ବାର୍ବାଡୋସ: ଟି-୨୦ ଅନ୍ତର୍ଜାତୀୟ ୱାର୍ଲ୍ଡ କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଶେଷ ହୋଇଛି । ଗତ ଶନିବାର ଦିନ ଖେଳାଯାଇଥିବା ଫାଇନାଲ ମ୍ୟାଚ୍ରେ ସାଉଥ୍ ଆଫ୍ରିକାକୁ ହରାଇ ଭାରତ ବିଶ୍ୱ ବିଜେତା ଟାଇଟଲ୍କୁ ନିଜ ନାମରେ କରିନେଇଛି । ଭାରତ ବିଜୟୀ ହେବା ପରଠାରୁ ଭାରତରେ ଏବେ ଆନନ୍ଦ ଉଲ୍ଲାସର ମାହୋଲ ରହିଥିବା ବେଳେ ସ୍ୱଦେଶ ପ୍ରତ୍ୟାବର୍ତ୍ତନ ଅପେକ୍ଷାରେ ରହିଛି ଭାରତୀୟ କ୍ରିକେଟ ଦଳ । ସେହିପରି ବିଦେଶ ମାଟିରେ ନିଜ ଦେଶ ଓ ତ୍ରିରଙ୍ଗାକୁ ଉଚ୍ଚା କରିଥିବା ନିଜ ହିରୋଙ୍କୁୂ ମଧ୍ୟ ସ୍ୱାଗତ କରିବା ପାଇଁ ଦେଶବାସୀଙ୍କ ମଧ୍ୟରେ ପ୍ରବଳ ଉତ୍କଣ୍ଠା ରହିଛି । କିନ୍ତୁ ଭାରତୀୟ କ୍ରିକେଟ୍ ଦଳ ଏବେ ସେଠାରେ ଏକ ବଡ଼ ଘୂର୍ଣ୍ଣିଝଡ ‘ବରିଲ’ର ସମ୍ମୁୂଖୀନ ହୋଇଥିବା ସୂଚନା ମିଳିଛି । ବରିଲ୍ ଯୋଗୁ ସ୍ଥାନୀୟ ପାଣିପାଗ ବିମାନ ଉଡାଣ ଅନୁକୂଳ ହୋଇନଥିବାରୁ ଭାରତୀୟ କ୍ରିକେଟ୍ ଟିମ୍ (ଖେଳାଳୀ ଏବଂ ଅନ୍ୟ ସହଯୋଗୀ ଷ୍ଟାଫ୍) ସେଠାରେ ଏବେ ଫସି ରହିଛନ୍ତି । ସିଧାଅର୍ଥରେ କହିଲେ ପାଣିପାଗରେ ସୁଧାର ନଆସିବା ଯାଏ ଅର୍ଥାତ୍ ବିମାନ ଉଡାଣ ସ୍ୱାଭାବିକ ନହେବା ଯାଏ ଭାରତୀୟ ଖେଳାଳୀ ସେଠାରେ ରହିବାକୁ ଏକରକମ ବାଧ୍ୟ ହୋଇପଡିଛନ୍ତି । ରିପୋର୍ଟ ଅନୁସାରେ ଭାରତୀୟ କ୍ରିକେଟ୍ ଟିମ୍ ଏବେ ବାର୍ବାଡୋସ୍ ଠାରେ ଅଟକିରହିଛନ୍ତି । ଭାରତ ଅଭିମୁଖେ ଉଡାଣ ଭରିବା ପାଇଁ ସେମାନଙ୍କୁ ଆଉ କିଛି ସମୟ ଅପେକ୍ଷା କରିବାକୁ ହେବ ବୋଲି କୁହାଯାଉଛି । ତେବେ ଅନ୍ୟ ଏକ ରିପୋର୍ଟ ଅନୁସାରେ ଭାରତୀୟ କ୍ରିକେଟ ଟିମ୍ ଏବଂ ସେମାନଙ୍କ ପରିବାର, ସେମାନଙ୍କ ସହ ଥିବା ବିସିସିଆଇ ଅଫିସିଆଲ ସମସ୍ତଙ୍କୁ ସୁରକ୍ଷିତ ସ୍ୱଦେଶ ଫେରାଇ ଆଣିବା ପାଇଁ ସ୍ୱତନ୍ତ୍ର ବିମାନର ବ୍ୟବସ୍ଥା ବିସିସିଆଇ ପକ୍ଷରୁ କରାଯାଉଥିବା ଜଣାପଡ଼ିଛି । ଏପରିକି ଏ ବାବଦରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ମଧ୍ୟ ଯୋଗାଯୋଗ କରାଯାଉଥିବା ଜଣାପଡ଼ିଛି ।
ଆଟଲାଣ୍ଟିକ୍ରେ ସୃଷ୍ଟି ହୋଇଥିବା ସାମିୁଦ୍ରିକ ଝଡ଼ ବର୍ତ୍ତମାନ ଇଷ୍ଟ୍ ସାଉଥ୍ ଇଷ୍ଟ ବାର୍ବାଡସରୁ ୫୭୦ କିଲୋମିଟର ଦୂରରେ ରହିଛି । ଏହା ବର୍ତ୍ତମାନ ୨୧୦ କିମି ବେଗରେ ଆଗକୁ ବଢୁଛି । ଟିମ୍ ଇଣ୍ଡିଆ ସଦସ୍ୟ ‘ଦ ହିଲଟନ’ହୋଟେଲରେ ରହୁଥିବା ବେଳେ ତାହା ସମୁଦ୍ର ନିକଟରେ ଅବସ୍ଥିତ । ତେଣୁ ତାହା ଅଧିକ କ୍ଷତିଗ୍ରସ୍ତ ହେବ ବୋଲି ଆକଳନ କରାଯାଉଛି । ସୁତରାଂ ଖେଳାଳୀଙ୍କୁ ସୁରକ୍ଷିତ ଭାବେ ଅନ୍ୟ ଏକ ୫ଷ୍ଟାର ହୋଟେଲ୍କୁ ସ୍ଥାନାନ୍ତର କରାଯିବା ପାଇଁ ପ୍ର୍ରକିୟା ଆରମ୍ଭ ହୋଇଥିବା ସୂଚନା ମିଳିଛି । ପ୍ରକାଶ, ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ, ଟିମ୍ ଇଣ୍ଡିଆ ସଦସ୍ୟ ପ୍ରଥମେ ନ୍ୟୁୟର୍କ ଗସ୍ତରେ ଯାଇଥାନ୍ତେ । ସେଠାରୁ ସେମାନେ ଦୁବାଇ ମାର୍ଗ ଦେଇ ଭାରତ ଫେରିଥାନ୍ତେ । ଆଜି ରାତି ୮ଟା ୩୦ରେ ସେମାନଙ୍କ ଫ୍ଲାଇଟ୍ ଉଡ଼ାଣ ଭରିବ ବୋଲି ସ୍ଥିର ହୋଇଥିଲା । କିନ୍ତୁ ବରିଲ’ ସବୁକିଛି କାର୍ଯ୍ୟସୂଚୀକୁ ପ୍ରଭାବିତ କରିଦେଇଛି ।










