କଟକ: ଓଡିଶା ରୁରାଲ୍ ହାଉସିଂ ଡେଭେଲପ୍ମେଣ୍ଟ୍ କର୍ପୋରେସନ୍ (ଓଆର୍ଏଚ୍ଡିସି)ଦୁର୍ନୀତି ମାମଲାରେ ମେଟ୍ରୋ ବିଲଡର୍ସ ପ୍ରାଇଭେଟ୍ ଲିମିଟେଡ୍ର ପରିଚାଳନା ନିର୍ଦ୍ଦେଶକ ତଥା ବାରବାଟୀ-କଟକ ବିଧାୟକ ମହମ୍ମଦ୍ ମୋକିମ୍ଙ୍କୁ ନିମ୍ନ ଅଦାଲତ ପ୍ରଦାନ କରିଥିବା ଦଣ୍ଡାଦେଶକୁ ହାଇକୋର୍ଟ କାଏମ ରଖିଛନ୍ତି । ବିଧାୟକ ମୋକିମ୍ଙ୍କ ପକ୍ଷରୁ କରାଯାଇଥିବା ଆବେଦନର ଶୁଣାଣି କରି ବିଚାରପତି ବି.ପି.ରାଉତରାୟ ଉପରୋକ୍ତ ଆଦେଶ ପ୍ରଦାନ କରିଛନ୍ତି । ଅନ୍ୟପକ୍ଷେ ନିମ୍ନ ଅଦାଲତଙ୍କ ଦଣ୍ଡାଦେଶକୁ ଖାରଜ କରିବାକୁ ମୋକିମ୍ କରିଥିବା ଆବେଦନକୁ ହାଇକୋର୍ଟ ଖାରଜ କରିଦେଇଛନ୍ତି । ବିଧାନସଭା ନିର୍ବାଚନ ବେଳେ ହାଇକୋର୍ଟଙ୍କ ଏପରି ଆଦେଶ ଫଳରେ ମୋକିମ୍ଙ୍କୁ ଝଟ୍କା ଦେଇଛିି । ୨୨ ବର୍ଷ ତଳର ଓଆର୍ଏଚ୍ଡିସି ଦୁର୍ନୀତି ମାମଲାରେ ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନସ୍ କୋର୍ଟ ତାଙ୍କୁ ୩ ବର୍ଷ ଜେଲ୍ ଦଣ୍ଡାଦେଶ ଦେଇଥିଲେ । ତେବେ ୨୦୧୩ ମସିହାର ସର୍ବୋଚ୍ଚ ଅଦାଲତଙ୍କ ନିର୍ଦ୍ଦେଶ ଆଧାରରେ ୩ ବର୍ଷର ଜେଲ୍ ଦଣ୍ଡ ବିଧାନ ଅନୁସାରେ ତାଙ୍କର ସଦସ୍ୟ ପଦ ରଦ୍ଦ ହେବ ବୋଲି ବ୍ୟବସ୍ଥା ଥିବାରୁ ମୋକିମ୍ ଏପରି ଦଣ୍ଡାଦେଶ ବିରୋଧରେ ହାଇକୋଟଙ୍କ ଦ୍ୱାରସ୍ଥ ହୋଇଥିଲେ । ୨୦୦୦ ମସିହା ଜୁନ୍ ୨୪ ତାରିଖରେ ମେଟ୍ରୋ ବିଲଡର୍ସ ପକ୍ଷରୁ ଭୁବନେଶ୍ୱରରେ ୫୦ଟି ଫ୍ଲାଟ୍ ତିଆରି କରିବା ପାଇଁ ଓଆର୍ଏଚ୍ଡିସିରୁ ସେହିବର୍ଷ ଅଗଷ୍ଟ ୨୮ ତାରିଖରେ ୧୫୦ ଲକ୍ଷ ଟଙ୍କାର ଋଣ କରାଯାଇଥିଲା । ଓଆର୍ଏଚ୍ଡିସିର ତତ୍କାଳୀନ ପରିଚାଳନା ନିର୍ଦ୍ଦେଶକ ତଥା ଆଇଏଏସ୍ ବିନୋଦ କୁମାର ମେଟ୍ରୋ ବିଲ୍ଡର୍ସର ନଥିପତ୍ର ସଠିକ୍ ଭାବେ ଯାଞ୍ଚ ନ କରି ଲାଞ୍ଚ ନେଇ ବେଆଇନ ଭାବେ ଋଣ ଆବେଦନକୁ ମଞ୍ଜୁର କରିଥିଲେ । ଓଆର୍ଏଚ୍ଡିସିରୁ ମେଟ୍ରୋ ବିଲ୍ଡର୍ସ ପକ୍ଷରୁ ୩ଟି କିସ୍ତିରେ ଉପରୋକ୍ତ ଋଣ ରାଶି ଗ୍ରହଣ କରାଯାଇଥିଲା । ପରବର୍ତ୍ତୀ ସମୟରେ ମେଟ୍ରୋ ବିଲ୍ର୍ଡସ୍ ପକ୍ଷରୁ ନିଆଯାଇଥିବା ୠଣ ପରିଶୋଧ ନ କରାଯିବାରୁ ୨୦୦୭ ମସିହା ଜୁଲାଇ ମାସ ସୁଦ୍ଧା ଓଆର୍ଏଚ୍ଡିସିକୁ ୭କୋଟି ଟଙ୍କାର କ୍ଷତି ସହିବାକୁ ପଡିଥିଲା । ଓଆର୍ଏଚ୍ଡିସି ପକ୍ଷରୁ ଏହି ଘଟଣାରେ ତତ୍କାଳୀନ ପରିଚାଳନା ନିର୍ଦ୍ଦେଶକ ବିନୋଦ କୁମାର, କମ୍ପାନୀ ସେକ୍ରେଟାରୀ ସ୍ମୃତିରଞ୍ଜନ ମହାପାତ୍ର, ମେଟ୍ରୋ ବିଲ୍ଡସ୍ର ପରିଚାଳନା ନିଦ୍ଦେଶକ ମହମ୍ମଦ୍ ମୋକିମ୍, ନିର୍ଦ୍ଦେଶକ ପୀୟୂଷଧାରୀ ମହାନ୍ତିଙ୍କ ନାମରେ ମାମଲା ରୁଜୁ ହୋଇଥିଲା । ଗତ ୨୦୨୨ ମସିହା ସେପ୍ଟେମ୍ବର ୨୯ ତାରିଖରେ ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନସ୍ କୋର୍ଟ ବିନୋଦ କୁମାର, ସ୍ମୃତିରଞ୍ଜନ ମହାପାତ୍ର, ମହମ୍ମଦ୍ ମୋକିମ୍ ଓ ପୀୟୂଷଧାରୀ ମହାନ୍ତିଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡ ଆଦେଶ ପ୍ରଦାନ କରିଥିଲେ । ନିମ୍ନ ଅଦାଲତଙ୍କ ଏପରି ଦଣ୍ଡାଦେଶକୁ ଖାରଜ କରିବାକୁ ଶ୍ରୀ ମୋକିମ୍ ହାଇକୋର୍ଟରେ ଆବେଦନ କରିଥିଲେ ।