ ହେଲେ। ପରେ ଆଡ଼ପପହଣ୍ଡି ବେଳେ ରଥ ଉପରେ ଏତେ ବଡ଼ ଅଘଟଣ ଘଟିଗଲା ବୋଲି କହିଛନ୍ତି ମୁଖ୍ୟ ବାଡ଼ଗ୍ରାହୀ ଶ୍ରୀ ଦାସମହାପାତ୍ର କହିଛନ୍ତି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking