ମୋରେସବାଏ: ପପୁଆ ନ୍ୟୁ ଗିନିରେ ପ୍ରକୃତିର ତାଣ୍ଡବ । ଭୂସ୍ଖଳନରେ ଅତି କମରେ ୧୦୦ରୁ ଅଧିକ ଜୀବନ ଯାଇଥିବା ଖବର ସାମ୍ନାକୁ ଆସିଛି । ଅନେଇ ଅନ୍ତର୍ଜାତୀୟ ମିଡିଆରେ ଖବର ପ୍ରସାରିତ ହୋଇଛି । ଦକ୍ଷିଣ ପ୍ରଶାନ୍ତ ଦ୍ୱୀପପୁଞ୍ଜର ରାଜଧାନୀ ପୋର୍ଟ ମୋରେସବିଠାରୁ ପ୍ରାୟ ୬୦୦ କିଲୋମିଟର ଉତ୍ତର-ପଶ୍ଚିମ ଏଙ୍ଗା ପ୍ରଦେଶର କାଓକାଲମ ଗ୍ରାମ ନିକଟରେ ସକାଳ ପ୍ରାୟ ୩ଟା ସମୟରେ ହଠାତ ଭୂସ୍ଖଳନ ହୋଇଥିଲା । ଫଳରେ ଅନେକ ଘର ନଷ୍ଟ ହୋଇଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୧୦୦ରୁ ଅଧିକ ମୃତଦେହ ଉଦ୍ଧାର କରାଯାଇଥିବା ଖବର ପ୍ରସାରିତ ହେଉଛି । କିନ୍ତୁ ସ୍ଥାନୀୟ ସରକାରୀ ଅଧିକାରୀଙ୍କ ଦ୍ୱାରା ମୃତକଙ୍କ ସଂଖ୍ୟା ସ୍ପଷ୍ଚ କରାଯାଇ ନାହିଁ । ରିଲିଫ କର୍ମୀ ଉଦ୍ଧାର କାର୍ଯ୍ୟ ଜାରି ରଖିବା ବେଳେ ଅନେକ ମୃତଦେହ ଚାପି ହୋଇ ରହିଥିବା ଆକଳନ କରାଯାଉଛି । ଏହି ସଂଖ୍ୟା ଆଗକୁ ବୃଦ୍ଧି ପାଇବାରେ ବୋଲି ଅନୁମାନ କରାଯାଉଛି । ଭୂସ୍ଖଳନ ହେତୁ ଅନେକ ଗାଁର ଅନେକ ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ।
ଉଦ୍ଧାରକାରୀ ଦଳ ପ୍ରଭାବିତ ଲୋକଙ୍କୁ ସ୍ଥାନାନ୍ତର କରୁଛନ୍ତି । ଭୂସ୍ଖଳନ ପୋତି ହୋଇଯାଇଥିବା ବ୍ୟକ୍ତିଙ୍କୁ ବାହାର କରିବାରେ ସ୍ଥାନୀୟ ଲୋକେ ମଧ୍ୟ ଉଦ୍ଧାରକାରୀ ଟିମକୁ ସାହାଯ୍ୟ କରୁଥିବା ଦେଖିବାକୁ ମିଳିଛି । ଭୂସ୍ଖଳନ ପୂର୍ବରୁ ପାପୁଆ ନ୍ୟୁ ଗିନି ଭୂକମ୍ପରେ ମଧ୍ୟ ଅନୁଭୂତ ହୋଇଥିଲା । ଫିନ୍ସାଫେନ୍ର ୩୯ କିଲୋମିଟର ଉତ୍ତର-ପଶ୍ଚିମ ଦିଗରେ ଏହି ଭୂକମ୍ପ ଘଟିଥିଲା ଏବଂ ରିକ୍ଟର ସ୍କେଲରେ ତୀବ୍ରତା ୫.୩ ରେକର୍ଡ କରାଯାଇଥିଲା । ଭାରତୀୟ ସମୟ ଅନୁଯାୟୀ, ଗୁରୁବାର ସକାଳ ୯.୪୯ ସମୟରେ ପପୁଆ ନ୍ୟୁଗିନିରେ ଏହି ଭୂକମ୍ପ ହୋଇଥିଲା । କିନ୍ତୁ ଭୂକମ୍ପରେ କୌଣସି କ୍ଷତି ହୋଇନଥିବା କୁହାଯାଇଥିଲା । ତେବେ ପପୁଆ ନ୍ୟୁଗିନିର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଲୋକମାନେ ବିରାଟ ପଥର ଉପରକୁ ଚଢିବା ସହିତ ଅଳିଆ ଗଦା ଏବଂ ଗଛ ତଳୁ ମୃତଦେହକୁ ବାହାର କରୁଥିବା ଦେଖାଯାଇଛି । ପୋର୍ଗେରା ମହିଳା ଇନ୍ ବିଜିନେସ୍ ଆସୋସିଏସନର ସଭାପତି ଏଲିଜାବେଥ୍ ଲାରୁମା କହିଛନ୍ତି, ଭୂସ୍ଖଳନରେ ରାସ୍ତା ଦବିବା ସହିତ ଅନେକ ଘର ନଷ୍ଟ ହୋଇଯାଇଥିଲା । ପ୍ରଭାତରୁ ଏହା ହୋଇଥିଲା । ଲୋକମାନେ ଶୋଇଥିବାରୁ ସମସ୍ତେ ପୋତି ହୋଇଯାଇଥିଲେ । ଫଳରେ ଅନେକ ଲୋକଙ୍କ ପ୍ରାଣ ଯାଇଥିଲା ।