ମୁଜାଫରନଗର: ଗୁରୁବାର, ଉତ୍ତର ପ୍ରଦେଶର ଆଲିଗଡ଼ ନିକଟରେ ଆସାମରୁ ଦିଲ୍ଲୀ ଯାଉଥିବା ସମ୍ପର୍କ କ୍ରାନ୍ତି ସୁପରଫାଷ୍ଟ ଏକ୍ସପ୍ରେସରେ ହଠାତ୍ ନିଆଁ ଲାଗିଲା। ଟ୍ରେନ୍ର ବଗିରେ ନିଆଁ-ଧୂଆଁଦେଖି ବଗିର ଯାତ୍ରୀମାନେ ବିଚଳିତ ହୋଇଯାଇଥିଲେ। ପରିସ୍ଥିତି ଅନୁଧ୍ୟାନ କରିବା ପରେ ଜାଣିପାରିଲେ ଯେ ଦୁଇ ଜଣ ଯାତ୍ରୀ ଥଣ୍ଡାରୁ ରକ୍ଷା ପାଇବାକୁ ନିଆଁ ଜାଳିଛନ୍ତି। ଏଥିପାଇଁ ସେମାନେ ଗୋବର ଘସି ବ୍ୟବହାର କରିଛନ୍ତି। କେବଳ ଏହାନୁହେଁ ବାଟରେ ନିଆଁ ପୁଇଁବା ଉଦ୍ଦେଶ୍ୟରେ ସାଥିରେ ବସ୍ତାଏ ଘସି ନେଇ ଆସିଛନ୍ତି। ନିଆଁ ଦେଖି ଯାତ୍ରୀମାନେ ରେଲବାଇ ସୁରକ୍ଷା ବଳ/ଆର୍ପିଏଫ୍କୁ ସୂଚିତ କରିଥିଲେ। ଆର୍ପିଏଫ୍ କର୍ମଚାରୀ ସେଠାରେ ପହଞ୍ଚି ଉଭୟଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରେ ଥିବା ଜାଳେଣି ବସ୍ତାକୁ ଜବତ କରିଛନ୍ତି। ଆର୍ପିଏଫ୍ର ଆଲିଗଡ଼ ଥାନା କମାଣ୍ଡର ରାଜୀବ ଶର୍ମା ଏନେଇସୂଚନା ଦେଇ କହିଛନ୍ତି ଯେ ଟ୍ରେନ୍ରେ ନିଆଁ ଜାଳିବା ଦ୍ବାରା କେଉଁଭଳି ବିପଦ ସୃଷ୍ଟି ହୋଇପାରେ ତା’ହା ସେମାନେ ଜାଣିନାହାନ୍ତି। ତେବେ ସେମାନଙ୍କ ବିରୋଧରେ ରେଳବାଇ ଆଇନ ଓ ଆଇପିସିର ବିଭିନ୍ନ ଧାରାରେ ମାମଲା ରୁଜୁ କରାଯାଇ ଗିରଫ କରାଯାଇଛି।