ଦିସ୍ପୁର: ଆସାମର ଡୁମଡୁମା ଅଞ୍ଚଳରେ ଥିବା ଜାତିର ପିତା ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତିକୁ ହଠାତ୍ ହଟାଇଦିଆଯିବା ଘଟଣାକୁ ନେଇ ଏବେ ଆସାମରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ଏହି ଘଟଣାକୁ କେନ୍ଦ୍ରକର ପ୍ରଦେଶ କଂଗ୍ରେସ ୟୁନିଟ୍ ଏବେ ମାତ୍ରାଧିକ ପ୍ରତିବାଦ କରୁଥିବା ବେଳେ ରାଜ୍ୟର ବିଭିନ୍ନ ଛାତ୍ର ସଂଗଠନ ପକ୍ଷରୁ ମଧ୍ୟ ବିକ୍ଷୋଭ ଆରମ୍ଭ ହୋଇଛି । ପ୍ରକାଶ, ଦୁଇ ଦିନ ତଳେ ସହରର ଗାନ୍ଧି ଚୌକ ନିକଟରେ ଥିବା ୫ଫୁଟ ୫ ଇଞ୍ଚିର ଗାନ୍ଧିଙ୍କ ପ୍ରତିମୂର୍ତ୍ତିକୁ କ୍ରେନ ଦ୍ୱାରା ହଟାଇ ଦିଆଯାଇଥିଲା ।
ତେବେ ଏସବୁ ମଧ୍ୟରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା କିନ୍ତୁ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ହଟାଯିବା ନିଷ୍ପତ୍ତି ସମ୍ପର୍କରେ କିଛି ଜାଣିନଥିବା ସଫେଇ ଦେଇଛନ୍ତି । ସେ କହିଛନ୍ତି, “ଜିଲ୍ଲା ପ୍ରଶାସନର ପ୍ରତିମୂର୍ତ୍ତି ହଟାଇବା ନିଷ୍ପତ୍ତି ସମ୍ପର୍କରେ ସେ ଅବଗତ ନଥିଲେ । ତେବେ ଏହି ଘଟଣାର ଯାଞ୍ଚ କରାଯିବ । ଏବଂ ଆଇନ୍ ଅନୁସାରେ ଦଣ୍ଡବିଧାନ ମଧ୍ୟ କରାଯିବ । ଅନ୍ୟପକ୍ଷେ ଅଲ ଆସାମ୍ ଷ୍ଟୁଡେଣ୍ଟ ୟୁନିୟନ୍ ଅଭିଯୋଗ କରିଛି ଯେ ଏକ କ୍ଲକ୍ ଟାୱାର ପାଇଁ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିକୁ ହଟାଯାଇଛି ।