31.1 C
Bhubaneswar
Thursday, April 30, 2026
Homeଦେଶ ବିଦେଶନିଟ୍ (ୟୁଜି) ପରୀକ୍ଷା ବିବାଦ; ସିଜେଆଇଙ୍କ ବେଞ୍ଚ କରିବ ସମସ୍ତ ମାମଲାର ଶୁଣାଣି

ନିଟ୍ (ୟୁଜି) ପରୀକ୍ଷା ବିବାଦ; ସିଜେଆଇଙ୍କ ବେଞ୍ଚ କରିବ ସମସ୍ତ ମାମଲାର ଶୁଣାଣି

ନୂଆଦିଲ୍ଲୀ: ନିଟ୍ (ୟୁଜି) ପରୀକ୍ଷା ବିବାଦଜନିତ ସମସ୍ତ ମାମଲାକୁ ସୁପ୍ରିମକୋର୍ଟ ସ୍ଥାନାନ୍ତର କରାଯାଇଛି । ତେବେ ଏସବୁ ମାମଲା ଉପରେ ଏକତ୍ର ଶୁଣାଣି କରାଯିବ । ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି (ସିଜେଆଇ) ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡଙ୍କ ନେତୃତ୍ୱାଧୀନ ଖଣ୍ଡପୀଠରେ ଏସମସ୍ତ ମାମଲାର ଶୁଣାଣି କରାଯିବ । ନିଟ୍ (ୟୁଜି) ପେପର ଲିକ୍ ବିବାଦକୁ ନେଇ ଏପ୍ରକାର କିଛି ବଡ ଅପଡେଟ୍ ଏବେ ସାମ୍ନାକୁ ଆସିଛି । ସିଜେଆଇଙ୍କ ଖଣ୍ଡପୀଠରେ ଜଷ୍ଟିସ ଜେବି ପାଦରିୱାଲା ଏବଂ ଜଷ୍ଟିସ ମନୋଜ ମିଶ୍ର ମଧ୍ୟ ଅନ୍ତର୍ଭୁକ୍ତ ହୋଇଛନ୍ତି ।
ରିପୋର୍ଟ ଅନୁସାରେ ଆସନ୍ତା ୮ ତାରିଖରେ ସିଜେଆଇଙ୍କ ନେତୃତ୍ୱାଧୀନ ୩ଜଣିଆ ଖଣ୍ଡପୀଠ ଏହି ଗୁରୁତ୍ୱପୂର୍ଣ୍ଣ ମାମଲାରେ ଶୁଣାଣି ଆରମ୍ଭ କରିବେ । ତେବେ ବର୍ତ୍ତମାନ ସୁଦ୍ଧା ନିଟ୍ ସହ ଜଡିତ ମାମଲା ଉପରେ ସୁପ୍ରିମକୋର୍ଟଙ୍କ ଅବକାଶ ବେଞ୍ଚ ଶୁଣାଣି କରିଆସୁଥିଲେ । ଏବେ କିନ୍ତୁ ଏସବୁ ମାମଲା ଉପରେ ଏକ ପୂର୍ଣ୍ଣକାଳୀନ ଖଣ୍ଡପୀଠରେ ଶୁଣାଣି ହେବ । ଗୋଟିଏ ପଟେ ନିଟ୍ (ୟୁଜି) ପରୀକ୍ଷା ସମ୍ବନ୍ଧୀତ ସମସ୍ତ ଆବେଦନ ଉପରେ ଶୁଣାଣି ପାଇଁ ସୁପ୍ରିମକୋର୍ଟ ଜୁଲାଇ ୮କୁ ଧାର୍ଯ୍ୟ କରିଥିବା ବେଳେ ଅନ୍ୟପକ୍ଷେ ମେଡିକାଲ କଲେଜ୍‌ଗୁଡ଼ିକରେ ଆଡ୍‌ମିଶନ ପାଇଁ ଜୁଲାଇ ୬ରୁ ଆରମ୍ଭ ହେବାକୁ ଥିବା କାଉନସେଲିଂ ପ୍ରକ୍ରିୟା କୌଣସି ପରିସ୍ଥିତିରେ ମଧ୍ୟରେ ବନ୍ଦ ହେବ ନାହିଁ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ।
ସୂଚନାଯୋଗ୍ୟ, ମେ ୫ରେ ନିଟ୍ (ୟୁଜି) ପରୀକ୍ଷା ଆୟୋଜନ କରାଯାଇଥିଲା । ଏଥିପାଇଁ ୨୩ଲକ୍ଷରୁ ଅଧିକ ଛାତ୍ରୀଛାତ୍ର ପଞ୍ଜୀକୃତ ହୋଇଥିଲେ । ତେବେ ଜୁନ୍ ୪ରେ ନିଟ୍ (ୟୁଜି) ଫଳାଫଳ ଘୋଷଣା କରାଯାଇଥିଲା । ଫଳାଫଳ ପ୍ରକାଶ ପାଇବା ପୂର୍ବରୁ ନିଟ୍ (ୟୁଜି) ପରୀକ୍ଷାରେ ଅନିୟମିତତା ହୋଇଥିବା ସମ୍ବନ୍ଧୀୟ ଏକାଧିକ ଅଭିଯୋଗ ସାମ୍ନାକୁ ଆସିଥିଲା । ପ୍ରଥମତଃ ନିର୍ଦ୍ଧାରିତ ତାରିଖ ପୂର୍ବରୁ ଫଳାଫଳ ଘୋଷଣା, ଦ୍ୱିତୀୟତଃ ୧୫୬୩ଜଣ ପିଲାଙ୍କୁ ଗ୍ରେସ୍ ମାର୍କ ଦିଆଯିବା, ତୃତୀୟତଃ ୬୭ ଜଣ ଛାତ୍ରୀଛାତ୍ର ପୂର୍ଣ୍ଣ ମାର୍କ ୭୨୦ରୁ ୭୨୦ ରଖିବା ଏବଂ କିଛି ନିର୍ଦ୍ଦିଷ୍ଟ ରାଜ୍ୟର ଛାତ୍ରଛାତ୍ରୀ ନିର୍ଦ୍ଦିଷ୍ଟ ଗୋଟିଏ ପରୀକ୍ଷା କେନ୍ଦ୍ର ବାଛିବାକୁ ନେଇ ସନ୍ଦେହ ପ୍ରକାଶ ପାଇଥିଲା । ଏବଂ ପରେ ପରେ ପରୀକ୍ଷା ପ୍ରଶ୍ନପତ୍ର ହିଁ ଲିକ୍ ହୋଇଥିବା ଜଣାପଡ଼ିଥିଲା । ଏହାପରେ ପରୀକ୍ଷାରେ ବ୍ୟାପକ ଅନିୟମିତତାର ଅଭିଯୋଗ କରି ଛାତ୍ରଛାତ୍ରୀମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ । ତେବେ ଏପ୍ରକାର ଅଭିଯୋଗ ଆସିବା ପରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଏହି ଘଟଣାର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରିଥିଲା । ସିବିଆଇ ମଧ୍ୟ, ବିହାର, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଝାଡଖଣ୍ଡ ଆଦି ରାଜ୍ୟରେ ବ୍ୟାପକ ଚଢ଼ଉ ଜାରି ରଖିôଥିବା ବେଳେ ପେପର ଲିକ୍ ତଥା ଅନ୍ୟ ଅନିୟମିତତା କରିଥିବା ଘଟଣାରେ ୬/୭ଜଣଙ୍କୁ ବର୍ତ୍ତମାନ ସୁଦ୍ଧା ଗିରଫ କରିସାରିଛି । ଦେଶର ବିଭିନ୍ନ ପ୍ରାନ୍ତରେ ନିଟ୍ (ୟୁଜି) ପରୀକ୍ଷାରେ ଦୁର୍ନୀତି ହୋଇଥିବା ଅଭିଯୋଗ ଆଧାରରେ ମାମଲା ରୁଜୁ କରାଯାଇଥିଲା । ପରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସେସବୁ ମାମଲାକୁ ସୁପ୍ରିମକୋର୍ଟଙ୍କୁ ସ୍ଥାନାନ୍ତର କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking