ବାରାଣସୀ: ବର୍ତ୍ତମାନ ସୁଦ୍ଧା ୭ରୁ ଅଧିକ ମାମଲାରେ ଜେଲ୍ଦଣ୍ଡ ଭୋଗୁଥିବା କୁଖ୍ୟାତ ଗ୍ୟାଙ୍ଗଷ୍ଟର ତଥା ରାଜନେତା ମୁଖତାର ଅନସାରୀଙ୍କୁ ଆଜି ଆଉ ଏକ ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଛି । ସ୍ୱତନ୍ତ୍ର ଭାବେ ନିର୍ମିତ ସାଂସଦ-ବିଧାୟକ (ଏମ୍ପି-ଏମଏଲ୍ଏ) କୋର୍ଟରେ ତାଙ୍କ ବିରୋଧରେ ଜଣେ କୋଇଲା ବ୍ୟବସାୟୀଙ୍କୁ ଧମକାଇବା ଭଳି ସଂଗୀନ ଅଭିଯୋଗ ଉପରେ ଶୁଣାଣି ହୋଇଥିଲା । ଏହା ଉପରେ ଶୁଣାଣି କରି କୋର୍ଟ ତାଙ୍କୁ ଦୋଷୀ ଭାବେ ବିବେଚନା କରିବା ସହ ସାଢ଼େ ୫ ବର୍ଷ ଜେଲ ଦଣ୍ଡ ଶୁଣାଇଛନ୍ତି । ଏତଦ୍ବ୍ୟତୀତ କୋର୍ଟ ତାଙ୍କୁ ୧ଠ ହଜାର ଟଙ୍କା ଜରିମାନା ମଧ୍ୟ କରିଛନ୍ତି ।
ମୁଖ୍ତାର ଅନସାରୀଙ୍କ ବିରୋଧରେ ଆଗତ ଏହି ମାମଲା ପ୍ରାୟ ଦୁଇ ଦଶନ୍ଧିରୁ (୨୬ ବର୍ଷ) ଅଧିକ ପୁରୁଣା । ୧୯୯୭ ଜାନୁଆରୀ ୨୨ରେ ଭେଲୁପୁର ଥାନା ଅନ୍ତର୍ଗତ ଜବାହର ନଗର କଲୋନୀରେ ରହୁଥିବା କୋଇଲା ବ୍ୟବସାୟୀ ନନ୍ଦ କିଶୋର ରୁଙ୍ଗଟାଙ୍କୁ ପ୍ରଥମେ ଅପହରଣ କରାଯାଇ ପରେ ହତ୍ୟା କରାଯାଇଥିଲା । ଏହି ଅପହରଣ ଏବଂ ହତ୍ୟାକାଣ୍ଡ ପଛରେ ଅନସାରୀଙ୍କ ହାତ ଥିବା ପ୍ରମାଣିତ ହୋଇଥିଲା । ତେବେ ହତ୍ୟାକାଣ୍ଡର ମୁଖ୍ୟ ସାକ୍ଷୀ ତଥା ନନ୍ଦ କିଶୋରଙ୍କ ଭାଇ ମହାବୀର ପ୍ରସାଦ ରୁଙ୍ଗ୍ଟା ରହିଥିବା ବେଳେ ତାଙ୍କୁ ପାଟି ଚୁପ୍ ରଖିବାକୁ ମୁଖ୍ତାର ଧମକ ଦେଇଥିବା ଅଭିଯୋଗ ହୋଇଥିଲା । ତେବେ ଗତ ୫ ତାରିଖରେ ଏହି ମାମଲାର ଶୁଣାଣି ହୋଇ ରାୟ ସଂରକ୍ଷିତ ରଖାଯାଇଥିଲା । ଡିସେମ୍ବର ୧୫ରେ ଏହି ମାମଲାର ରାୟ ପ୍ରକାଶ କରାଯିବା ନେଇ ଅତିରିକ୍ତ ସିଭିଲ୍ ଜଜ୍ ସିନିୟର ଡିଭିଜନ୍ (୧) ଏବଂ ମଧ୍ୟପ୍ରଦେଶ-ବିଧାୟକ କୋର୍ଟ ପ୍ରିଜାଇଡିଂ ଅଫିସର ଉଜ୍ୱଳ ଉପାଧ୍ୟାୟ ରାୟ ତାରିଖ ଧାର୍ଯ୍ୟ କରିଥିଲେ ।