20.1 C
Bhubaneswar
Thursday, January 16, 2025
Homeଓଡିଶାକର୍ଣ୍ଣି ସେନା ମୁଖ୍ୟଙ୍କୁ ଗୁଳିକରି ହତ୍ୟା ଘଟଣା; ପୁଲିସ ଅଧିକାରୀ ନିଲମ୍ବିତ, ଏସ୍‌ଆଇଟି ଗଠିତ

କର୍ଣ୍ଣି ସେନା ମୁଖ୍ୟଙ୍କୁ ଗୁଳିକରି ହତ୍ୟା ଘଟଣା; ପୁଲିସ ଅଧିକାରୀ ନିଲମ୍ବିତ, ଏସ୍‌ଆଇଟି ଗଠିତ

ଜୟପୁର: ରାଜସ୍ଥାନର ଜୟପୁର ସହରରେ ଗତ ମଙ୍ଗଳବାର କେତେକ ଆତତାୟୀ ରାଷ୍ଟ୍ରୀୟ ରାଜପୁତ କର୍ଣ୍ଣି ସେନା ମୁଖ୍ୟ ସୁଖଦେବ ସିଂହ ଗୋଗାମେଦିଙ୍କୁ ଅତି ନିକଟରୁ ଗୁଳିକରି ହତ୍ୟା କରିଛନ୍ତି । ଏହି ମାମଲାରେ ଜୟପୁର ପୁଲିସ କମିଶନର ବୁଧବାର ଦୁଇଜଣ ପୁଲିସ କର୍ମୀଙ୍କୁ ନିଲମ୍ବିତ କରିଛନ୍ତି । ଏମାନେ ହେଲେ ଶ୍ୟାମନଗର ଥାନା ଏସଏଚ୍‌ଓ ଓ ବିଟ୍ କନଷ୍ଟେବଳ । କର୍ତ୍ତବ୍ୟରେ ଅବହେଳା ଯୋଗୁଁ ସେମାନଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା କୁହାଯାଇଛି । ଇତିମଧ୍ୟରେ ସହସ୍ରାଧିକ କର୍ଣ୍ଣି ସେନା କର୍ମୀ ପ୍ରିୟ ନେତାଙ୍କ ଶେଷ ଦର୍ଶନ କରିଥିବାବେଳେ ଗୁରୁବାର ସୁଖଦେବଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଆଇନ ଶୃଙ୍ଖଳା ବଜାୟ ରଖିବାକୁ ରାଜଧାନୀ ଜୟପୁର ସମେତ ବିଭିନ୍ନ ସହରରେ ସେଣ୍ଟ୍ରାଲ ଆର୍ମଡ୍ ପୁଲିସ ଫୋର୍ସ ଯବାନଙ୍କୁ ମୁତୟନ କରାଯାଇଛି । ସମ୍ବେଦନଶୀଳ ସ୍ଥାନଗୁଡିକରେ ର‌୍ୟାପିଡ୍ ଆକ୍ସନ ଫୋର୍ସ ଯବାନ ପଇଁତରା ମାରୁଛନ୍ତି ।

ସୁଖଦେବଙ୍କ ହତ୍ୟା କରାଯାଇଥିବା ପ୍ରତିବାଦରେ ରାଜ୍ୟର ବିଭିନ୍ନ ସ୍ଥାନରେ କର୍ଣ୍ଣି ସେନା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ହତ୍ୟାର ତଦନ୍ତ ପାଇଁ ଏସ୍‌ଆଇଟି ଗଠନ କରାଯାଇଛି । ହତ୍ୟାକାରୀଙ୍କ ସମ୍ପର୍କରେ ସୂଚନା ପ୍ରଦାନ କରୁଥିବା ବ୍ୟକ୍ତିଙ୍କୁ ୫ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରାଯିବ ବୋଲି ରାଜସ୍ଥାନ ପୁଲିସ ଡିଜି ଉମେଶ ମିଶ୍ର ଘୋଷଣା କରିଛନ୍ତି । ମଙ୍ଗଳବାର ମଧ୍ୟାହ୍ନରେ ତିନିଜଣ ବ୍ୟକ୍ତି ସୁଖଦେବଙ୍କୁ ସାକ୍ଷାତ କରିବାକୁ ତାଙ୍କ ବାସଭବନରେ ପହଞ୍ଚିଥିଲେ । ସେମାନେ ପ୍ରାୟ ୧୦ ମିନିଟ ବାର୍ତ୍ତାଳାପ କରିବାପରେ ସମ୍ମୁଖ ସୋଫାରେ ବସିଥିବା ଜଣେ ବ୍ୟକ୍ତି ହଠାତ୍ ଛିଡା ହୋଇ ସୁଖଦେବଙ୍କ ଉପରକୁ ୫ ରାଉଣ୍ଡ ଗୁଳି ଚଳାଇଥିଲେ । ଏହି ସମୟରେ ସୁଖଦେବ ନିଜ ମୋବାଇଲ ଫୋନ୍‌ରେ ବ୍ୟସ୍ତ ରହିଥିଲେ ।

ଘଟଣାସ୍ଥଳରେ ସୁଖଦେବଙ୍କର ମୃତ୍ୟୁ ଘଟିଥିବାବେଳେ ତାଙ୍କର ଦୁଇଜଣ ସହଯୋଗୀ ଆହତ ହୋଇଛନ୍ତି । ତେବେ ସୁଖଦେବଙ୍କ ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ହତ୍ୟାକାରୀ ପ୍ରାଣ ହରାଇଥିବାବେଳେ ଅନ୍ୟ ଦୁଇ ଅଭିଯୁକ୍ତ ବାଇକ୍ ଯୋଗେ ଚମ୍ପଟ ମାରିଥିବା କୁହାଯାଇଛି । ହତ୍ୟା ଘଟଣା ପାଇଁ ଗୋଲ୍‌ଡି ବ୍ରାର ଗ୍ୟାଙ୍ଗ୍ ସଦସ୍ୟ ରୋହିତ ଗୋଡାରା ନିଜକୁ ଦାୟୀ କରିଥିବା ପ୍ରକାଶ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking