ନୂଆଦିଲ୍ଲୀ : ନ୍ୟୁଜ୍କ୍ଲିକ୍ ଓ ଏହାର ପ୍ରତିଷ୍ଠାତା ପ୍ରବୀର ପୁରକାୟସ୍ଥଙ୍କ ବିରୋଧରେ ବେଆଇନ୍ କାର୍ଯ୍ୟକଳାପନ ପ୍ରତିକାର ଆଇନ୍ (ୟୁଏପିଏ) ମାମଲାରେ ଦିଲ୍ଲୀ ପୁଲିସ ୮୦୦୦ରୁ ଊର୍ଦ୍ଧ୍ୱ ପୃଷ୍ଠାର ପ୍ରଥମ ଚାର୍ଜସିଟ୍ ଦାଖଲ କରିଛନ୍ତି । ଦିଲ୍ଲୀ ପୁଲିସ୍ର ସ୍ପେଶାଲ ସେଲ୍ ଅତିରିକ୍ତ ଦୌରାଜଜ୍ ହରଦୀପ୍ କୌର୍ଙ୍କ ନିକଟରେ ଚୂଡାନ୍ତ ରିପୋର୍ଟ ତଥା ଚାର୍ଜସିଟ୍କୁ ଦାଖଲ କରାଯାଇଛି । ପ୍ରକାଶ, ନ୍ୟୁଜ୍କ୍ଲିକ୍ ପୋର୍ଟାଲ୍ ଓ ଏହାର ମାଲିକ ଚୀନ୍ର ପ୍ରଚାର ଚଳାଇଥିବା ଅଭିଯୋଗ ହୋଇଥିଲା । ଚାର୍ଜସିଟ୍ରେ ପିପିକେ ନ୍ୟୁଜକ୍ଲିକ୍ ଷ୍ଟୁଡିଓ ପ୍ରା. ଲିମିଟେଡ୍ ଏବଂ ପୁରକାୟସ୍ଥଙ୍କୁ ଅଭିଯୁକ୍ତ ଦର୍ଶାଯାଇଥିବା ସୂଚନା ମିଳିଛି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ୍ ୧୬ରେ ହେବ ବୋଲି କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି ।
ସୂଚନାଯୋଗ୍ୟ, ଗତବର୍ଷ ଦିଲ୍ଲୀ ପୁଲିସ୍ର ସ୍ପେଶାଲ ୟୁନିଟ୍, ୟୁଏପିଏ ଆଇନ୍ ଅନ୍ତର୍ଗତ ଧାରା ୧୩, ୧୬, ୧୭, ୧୮ ଏବଂ ୨୨ ସମେତ ଆଇପିସିର ୧୫୩ ଏ ଏବଂ ୧୨୦ ବି ଅନୁଯାୟୀ ଏହି ଘଟଣାରେ ମାମଲା ରୁଜୁ କରିଥିଲା । ସେହିପରି ଏହି ଅଭିଯୋଗ ଆଧାରରେ ନ୍ୟୁଜ୍କ୍ଲିକ୍ ପ୍ରତିଷ୍ଠାତା ପୁରକାୟସ୍ଥ ଏବଂ କମ୍ପାନୀର ଏଚ୍ଆର ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଅମିତ୍ ଚକ୍ରବର୍ତ୍ତୀଙ୍କୁ ଗିରଫ କରାଯାଇଥିଲା । ତେବେ ଚକ୍ରବର୍ତ୍ତୀ ନିଜଆଡୁ ରାଜସାକ୍ଷୀ ହେବା ପାଇଁ ଆବେଦନ କରିଥିଲେ, ଯାହାକୁ ଗତ ଜାନୁଆରୀ ମାସରେ କୋର୍ଟ ଅନୁମତି ଦେଇଥିଲେ ।