ଭୁବନେଶ୍ୱର: ବର୍ଷାରେ ବ୍ରେକ୍ ଲାଗିବା ପରେ ରାଜ୍ୟରେ ଶୀତ ପୁଣି ବଢ଼ିଛି । ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ଏପରି ଶୀତ ସହ ଘନକୁହୁଡି ରାଜ୍ୟବାସୀଙ୍କୁ କଲବଲ କରିବ । ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ଥଣ୍ଡା ଶୁଷ୍କ ପବନ ବହୁଥିବାରୁ ପ୍ରବଳ ଜାଡ଼ ଅନୁଭବ ହେବା ସହ ପାରଦ ସ୍ୱାଭାବିକଠାରୁ ୨ରୁ ୩ଡିଗ୍ରୀ ପର୍ଯ୍ୟନ୍ତ କମୁଛି । ଏହାରି ମଧ୍ୟରେ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟରେ ଶୀତ ଲହରୀ ସତର୍କତା ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ପ୍ରବଳ ଜାଡ଼ ପାଇଁ ୫ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ୟେଲୋ ଆଲର୍ଟ ଜାରି କରଯାଇଥିବା ଜିଲ୍ଲାଗୁଡିକ ହେଲା ଝାରସୁଗୁଡ଼ା, ସୁନ୍ଦରଗଡ଼, ଅନୁଗୁଳ, ଦେବଗଡ଼ ଏବଂ କେନ୍ଦୁଝର । ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ବହୁଛି ଥଣ୍ଡା ଶୁଷ୍କ ପବନ ବହୁଥିବାରୁ ଅନୁଗୁଳରେ ସ୍ୱାଭାବିକ ଠାରୁ ୬ ଡିଗ୍ରୀ ପାରଦ କମିଛି । ଆଗାମୀ ଦୁଇଦିନ ପର୍ଯ୍ୟନ୍ତ ପ୍ରବଳ ଜାଡ଼ ସହ ଘନ କୁହୁଡ଼ି ଅସ୍ତବ୍ୟସ୍ତ କରିବ । ୩୦ ତାରିଖ ପର୍ଯ୍ୟନ୍ତ ଜାରି ରହିବ ଏଭଳି ପାଗ । ଅନ୍ୟପଟେ କାଲି ସକାଳ ପର୍ଯ୍ୟନ୍ତ ଘନ କୁହୁଡ଼ି ନେଇ ୧୧ ଜିଲ୍ଲାକୁ ୟେଲୋ ଆଲର୍ଟ କରାଯାଇଛି । ଝାରସୁଗୁଡା, ସୁନ୍ଦରଗଡ଼, କେନ୍ଦୁଝର, ସୋନପୁର, ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, କୋରାପୁଟ ଏବଂ ମୟୂରଭଞ୍ଜ ଜିଲ୍ଲାକୁ କୁହୁଡି ପାଇଁ ସତର୍କତା ଜାରି କରାଯାଇଛି ।
ଏହି ସବୁ ଜିଲ୍ଲାରେ ୫୦ ରୁ ୨୦୦ ମିଟର ରହିବ ଭିଜିବିଲିଟି । ଘନ କୁହୁଡ଼ି ସମୟରେ ସାବଧାନତାର ସହ ଗାଡି ଚାଳନା ନେଇ ପରାମର୍ଶ ଦିଆଯାଇଛି । ସେପଟେ ୩୧ରୁ ପୁଣି ପାଗ ବଦଳିବ । ଉତ୍ତର ଓଡ଼ିଶାରେ ପୁଣି ବର୍ଷା ସମ୍ଭାବନା ରହିଛି । ଝାରସୁଗୁଡା, ସୁନ୍ଦରଗଡ଼, କେନ୍ଦୁଝର ଏବଂ ମୟୂରଭଞ୍ଜ ରେ ହାଲୁକା ବର୍ଷା ହେବ । ବାକି ଓଡ଼ିଶାର ପାଗ ଶୁଖିଲା ରହିବ । ୩୧, ୧ ଏବଂ ୨ ତାରିଖ ପର୍ଯ୍ୟନ୍ତ ବର୍ଷା ନେଇ ଆକଳନ କରାଯାଇଛି ।