ରାୟପୁର: ଛତିଶଗଡ଼ରେ ନିର୍ବାଚନୀ ହିଂସା ସଂଘଠିତ ହୋଇଛି । ରିପୋର୍ଟ ଅନୁସାରେ ନାରାୟଣପୁର ଅଞ୍ଚଳରେ ବିକ୍ରମ ବ୍ୟାସ ନାମକ ଜଣେ ଯୁବ କଂଗ୍ରେସ ନେତାଙ୍କୁ ଗୁଳି କରି ହତ୍ୟା କରାଯାଇଛି । ତାଙ୍କ ଉପରକୁ ୪/୫ ରାଉଣ୍ଡ୍ ଗୁଳିମାଡ଼ କରାଯାଇଥିବା ବେଳେ ଛାତି ଏବଂ ମୁଣ୍ଡରେ ଗୁଳି ବାଜିଛି । ଡାକ୍ତରୀ ଟିମ୍ ସମସ୍ତ ଚେଷ୍ଟା ସତ୍ତ୍ୱେ ତାଙ୍କୁ ବଞ୍ଚାଇବାରେ ବିଫଳ ହୋଇଛନ୍ତି । ପୁଲିସ୍ ରିପୋର୍ଟ ଅନୁସାରେ ବିକ୍ରମ ବ୍ୟାସ ସୋମବାର ରାତି ପ୍ରାୟ ୯ଟା ସମୟରେ ନିଜ ଘରକୁ ଫେରୁଥିବା ବେଳେ ତାଙ୍କୁ ବିଚ୍ ରାସ୍ତାରେ ଗୁଳିମାଡ଼ କରାଯାଇଛି । କିଛି ଅଜଣା ବନ୍ଧୁକଧାରୀ ତାଙ୍କୁ ଉପରକୁ ଆଖିବୁଜା ଗୁଳିମାଡ କରି ଫେରାର ହୋଇଯାଇଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ତାଙ୍କର ମୃତ୍ୟୁ ହୋଇଛି । ନାରାୟଣପୁର ଏସ୍ପି ଏସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଅଭିଯୁକ୍ତଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରିରହିଛି । ଖୁବଶୀଘ୍ର ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ । ପ୍ରକାଶ, ବିକ୍ରମ ବ୍ୟାସ୍ ବ୍ଲକ କଂଗ୍ରେସ ଉପାଧ୍ୟକ୍ଷ ଥିଲେ । ବିକ୍ରମଙ୍କ ହତ୍ୟା ବିଷୟରେ ସୂଚନା ପାଇବା ପରେ ନାରାୟଣପୁରର କଂଗ୍ରେସ ନେତା ତଥା ପରିବହନ ସଂଘର ସଦସ୍ୟମାନେ ହସ୍ପିଟାଲରେ ଭିଡ ଜମାଇଥିଲେ । ତେବେ ତାଙ୍କୁ ନକ୍ସଲମାନେ ପୂର୍ବରୁ ଧମକ ଦେଇଥିଲେ କି? ଅଥବା ତାଙ୍କର ପୂର୍ବରୁ କାହା ସହ ଝଗଡା ହୋଇଥିଲା କି? ଏସବୁ ଦିଗକୁ ନେଇ ମଧ୍ୟ ପୁଲିସ ଯାଞ୍ଚ ଜାରି ରଖିଛି ।