ଇସଲାମାବାଦ: ଫେବ୍ରୁଆରୀ ୮ରେ ପାକିସ୍ତାନରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏଥିପାଇଁ ପାକିସ୍ତାନରେ ଏବେ ନିର୍ବାଚନୀ ପରିବେଶ ବେଶ୍ ସରଗରମ ରହିଛି । ଏସବୁ ମଧ୍ୟରେ ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି) ପକ୍ଷରୁ ଦଳୀୟ ସଭାପତି ତଥା ପୂର୍ବତନ ବୈଦେଶିକ ମନ୍ତ୍ରୀ ବିଲାୱଲ ଭୁଟ୍ଟୋ ଜର୍ଦ୍ଦାରୀଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ମନୋନୀତ କରାଯାଇଛି । ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ପିପିପି ଏହାର କେନ୍ଦ୍ରୀୟ କାର୍ଯ୍ୟ ନିର୍ବାହୀ କମିଟି (ସିଇସି)ର ଏକ ବୈଠକ କରିଥିଲା, ଯେଉଁଥିରେ ବିଲାୱଲଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବା ଦିଗରେ ପିପିପିରେ ସହମତି ପ୍ରକାଶ ପାଇଥିଲା ।
ଏତଦ୍ବ୍ୟତୀତ ବୈଠକରେ ସାଧାରଣ ନିର୍ବାଚନ ପାଇଁ ଦଳର ଅଭିଯାନ ବିଷୟରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । ବୈଠକରେ ଦଳ ନିର୍ବାଚନୀ ଇସ୍ତାହାର ଉପରେ ମଧ୍ୟ ଆଲୋଚନା କରିଥିଲା । ପିପିପି ଏଥର ନିଜ ନିର୍ବାଚନୀ ଇସ୍ତାହାରରେ ଯୁବ ଓ ମହିଳା ସଶକ୍ତିକରଣ, ରୋଜଗାର, ସ୍ୱାସ୍ଥ୍ୟ ଏବଂ ଶିକ୍ଷାକୁ ପ୍ରାଧାନ୍ୟ ଦେଇଥିବା ଦେଖିବାକୁ ମିଳିଛି । ଅନ୍ୟପକ୍ଷେ ବିଲାୱଲ୍ ମଧ୍ୟ ପାକିସ୍ତାନର ପ୍ରଧାନମନ୍ତ୍ରୀ ହେବା ପରେ ଦେଶର ଆର୍ଥିକ ସ୍ଥିତିକୁ ସର୍ବପ୍ରଥମେ ସୁଧାରିବା ପାଇଁ ପ୍ରୟାସ କରିବେ ବୋଲି କହିଛନ୍ତି ।