କାଲିଫର୍ନିଆ: ଅରବପତି ଏଲନ ମସ୍କ ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି । କିଛି ଦିନ ପୂର୍ବେ ଡିପ୍ରେସନ ପାଇଁ ସେ କେଟାମାଇନ ଭଳି ଔଷଧ ବ୍ୟବହାର କରୁଥିବା ଖବର ଆଲୋଚନାରେ ଥିଲା । ଟେସଲା ଏବଂ ସ୍ପେସ ଏକ୍ସର ଅନେକ ବୋର୍ଡ ସଦସ୍ୟ ଏଲନ ମସ୍କଙ୍କୁ ଏହି ଔଷଧ ସେବନକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏହିପରି ଔଷଧ ମସ୍କଙ୍କ ସ୍ୱାସ୍ଥ୍ୟ ଏବଂ ବ୍ୟବସାୟ ଉପରେ ପ୍ରଭାବ ପକାଇପାରେ । ତେବେ ଏହିସବୁ ଚର୍ଚ୍ଚା ମଧ୍ୟରେ ମସ୍କ କେଟାମାଇନକୁ ପ୍ରଶଂସା କରିଛନ୍ତି ।
ସେ କହିଛନ୍ତି, ଏହାକୁ ସେବନ କରି ସେ କାର୍ଯ୍ୟରେ ଭଲ ଧ୍ୟାନ ଦେଇ ପାରିବେ । ଟେସଲା ସିଇଓ ଏକ ସାକ୍ଷାତକାରରେ କହିଛନ୍ତି, ଏମିତି କିଛି ସମୟ ଥାଏ ଯେତେବେଳେ ମୋ ମନରେ ନକାରାତ୍ମକ ଚିନ୍ତା ଆସେ । ବୋଧହୁଏ ଏହା ଡିପ୍ରେସନ୍ । ଭୁଲ ଚିନ୍ତାଧାରାରୁ ବାହାରିବାରେ କେଟାମାଇନ ସାହାଯ୍ୟ କରେ । ଜଣେ ଡାକ୍ତର ତାଙ୍କୁ ଔଷଧ ଦେଇଛନ୍ତି । ସେ ପ୍ରତି ସପ୍ତାହରେ ଥରେ ଔଷଧ ସେବନ କରନ୍ତି ।
ମସ୍କ କହିଛନ୍ତି, ଯଦି ଆପଣ ଅଧିକ କେଟାମାଇନ ବ୍ୟବହାର କରନ୍ତି, ତେବେ ଆପଣ କାମ କରିପାରିବେ ନାହିଁ । ମୋର ବହୁତ କାମ ଅଛି । ମୁଁ ସାଧାରଣତଃ ଦିନକୁ ୧୬ ଘଣ୍ଟା କାମ କରେ । ତେଣୁ ପ୍ରକୃତରେ ମୋ ପାଇଁ କୌଣସି କାରଣ ନାହିଁ,ଯେଉଁଠାରେ ମୁଁ ଦୀର୍ଘ ସମୟ ପର୍ଯ୍ୟନ୍ତ ମାନସିକ ସ୍ତରରେ ଗମ୍ଭୀର ହୋଇପାରିବି ନାହିଁ । କିନ୍ତୁ ସେ କେଟାମାଇନ ବ୍ୟବହାର କରୁଛନ୍ତି କି ନାହିଁ ତାହା ସ୍ପଷ୍ଟ କରି ନାହାଁନ୍ତି ।