28.1 C
Bhubaneswar
Friday, October 18, 2024
Homeଦେଶ ବିଦେଶହତ୍ୟାକାରୀ ପୁଟିନ୍‌ଙ୍କୁ ମୋଦିଙ୍କ ଆଲିଙ୍ଗନ ଦୁଃଖଦ: ଜେଲେନ୍‌ସ୍କି

ହତ୍ୟାକାରୀ ପୁଟିନ୍‌ଙ୍କୁ ମୋଦିଙ୍କ ଆଲିଙ୍ଗନ ଦୁଃଖଦ: ଜେଲେନ୍‌ସ୍କି

କିଭ୍ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ଦିନିଆ ମସ୍କୋ ଗସ୍ତରେ ଯାଇ ରୁଷିଆ ରାଷ୍ଟ୍ରପତି ପୁଟିନ୍‌ଙ୍କୁ ସାକ୍ଷାତ୍ କରିବା ଘଟଣାରେ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନ୍‌ସ୍କି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସୋମବାର ରୁଷିଆ ୟୁକ୍ରେନ ରାଜଧାନୀ କିଭ୍‌ସ୍ଥିତ ଏକ ଶିଶୁ ହସ୍ପିଟାଲ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କରିବାରୁ ୩ ଛୋଟ ପିଲାଙ୍କ ସମେତ ୩୭ ଜଣଙ୍କ ମୃତ୍ୟୁ ଘଟିଥିଲା । ଏହି ଆକ୍ରମଣରେ ସ୍କୁଲ୍‌, ମାଟର୍ନିଟି ହସ୍ପିଟାଲ ସମେତ ପ୍ରାୟ ୧୦୦ ବିଲ୍ଡିଂ କ୍ଷତିଗ୍ରସ୍ତ ହୋଇଛି । ଏଭଳି ଦିନରେ ମସ୍କୋରେ ବିଶ୍ୱର ସବୁଠୁ ହତ୍ୟାକାରୀ ଅପରାଧୀଙ୍କୁ ସର୍ବବୃହତ୍ ଗଣତନ୍ତ୍ରର ନେତା ଆଲିଙ୍ଗନ କରିବା ଅତ୍ୟନ୍ତ ଦୁଃଖଦାୟକ ଏବଂ ଶାନ୍ତି ଉଦ୍ୟମ ପ୍ରତି ବଡ଼ ଧକ୍କା ବୋଲି ଜେଲେନ୍‌ସ୍କି କହିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ରୁଷିଆ ରାଷ୍ଟ୍ରପତିଙ୍କୁ ସୋମବାର ତାଙ୍କ ବାସଭବନରେ ସାକ୍ଷାତ୍ କରିବା ସମୟରେ ଉଭୟ ପରସ୍ପରକୁ ଆଲିଙ୍ଗନ କରିଥିଲେ । ଏହି ଫଟୋ ଅନ୍‌ଲାଇନରେ ବିପୁଳ ଭାବେ ଶେୟାର କରାଯାଇଛି । ମୋଦି-ପୁଟିନଙ୍କ ସାକ୍ଷାତ୍ ପରେ ଜେଲେନ୍‌ସ୍କି ଏକ୍ସରେ ଉପରୋକ୍ତ ପ୍ରତିକ୍ରିୟା ପୋଷ୍ଟ କରିଛନ୍ତି ।

୨୦୨୨ ଫେବୃୟାରୀ ୨୪ରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ ୟୁକ୍ରେନ୍ ଉପରେ ଆକ୍ରମଣ କରିବା ପାଇଁ ନିଜ ସେନାକୁ ନିର୍ଦ୍ଦେଶ ଦେଇଥିଲେ । ସେବେଠୁ ଚାଲିଥିବା ଯୁଦ୍ଧରେ ଉଭୟ ପକ୍ଷର ଅନେକ ନୀରିହ ଲୋକ ନିହତ ହେଲେଣି । ୟୁକ୍ରେନ୍ ସହ ରୁଷିଆର ଯୁଦ୍ଧ ଲାଗିରହିଥିବାବେଳେ ପ୍ରଧାନମନ୍ତ୍ରୀ ମୋଦି ପ୍ରଥମ ଥର ପାଇଁ ମସ୍କୋ ଗସ୍ତରେ ଯାଇଛନ୍ତି । ହିଂସାର ସମାଧାନ ଯୁଦ୍ଧ କ୍ଷେତ୍ରରେ ମିଳିପାରିବ ନାହିଁ ବୋଲି ସେ ପୁଟିନ୍‌ଙ୍କୁ ସାକ୍ଷାତ୍ ସମୟରେ କହିଛନ୍ତି । ଆଞ୍ଚଳିକ ସଂହତି, ସାର୍ବଭୌମତ୍ୱ ସମେତ ଜାତିସଂଘର ନିୟମାବଳୀକୁ ସମ୍ମାନ ଦେବା ପାଇଁ ଭାରତ ସବୁବେଳେ ଆହ୍ୱାନ ଦେଇଆସିଛି । ଯୁଦ୍ଧକ୍ଷେତ୍ରରେ କୌଣସି ସମାଧାନ ନାହିଁ । ଆଲୋଚନା ଏବଂ କୂଟନୈତିକ ମାଧ୍ୟମରେ ସମାଧାନ ପନ୍ଥା ବାହାର କରାଯାଇପାରିବ ବୋଲି ମୋଦି ପୁଟିନ୍‌ଙ୍କୁ କହିଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking