ନୟାଗଡ଼,ବାଲେଶ୍ୱର: ନୟାଗଡ଼ ଜିଲ୍ଲା ଫତେଗଡ଼ ଗିରିଗୋବର୍ଦ୍ଧନ ପାହଡ଼ ଉପରେ ନବନିର୍ମିତ ସୌନ୍ଦର୍ଯ୍ୟପୂର୍ଣ୍ଣ ଶ୍ରୀରାମ ମନ୍ଦିରରୁ ମଙ୍ଗଳବାର ରାତିରେ କଳାକନା ବୁଲାଇଛନ୍ତି ଚୋର । ଭକ୍ତ ଦାନ ଦେଉଥିବା ହୁଣ୍ଡି ଭାଙ୍ଗି ଦୁର୍ବୃତ୍ତ ଲୁଟିଛନ୍ତି ଲକ୍ଷାଧିକ ଟଙ୍କା । ଏମିତିକି ଚୋରଦଳ ମନ୍ଦିର ଟ୍ରଷ୍ଟବୋର୍ଡ ଅଫିସ୍ର ଭିତର ଘର କବାଟ ଭାଙ୍ଗି ସେଠି ଥିବା ସିନ୍ଦୁକରୁ ଲୁଟି ନେଇଛନ୍ତି ଠାକୁରମାନଙ୍କୁ ଲାଗି ହେଉଥିବା ଅଙ୍ଗବସ୍ତ୍ର ସହ ସୁନା-ରୁପା ଅଳଙ୍କାର । ତାସହ ସେଠି ଥିବା ଲୁହା ଆଲମାରୀକୁ ଶାବଳରେ ତାଡ଼ି ଅନେକ ମୂଲ୍ୟବାନ ସାମଗ୍ରୀ ଓ ପାଟବସ୍ତ୍ର ଚୋରି କରିଛନ୍ତି । ବୁଧବାର ସକାଳେ ମନ୍ଦିର ମୁଖ୍ୟ ପୂଜାରୀ ପ୍ରଥମେ ଏସବୁ ଦେଖି ଲୋକଙ୍କୁ ଡାକ ପକାଇଥିଲେ । ମୁଖ୍ୟ ଫାଟକର ଗୋଟିଏ ପାଖ ଖୋଲାଥିବା ବେଳେ ତାଲା ଭଙ୍ଗାଯାଇ ତଳେ ପଡ଼ିଥିବା ଦେଖି, ଆଚମ୍ବିତ ହୋଇଯାଇଥିଲେ ।
ପରେ ମନ୍ଦିର ଭିତର ଗରୁଡ଼ ଖମ୍ବ ପାଖରେ ଥିବା ହୁଣ୍ଡି ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ । ଏହା ପରେ ମନ୍ଦିର କମିଟି ପକ୍ଷରୁ ଫତେଗଡ଼ ଥାନାରେ ଚୋରି ସମ୍ପର୍କରେ ଅଭିଯୋଗ କରାଯାଇଥିବା ବେଳେ ପୁଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି । ଚୋରି ହୋଇଥିବା ଭକ୍ତଙ୍କ ଦାନ ଓ ଠାକୁରଙ୍କ ଅଳଙ୍କାର ସହ ଅଙ୍ଗବସ୍ତ୍ର ସବୁର ମୂଲ୍ୟ ପ୍ରାୟ ୨୫ଲକ୍ଷରୁ ଅଧିକ ଟଙ୍କା ହେବ ବୋଲି ଆକଳନ କରିଛନ୍ତି ସେବାୟତ । ସେପଟେ ଲିଖିତ ଅଭିଯୋଗ ପରେ ଫତେଗଡ଼ଗଡ଼ ପୁଲିସ୍ ଘଟଣାସ୍ଥଳକୁ ଯାଇ ଛାନଭିନ୍ କରିଛି । ୩ ଜଣଙ୍କୁ ସନ୍ଦେହରେ ଆଣି ପଚରାଉଚରା କରୁଥିବାବେଳେ ଦୋଷୀଙ୍କୁ ଖୁବ୍ଶୀଘ୍ର ଧରିବାର ପ୍ରତିଶ୍ରୁତି ବି ଦେଇଛି ପୁଲିସ୍ ।
ଏପଟେ ରାଜ୍ୟର ଅନ୍ୟତମ ପ୍ରମୁଖ ଶୈବପୀଠ ବାଲେଶ୍ୱର ଜିଲ୍ଲାର ପଞ୍ଚଲିଙ୍ଗେଶ୍ୱରଙ୍କ ପୀଠରେ ବି କଳାକନା ବୁଲାଇଛନ୍ତି ଦୁର୍ବୃତ୍ତ । ଗ୍ୟାସ୍ କଟରରେ କାଟି ଭକ୍ତଙ୍କ ଦାନ ହୁଣ୍ଡିରୁ ନେଇଛନ୍ତି ଲକ୍ଷାଧିକ ଟଙ୍କା । ମନ୍ଦିର ପୂଜକଙ୍କ କହିବାନୁସାରେ ନିକଟରେ ଯାଇଥିବା ମହାଶିବରାତ୍ରୀ ଉତ୍ସବ ଓ ଦୀର୍ଘ ୬ମାସ ହେଲା ବିଭିନ୍ନ ଯାନିଯାତ୍ରା ବେଳେ ଠାକୁରଙ୍କୁ ଭକ୍ତ ପ୍ରଦାନ କରିଥିବା ସବୁ ଦାନ ଟଙ୍କା ଲୁଟ୍ ହୋଇଛି । ସକାଳୁ ଟ୍ରଷ୍ଟି ସଦସ୍ୟ ଏକଥା ଜାଣିବା ପରେ ତୁରନ୍ତ ପୁଲିସକୁ ଖବର ଦେଇଥିଲେ । ଗତ ୨୨ ତାରିଖରେ ଅଯୋଧ୍ୟାରେ ବାଳକ ରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅବସରରେ ଉଦ୍ଘାଟିତ ହୋଇଥିବା ଫତେଗଡ଼ ଜଗନ୍ନାଥ ମନ୍ଦିର ହେଉ କି ବାଲେଶ୍ୱରର ପଞ୍ଚଲିଙ୍ଗେଶ୍ୱର ପୀଠ । ରାତି ଅଧରେ କବାଟ ତାଡ଼ି ଯେଉଁଭଳି ସେଠୁ ଚୋରି ହୋଇଛି ତାହା ଭକ୍ତଙ୍କୁ କ୍ଷୁବ୍ଧ କରିଛି । ଦୁର୍ବୃତ୍ତଙ୍କୁ ତୁରନ୍ତ ଧରି କଠୋର ଶାସ୍ତି ଦେବାକୁ ଭକ୍ତମହଲରୁ ଦାବିଉଠିଛି ।