ପୁରୀ : ରଥଖଳାରେ ହାତବାନ୍ଧି ବସିଛନ୍ତି ମହାରଣା ସେବକ। ଜୁଲାଇ ୭ରେ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ହେଲେ ରଥକାଠର ଅଭାବ ଦେଖାଦେଇଥିବାରୁ ହାତ ବାନ୍ଧି ବସିଛନ୍ତି ମହାରଣା ସେବକ। ଏଯାଏ କରତକଳରୁ ତେର ପରସ୍ତ ପୋଟଳ କାମ ପାଇଁ ପାଞ୍ଚ ପାହିଆ ପଟା ପହଞ୍ଚି ନାହିଁ। ପଟା ରଥଖଳାରେ ନିର୍ଦ୍ଧାରିତ ସମୟରେ ପହଞ୍ଚି ନଥିବାରୁ ମହାରଣା ସେବକ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। କାଠ ପହଞ୍ଚି ନଥିବାରୁ ଧାର୍ଯ୍ୟ ସମୟରେ ରଥକାମ ସାରିବା ଆହ୍ବାନ ପାଲଟିବ ବୋଲି ସେ କହିଛନ୍ତି।
ଖାଲି ସେତିକି ନୁହେଁ, ନନ୍ଦିଘୋଷ ରଥର ଦଣ୍ଡା ତିଆରି ପାଇଁ ଯୋଗାଇ ଦିଆଯାଇଥିବା କାଠରେ ମଧ୍ୟ ତ୍ରୁଟି ପରିଲକ୍ଷିତ ହୋଇଥିଲା। ବନ ବିଭାଗ ପକ୍ଷରୁ ଏଥିପାଇଁ ଯୋଗାଇ ଦିଆଯାଇଥିବା ୪୦ ଫୁଟିଆ କାଠ ମଧ୍ୟରୁ କିଛି କାଠକୁ ଚଉପଟ କରିବା ପରେ କାଠ ଭିତରେ ପୋଲା ରହିଥିଲା। ତେଣୁ ସେହି କାଠଗୁଡ଼ିକୁ କାମ କରିସାରିବା ପରେ ବାଦ୍ ଦିଆଯାଇଥିଲା। ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥର ଦଣ୍ଡା ପାଇଁ ଆସିଥିବା କାଠରେ ମଧ୍ୟ ଅନୁରୂପ ତ୍ରୁଟି ରହିଥିଲା। ତେବେ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ , ତିନିରଥରେ ତୃତୀୟ ଭୂଇଁ ତଥା ଅଗ ଭୂଇଁ ସଂଯୋଗ ସରିଲାଣି। ତୃତୀୟ ଭୂଇଁ ଉଠିବା ପୂର୍ବରୁ ତେର ପରସ୍ତ ପୋଟଳ କାମ ଆରମ୍ଭ ହୋଇଯାଇଥାଏ। କିନ୍ତୁ ଏଥର କାଠ ପଟା ଯୋଗାଣରେ ଅବହେଳା ଯୋଗୁ ରଥ କାମ ମନ୍ଥର ହୋଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥର ମୁଖ୍ୟ ବିଶ୍ବକର୍ମା ତଥା ମହାରଣା ସେବକ ବିଜୟ କୁମାର ମହାପାତ୍ର କହିଛନ୍ତି, ତେର ପରସ୍ତ ପ୍ରସ୍ତୁତ କରିବା ସମୟ ସାପେକ୍ଷ କାର୍ଯ୍ୟ। ତୃତୀୟ ଭୂଇଁ ଉଠିବା ସହ ପୋଟଳ କାମ ଆରମ୍ଭ ହେବା କଥା। ଏଥିପାଇଁ ପାଞ୍ଚ ପାହିଆ କଞ୍ଚା ମହି ପଟା ଆବଶ୍ୟକ ରହିଛି। ତେବେ ରଥ କାଠ ଠିକ୍ ସମୟରେ ପହଞ୍ଚୁ ନଥୁବାରୁ ସମୟ ପୂର୍ବରୁ କିଭଳି କାର୍ଯ୍ୟ ସରିବ ସେନେଇ ଏବେ ଚିନ୍ତାରେ ବିଶ୍ଵକର୍ମା। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପାଖରେ ବିଶ୍ଵକର୍ମା ମାନେ ଅଭିଯୋଗ କରିଥିଲେ ମଧ୍ୟ ସବୁ କାର୍ଯ୍ୟ ଠିକ୍ ଭାବେ ହେବ ବୋଲି ଅଧିକାରୀ ମାନେ କହୁଛନ୍ତି । ତେବେ ତିନି ରଥ ପାଇଁ ପୋଟଳ, ଚନ୍ଦ୍ରଶାଳୀ, ଦୁଆର ବେଢ଼ା ଆଦି ନିର୍ମାଣ ପାଇଁ ରଥଖଳାରେ କାଠ ଏପର୍ଯ୍ୟନ୍ତ ପହଞ୍ଚି ପାରିନାହିଁ। ଶ୍ରୀମନ୍ଦିର ପ୍ରଶାସନର ଏଭଳି ଅବହେଳାକୁ ଦାୟୀ କରିଛନ୍ତି ଦର୍ପଦଳନ ରଥର ବିଶ୍ବକର୍ମା। ତୁରନ୍ତ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାର ଆବଶ୍ୟକତା ରହିଛି ବୋଲି ବିଶ୍ବକର୍ମା କହିଛନ୍ତି। ନଚେଡ଼ ରଥ ନିର୍ମାଣ କାର୍ଯ୍ୟ ଠିକ୍ ସମୟରେ ଶେଷ ହୋଇପାରିବ ନାହିଁ।