24.1 C
Bhubaneswar
Saturday, October 26, 2024
Homeଦେଶ ବିଦେଶଲୋକସଭା ନିର୍ବାଚନ-୨୦୨୪; ପ୍ରଥମ ପର୍ଯ୍ୟାୟ ପାଇଁ ବିଜ୍ଞପ୍ତି ଜାରି

ଲୋକସଭା ନିର୍ବାଚନ-୨୦୨୪; ପ୍ରଥମ ପର୍ଯ୍ୟାୟ ପାଇଁ ବିଜ୍ଞପ୍ତି ଜାରି

୨୧ ପ୍ରଦେଶର ୧୦୨ ଆସନରେ ହେବ ମତଦାନ
ନୂଆଦିଲ୍ଲୀ: ବୁଧବାର ନିର୍ବାଚନ ଆୟୋଗଙ୍କ ପକ୍ଷରୁ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି କରାଯାଇଛି । ପ୍ରଥମ ପର୍ଯ୍ୟାୟ ପାଇଁ କେବେ ଠାରୁ ଏବଂ କେତେ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥିପତ୍ର ଦାଖଲ କରାଯିବ, କେଉଁ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥି ପତ୍ର ପ୍ରତ୍ୟାହାର କରାଯାଇପାରିବ ଏବଂ ପ୍ରଥମ ପର୍ଯ୍ୟାୟରେ କେଉଁ ସବୁ ଆସନରେ ମତଦାନ ପ୍ରକ୍ରିୟା ଅନୁଷ୍ଠିତ ହେବ ସେନେଇ ସବିଶେଷ ତଥ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଜାରି ଆଜିର ଏହି ପ୍ରଥମ ପର୍ଯ୍ୟାୟ ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି । ରିପୋର୍ଟ ଅନୁସାରେ ପ୍ରଥମ ପର୍ଯ୍ୟାୟରେ ୨୧ଟି ପ୍ରଦେଶ (୧୭ଟି ରାଜ୍ୟ ଓ ୪ଟି କେନ୍ଦ୍ରଶାସିତ ଅଞ୍ଚଳ)ର ମୋଟ୍ ୧୦୨ଟି ଲୋକସଭା ଆସନ ପାଇଁ ଏପ୍ରିଲ ୧୯ ତାରିଖରେ ମତଦାନ ପ୍ରକ୍ରିୟା ଅନୁଷ୍ଠିତ ହେବ । ଏଥିପାଇଁ କେନ୍ଦ୍ର ନିର୍ବାଚନ ଆୟୋଗ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏହି ୨୧ ରାଜ୍ୟ ମଧ୍ୟରେ ଉତ୍ତରପ୍ରଦେଶ, ବିହାର, ପଶ୍ଚିମବଙ୍ଗ, ଉତ୍ତରାଖଣ୍ଡ, ଆସାମ, ଛତିଶଗଡ଼, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ରାଜସ୍ଥାନ, ସିକ୍କିମ୍‌, ତାମିଲନାଡୁ , ତ୍ରିପୁରା, ପଶ୍ଚିମବଙ୍ଗ ଏବଂ ଅରୁଣାଚଳ ପ୍ରଦେଶ ଭଳି ରାଜ୍ୟ ସହ ଆଣ୍ଡାମାନ୍ ନିକୋବର ଜମ୍ମୁ କାଶ୍ମୀର, ଲାକ୍ଷାଦ୍ୱୀପ ଏବଂ ପୁଡୁଚେରୀ ଆଦି କେନ୍ଦ୍ରଶାସିତ ଅଞ୍ଚଳ ସାମିଲ ଅଛନ୍ତି ।

ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ନାମାଙ୍କନ ପ୍ରକ୍ରିୟା ବିଜ୍ଞପ୍ତି ଆସିବା ସହ ଅର୍ଥାତ୍ ଆଜି ଠାରୁ ଆରମ୍ଭ ହୋଇଥିବା ବେଳେ ଏହାର ଶେଷ ତାରିଖ ମାର୍ଚ୍ଚ ୨୭ ଯାଏ ରହିଛି । ତେବେ କେବଳ ବିହାର ପାଇଁ ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖକୁ ଅତିରିକ୍ତ ଦିନକ ପାଇଁ ଅର୍ଥାତ୍ ୨୮ ମାର୍ଚ୍ଚ ଯାଏ ବୃଦ୍ଧି କରାଯାଇଛି । ସେହିପରି ବିହାରରେ ପ୍ରାର୍ଥୀ ପତ୍ର ଯାଞ୍ଚ୍ ପ୍ରକ୍ରିୟା ୩୦ ମାର୍ଚ୍ଚ ସୁଦ୍ଧା ଶେଷ ହେବ ଯେତେବେଳେ କି ଅନ୍ୟ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଏହି ପ୍ରକ୍ରିୟା ୨୮ ତାରିଖରେ ଶେଷ ହେବ । ବିହାର ପାଇଁ ଏପ୍ରିଲ୍ ୨ ତାରିଖକୁ ପ୍ରାର୍ଥପତ୍ର ପ୍ରତ୍ୟାହାର କରିବାର ଶେଷ ତାରିଖ ଭାବେ ନିର୍ବାଚନ ଆୟୋଗ ଧାର୍ଯ୍ୟ କରିଛନ୍ତି । ଅନ୍ୟପକ୍ଷେ ବାକି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ମାର୍ଚ୍ଚ ୩୦ ତାରିଖକୁ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ଶେଷ ତାରିଖ ଭାବେ ନିର୍ବାଚନ ଆୟୋଗ ଧାର୍ଯ୍ୟ କରିଛନ୍ତି । ମୋଟାମୋଟି ଆସନ୍ତାକାଲି ଠାରୁ ଏହି ୨୧ ରାଜ୍ୟରେ ପ୍ରାର୍ଥୀମାନେ ନିଜ ନିଜ ପ୍ରାର୍ଥୀପତ୍ର ନିଜ ଅଞ୍ଚଳର ଜିଲ୍ଲାପାଳ କିମ୍ବା ନିର୍ବାଚନ ଦାୟିତ୍ୱରେ ଥିବା ପଦାଧିକାରୀଙ୍କ ନିକଟରେ ଦାଖଲ କରିପାରିବେ ।

ସୂଚନାଯୋଗ୍ୟ ପ୍ରଥମ ପର୍ଯ୍ୟାୟରେ ମତଦାନ ପ୍ରକ୍ରିୟା ଅନୁଷ୍ଠିତ ହେବାକୁ ଥିବା ୧୭ ରାଜ୍ୟ ଏବଂ ୪ କେନ୍ଦ୍ର ଶାସିତ ଅଞ୍ଚଳର ଏହି ୧୦୨ ଲୋକସଭା ଆସନ ମଧ୍ୟରେ ତାମିଲନାଡୁର ୩୯ ଆସନ, ରାଜସ୍ଥାନର ୧୨ ଆସନ, ଉତ୍ତରପ୍ରଦେଶର ୮ ଆସନ, ମଧ୍ୟପ୍ରଦେଶର ୬ ଆସନ ସାମିଲ ରହିଛି । ସେହିପରି ଉତ୍ତରାଖଣ୍ଡ, ଆସାମ ଏବଂ ମହାରାଷ୍ଟ୍ରରେ ୫ଟି ଲେଖାଏ ଆସନ, ବିହାରରେ ୪ ଆସନ, ପଶ୍ଚିମବଙ୍ଗରେ ୩ ଆସନ ସହ ଅରୁଣାଚଳ, ମଣିପୁର ଏବଂ ମେଘାଳୟରେ ୨ଟି ଲେଖାଏ ଆସନ ମଧ୍ୟ ସାମିଲ ରହିଛି । ଏତଦ୍‌ବ୍ୟତୀତ ଛତିଶଗଡ, ମିଜୋରାମ୍‌, ନାଗାଲାଣ୍ଡ, ସିକ୍କିମ, ତ୍ରିପୁରା, ଆଣ୍ଡାମାନ୍ ନିକୋବର, ଜମ୍ମୁ କାଶ୍ମୀର, ଲାକ୍ଷାଦ୍ୱୀପ ଏବଂ ପୁଡୁଚେରୀରେ ଗୋଟିଏ ଲେଖାଏ ଲୋକସଭା ଆସନ ପାଇଁ ମଧ୍ୟ ଭୋଟ୍ ଗ୍ରହଣ କରାଯିବ ।

ଗତ ସପ୍ତାହରେ ନିର୍ବାଚନ ଆୟୋଗ ଲୋକସଭା ନିର୍ବାଚନ-୨୦୨୪ ପାଇଁ ବିଜ୍ଞପ୍ତି ଜାରି କରିଥିଲେ । ଆୟୋଗଙ୍କ ବିଜ୍ଞପ୍ତି ଅନୁସାରେ ଦେଶର ମୋଟ୍ ୫୪୩ ଲୋକସଭା ଆସନ ପାଇଁ ଏପ୍ରିଲ୍ ୧୯ରୁ ଭୋଟିଂ ପ୍ରକ୍ରିୟା ଆରମ୍ଭ ହେବ ଏବଂ ଜୁନ୍ ୧ ପର୍ଯ୍ୟନ୍ତ ଏହା ଜାରି ରହିବ । ଏହି ସମୟ ସୁଦ୍ଧା ଦେଶରେ ୭ ପର୍ଯ୍ୟାୟ (ଏପ୍ରିଲ୍ ୧୯ରେ ପ୍ରଥମ ପର୍ଯ୍ୟାୟ, ଏପ୍ରିଲ୍ ୨୬ରେ ୨ୟ ପର୍ଯ୍ୟାୟ, ମେ ୭ରେ ତୃତୀୟ ପର୍ଯ୍ୟାୟ, ମେ ୧୩ରେ ୪ର୍ଥ ପର୍ଯ୍ୟାୟ, ମେ ୨୦ରେ ୫ମ ପର୍ଯ୍ୟାୟ, ମେ ୨୫ରେ ୬ଷ୍ଠ ପର୍ଯ୍ୟାୟ ଏବଂ ଜୁନ୍ ୭ରେ ୭ମ ପର୍ଯ୍ୟାୟ)ରେ ମତଦାନ ପ୍ରକ୍ରିୟା ଅନୁଷ୍ଠିତ ହେବ ଏବଂ ଜୁନ୍ ୪ ତାରିଖରେ ଫଳାଫଳ ଘୋଷଣା କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking