17.1 C
Bhubaneswar
Friday, January 10, 2025
Homeଦେଶ ବିଦେଶୟୁନିସେଫ୍ ରିପୋର୍ଟ; ଧନୀ ରାଷ୍ଟ୍ରର ୨୦% ଶିଶୁ ଦାରିଦ୍ର‌୍ୟରେ ବଞ୍ଚିଛନ୍ତି

ୟୁନିସେଫ୍ ରିପୋର୍ଟ; ଧନୀ ରାଷ୍ଟ୍ରର ୨୦% ଶିଶୁ ଦାରିଦ୍ର‌୍ୟରେ ବଞ୍ଚିଛନ୍ତି

ଜାତିସଂଘ:  ବିଶ୍ୱର ୪୦ଟି ଧନୀ ରାଷ୍ଟ୍ରରେ ପ୍ରାୟ ୨୦ ପ୍ରତିଶତ ଶିଶୁ ଦାରିଦ୍ର‌୍ୟ ମଧ୍ୟରେ କାଳାତିପାତ କରୁଛନ୍ତି ବୋଲି ଜାତିସଂଘ ସଂସ୍ଥା ୟୁନିସେଫ୍ ପକ୍ଷରୁ ବୁଧବାର ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି । ରିପୋର୍ଟ ଅନୁଯାୟୀ ଏହି ରାଷ୍ଟ୍ରଗୁଡିକର ୬୯ ନିୟୁତ ଶିଶୁଙ୍କୁ ଦାରିଦ୍ର‌୍ୟ ମଧ୍ୟରେ ରହିବାକୁ ପଡୁଛି । ଅର୍ଥାତ୍ ପ୍ରତି ପାଞ୍ଚଜଣରେ ଜଣେ ଶିଶୁଙ୍କ ଭାଗ୍ୟରେ ଏହି ବିଡମ୍ବନା ଦେଖିବାକୁ ମିଳୁଛି ।

ଏହି ପ୍ରସଙ୍ଗରେ ବ୍ରିଟେନ ଓ ଫ୍ରାନ୍ସର ରେକର୍ଡ ସବୁଠାରୁ ଖରାପ ଥିବାରୁ ରିପୋର୍ଟରେ ସେମାନଙ୍କୁ ଭର୍ତ୍ସନା କରାଯାଇଛି । ୨୦୧୨-୧୪ ଏବଂ ୨୦୧୯-୨୧ରେ ଶିଶୁଙ୍କ ଦାରିଦ୍ର‌୍ୟ ହାର ହ୍ରାସ ପାଇଥିଲେ ସୁଦ୍ଧା ସ୍ଥିତି ଏପର୍ଯ୍ୟନ୍ତ ସୁଧୁରିନଥିବା କୁହାଯାଇଛି । ବିଶ୍ୱରେ ୨୯୧ ନିୟୁତ ଶିଶୁ ଥିବାବେଳେ ୬୯ ନିୟୁତ ଶିଶୁ ଧନୀରାଷ୍ଟ୍ରରେ ଜନ୍ମଗ୍ରହଣ କରି ସୁଦ୍ଧା ଦାରିଦ୍ର‌୍ୟର ସମ୍ମୁଖୀନ ହେଉଛନ୍ତି । ଏହି ରାଷ୍ଟ୍ରରେ ଶିଶୁମାନେ ଯଥେଷ୍ଟ ପୁଷ୍ଟିକର ଖାଦ୍ୟ ସମେତ ଉପଯୁକ୍ତ ପୋଷାକ, ଶିକ୍ଷା ପାଇବାରୁ ବଞ୍ଚିତ ହେଉଥିବା ଜଣାପଡିଛି । ଫଳରେ ଏହି ଶିଶୁଙ୍କର ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟରେ ଆବଶ୍ୟକ ଉନ୍ନତି ସମ୍ଭବପର ହୋଇପାରୁନାହିଁ । ସଂପୃକ୍ତ ରାଷ୍ଟ୍ରର ହାରାହାରି ଆୟ ତଳେ ୬୦ ପ୍ରତିଶତ ଶିଶୁ ବାସ କରୁଥିବା କୁହାଯାଇଛି ।

ଏହି ସମସ୍ୟାର ସମାଧାନ ପାଇଁ ସରକାରୀସ୍ତରରେ ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯିବା ଜରୁରୀ ବୋଲି ରିପୋର୍ଟରେ ଦର୍ଶାଯାଇଛି । ଯଦି ଶିଶୁମାନେ ଅବହେଳିତ ହେବେ, ତେବେ ସଂପୃକ୍ତ ରାଷ୍ଟ୍ରର ସାମଗ୍ରିକ ବିକାଶ ମଧ୍ୟ ବାଧାପ୍ରାପ୍ତ ହେବ ବୋଲି ରିପୋର୍ଟରେ ଚେତାଇ ଦିଆଯାଇଛି । ୨୦୧୨ ମସିହା ପରଠାରୁ ଧନୀ ରାଷ୍ଟ୍ରରେ ଏହି ପ୍ରସଙ୍ଗ ଉତ୍କଟ ରୂପ ଧାରଣ କରିଆସୁଛି । ବ୍ରିଟେନରେ ଦାରିଦ୍ର‌୍ୟର କଷାଘାତରେ ବଞ୍ଚିଥିବା ଶିଶୁଙ୍କ ସଂଖ୍ୟା ୧୯.୬ ପ୍ରତିଶତ ବୃଦ୍ଧି ପାଇଥିବା କୁହାଯାଇଛି । ଫ୍ରାନ୍ସରେ ଏହା ୧୦.୪ ପ୍ରତିଶତ ବୃଦ୍ଧି ପାଇଛି । ତେବେ ଆମେରିକାରେ ଏଭଳି ଶିଶୁଙ୍କ ସଂଖ୍ୟା ୬.୭ ପ୍ରତିଶତ ହ୍ରାସ ପାଇଥିଲେ ସୁଦ୍ଧା ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ହୋଇପାରିନାହିଁ ।

ବର୍ତ୍ତମାନ ଆମେରିକାରେ ପ୍ରତି ୪ ଜଣରେ ଜଣେ ଶିଶୁ ଦରିଦ୍ର ବୋଲି ଜଣାପଡିଛି । ଡେନ୍‌ମାର୍କରେ ମୁଣ୍ଡପିଛା ଆୟ ବେଶ ସନ୍ତୋଷଜନକ ରହିଥିବା ସତ୍ତ୍ୱେ ସେଠାରେ ୨୦୧୯ରୁ ୨୦୨୧ ମଧ୍ୟରେ ଦରିଦ୍ର ଶିଶୁଙ୍କ ସଂଖ୍ୟା ବୃଦ୍ଧି ପାଇଆସୁଛି । ଶିଶୁ ଦରିଦ୍ରତା ଏବଂ ଅର୍ଥନୈତିକ ଅସମାନତା ମଧ୍ୟରେ ସମ୍ପର୍କ ଥିବାରୁ ଏହି ଧନୀ ରାଷ୍ଟ୍ରଗୁଡିକରେ ସିଙ୍ଗଲ ପ୍ୟାରେଣ୍ଟ (କେବଳ ପିତା କିମ୍ବା ମାତାଙ୍କ ନିକଟରେ ପ୍ରତିପାଳିତ ହେଉଥିବା ଶିଶୁ) ଏବଂ ସଂଖ୍ୟାଲଘୁ ସଂପ୍ରଦାୟର ଶିଶୁମାନେ ବିଶେଷଭାବେ ପ୍ରଭାବିତ ହେବେ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking