ରାଉରକେଲା: ବାପା ମା’ ଆଗରେ ହାଇୱା ଧକ୍କାରେ ଚାଲିଗଲା କୋମଳମତି ଶିଶୁକନ୍ୟାର ଜୀବନ । ଅଳ୍ପକେ ବର୍ତ୍ତିଯାଇଛନ୍ତି ଉଭୟ ଦମ୍ପତି । ଆଜି ସଂଧ୍ୟା ପ୍ରାୟ ସାଢ଼େ ୫ଟାରେ ଲହୁଣିପଡ଼ା ବ୍ଳକ ବରସୁଆଁ ବିର୍ସାମୁଣ୍ଡା ଛକରେ ଏମିତି ଘଟଣା ଘଟିଛି । ଲହୁଣିପଡ଼ା ପୁଲିସ ଦୁର୍ଘଟଣାଗ୍ରସ୍ତ ହାଇୱାକୁ ଜବତ କରିବା ସହ ଡ୍ରାଇଭରକୁ ଥାନାରେ ଅଟକ ରଖିଛି । କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକ ରାସ୍ତାରୋକୋ କରିଥିଲେ । ସ୍ଥାନୀୟ ପୁଲିସ ଓ ସରପଞ୍ଚ ପହଞ୍ଚି ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା ।
ସୂଚନା ମୁତାବକ ବରସୁଆଁ ରେଲୱେ କଲୋନିର ଫଲୁନି ଘୋରାମି, ପତ୍ନୀ ସିଲା ପରିବାର ସହ ରହନ୍ତି । ତାଙ୍କର ଭିଣୋଇ ଲହୁଣିପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ । ଭିଣୋଇକୁ ଦେଖିବାକୁ ସିଲା ଓ ତାଙ୍କ ସ୍ୱାମୀ ଶିଶୁକନ୍ୟା ଅନିଶାକୁ ଧରି ଲହୁଣିପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସିଥିଲେ । ଭିଣୋଇଙ୍କୁ ଡାକ୍ତରଖାନାରେ ଦେଖିବା ପରେ ବସ୍ରେ ଘରକୁ ଫେରିଥିଲେ । ସଂଧ୍ୟା ପ୍ରାୟ ସାଢ଼େ ୫ଟାରେ ବରସୁଆଁ ବିର୍ସା ମୁଣ୍ଡା ଛକରେ ବସ୍ରୁ ଓହ୍ଲାଇ ଘରକୁ ଚାଲି ଚାଲି ଯାଉଥିଲେ । ନୂଆବଜାର ନିକଟରେ ୧୬ ଚକିଆ ହାଇୱା ପଛରୁ ଧକ୍କା ଦେଇଥିଲା । ଦମ୍ପତି ଓ ତାଙ୍କର ଶିଶୁକନ୍ୟା ରାସ୍ତା ଉପରେ ପଡ଼ିଯାଇଥିଲେ । ହାଇୱାର ମଝି ଚକା ଶିଶୁର ମୁଣ୍ଡଉପରେ ଚଢ଼ିଯିବାରୁ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା । ମା’ ସିଲା ଆହତ ହୋଇଥିଲେ ।