20.1 C
Bhubaneswar
Thursday, January 16, 2025
Homeଦେଶ ବିଦେଶଅତ୍ୟାଧୁନିକ ଲଢୁଆ ବିମାନ, ଯୁଦ୍ଧାସ୍ତ୍ର କିଣିବ ଭାରତ; ୨.୨୩ ଲକ୍ଷ କୋଟି ବ୍ୟୟବରାଦକୁ ମଞ୍ଜୁରୀ

ଅତ୍ୟାଧୁନିକ ଲଢୁଆ ବିମାନ, ଯୁଦ୍ଧାସ୍ତ୍ର କିଣିବ ଭାରତ; ୨.୨୩ ଲକ୍ଷ କୋଟି ବ୍ୟୟବରାଦକୁ ମଞ୍ଜୁରୀ

ନୂଆଦିଲ୍ଲୀ: ପ୍ରତିରକ୍ଷା ବାହିନୀର ମାରକ କ୍ଷମତା ବୃଦ୍ଧି କରିବା ଏବଂ ପଡୋଶୀ ଶତ୍ରୁରାଷ୍ଟ୍ରଙ୍କ ଉଚିତ ମୁକାବିଲା କରିବାକୁ ଭାରତ ସରକାର ଅତ୍ୟାଧୁନିକ ଲଢୁଆ ବିମାନ ଓ ଅନ୍ୟାନ୍ୟ ଯୁଦ୍ଧାସ୍ତ୍ର କ୍ରୟ କରିବାକୁ ନିଷ୍ପତ୍ତି ନେଇଥିବା ଜଣାପଡିଛି । ଗୁରୁବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଡିଫେନ୍ସ ଆକ୍ୟୁଜିସନ କାଉନସିଲ ବୈଠକରେ ଏ ବାବଦରେ ୨.୨୩ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦକୁ ଅନୁମୋଦନ କରାଯାଇଛି ।

ଏଥିମଧ୍ୟରୁ ୨.୨୦ ଲକ୍ଷ କୋଟି ଟଙ୍କାର ବିମାନ ଓ ଯୁଦ୍ଧାସ୍ତ୍ର ସ୍ୱଦେଶୀ କାରଖାନାରୁ କିଣାଯିବ ବୋଲି କୁହାଯାଇଛି । ଆତ୍ମନିର୍ଭର ଲକ୍ଷ୍ୟ ହାସଲ ଦିଗରେ ଏହା ସହାୟକ ହେବ ବୋଲି ଆଶା କରାଯାଉଛି । ଭାରତୀୟ ବାୟୁସେନା ପାଇଁ ଆଉ ୯୭ ହାଲୁକା ଲଢୁଆ ବିମାନ ‘ତେଜସ’ ଏବଂ ୧୫୬ଟି ଲଢୁଆ ‘ପ୍ରଚଣ୍ଡ’ ହେଲିକପ୍ଟର କିଣାଯିବାର ପ୍ରସ୍ତାବ ରହିଛି । ତେଜସ୍ ବିମାନ କେବଳ ବାୟୁସେନା ବ୍ୟବହାର କରୁଥିବାବେଳେ ପ୍ରଚଣ୍ଡ ହେଲିକପ୍ଟରକୁ ଉଭୟ ବାୟୁସେନା ଓ ସ୍ଥଳସେନା ବ୍ୟବହାର କରୁଛି । ଏହାବ୍ୟତୀତ ଜାହାଜ ବିଧ୍ୱଂସୀ କ୍ଷେପଣାସ୍ତ୍ର ଏବଂ ତୋପ କିଣା ପ୍ରସ୍ତାବ ମଧ୍ୟ ସାମିଲ ରହିଛି ।

ଭାରତର ପ୍ରତିରକ୍ଷା ଇତିହାସରେ ପ୍ରଥମ ଥର ଘରୋଇ ସେକ୍ଟରରୁ ଏତେ ପରିମାଣର ବିମାନ ଓ ଯୁଦ୍ଧାସ୍ତ୍ର କ୍ରୟ କରାଯାଉଛି । କାଉନ୍‌ସିଲରେ ପ୍ରସ୍ତାବ ଅନୁମୋଦିତ ହୋଇଥିଲେ ସୁଦ୍ଧା ଚୂଡାନ୍ତ ଅର୍ଡର ଦେବା ପୂର୍ବରୁ ସଂପୃକ୍ତ କମ୍ପାନୀ ସହ ଆଲୋଚନା କରାଯିବ ବୋଲି କୁହାଯାଇଛି । ସବୁକିଛି ଚୂଡାନ୍ତ ହେବାପରେ ଏହାକୁ ପ୍ରତିରକ୍ଷା ସଂକ୍ରାନ୍ତ କ୍ୟାବିନେଟ୍ କମିଟି ଅନୁମୋଦନ କରିବ । ଏହି ସବୁ ବିମାନ, ଜାହାଜ, କ୍ଷେପଣାସ୍ତ୍ର ଓ ଯୁଦ୍ଧାସ୍ତୟଗୁଡିକୁ ତିନି ବାହିନୀରେ ସାମିଲ କରିବାକୁ ୧୦ ବର୍ଷ ସମୟ ଲାଗିବ ବୋଲି ଆକଳନ କରାଯାଇଛି । ଏହାବ୍ୟତୀତ ସୁଖୋଇ ୩୦ ଏମକେଆଇ୩୦ ବିମାନର ଆଧୁନିକରୀକରଣ ପ୍ରସ୍ତାବକୁ ମଧ୍ୟ ଅନୁମୋଦନ କରାଯାଇଛି । ଫଳରେ ବାୟୁସେନାରେ ଥିବା ୨୬୦ ସୁଖୋଇ ବିମାନର ଆଧୁନିକରୀକରଣ କରାଯିବ ।

ଅପରପକ୍ଷରେ ସ୍ଥଳସେନା ପକ୍ଷରୁ ବ୍ୟବହାର କରାଯାଉଥିବା ତୋପ, ମେସିନ୍‌ଗନ୍ ପୁରୁଣା ହୋଇଥିବାରୁ ସେଗୁଡିକୁ ବଦଳାଇବାର ସମୟ ଉପନୀତ ହୋଇଛି । ବର୍ତ୍ତମାନ ସ୍ଥଳସେନାରେ ଟୋଡ୍ ଗନ୍ ସିଷ୍ଟମ ପ୍ରଚଳନ ପାଇଁ ଚିନ୍ତା କରାଯାଉଛି । ଏହି ତୋପଗୁଡିକ ସହଜରେ ସ୍ଥାନାନ୍ତର ହୋଇପାରୁଥିବାବେଳେ ଏହାର ବ୍ୟାରେଲ ମଧ୍ୟ ଅପେକ୍ଷାକୃତ ଲମ୍ବା । ଫଳରେ ଅଧିକ ଦୂରତ୍ୱ ପର୍ଯ୍ୟନ୍ତ ଏହା ଲକ୍ଷ୍ୟଭେଦ କରିପାରିବ । ଆର୍ଟିଲେରୀ ତୋପ ପାଇଁ ୧୫୫ ମିଲିମିଟର ନୁବ୍‌ଲେସ୍ ପ୍ରୋଜେକ୍ଟାଇଲ ବ୍ୟବହାର କରିବାକୁ ଯୋଜନା କରାଯାଉଛି । ଟି-୯୦ ଟ୍ୟାଙ୍କ ପାଇଁ ଅଟୋମେଟିକ୍ ଟାର୍ଗେଟ ଟ୍ରାକର ଏବଂ ଡିଜିଟାଲ ବାଲାଷ୍ଟିକ୍ କମ୍ପ୍ୟୁଟର ମଧ୍ୟ କ୍ରୟ କରାଯିବ । ଫଳରେ ଟି-୯୦ ଟ୍ୟାଙ୍କ ଅଧିକ ମାରାତ୍ମକ ସାବ୍ୟସ୍ତ ହୋଇପାରିବ । ନୌବାହିନୀ ପାଇଁ ମିଡିୟମ ରେଞ୍ଜ୍ ଆଣ୍ଟି-ସିପ୍ (ଜାହାଜ ବିଧ୍ୱଂସୀ) କ୍ଷେପଣାସ୍ତ୍ର କିଣା ପ୍ରସ୍ତାବ ରହିଛି ।

ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ ହୋଇପାରୁଥିବା ଏହି କ୍ଷେପଣାସ୍ତ୍ରକୁ ନୌବାହିନୀ ଯୁଦ୍ଧଜାହାଜରେ ମୁତୟନ କରାଯିବାର ପ୍ରସ୍ତାବ ରହିଛି । ହିନ୍ଦୁସ୍ତାନ ଏରୋନଟିକସ୍‌ରୁ ୯୭ ତେଜସ୍ ବିମାନ ଏବଂ ୧୫୫ ପ୍ରଚଣ୍ଡ ହେଲିକପ୍ଟର କିଣାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ସୁଖୋଇ ବିମାନର ଆଧୁନିକୀକରଣ ମଧ୍ୟ ହିନ୍ଦୁସ୍ତାନ ଏରୋନଟିକ୍‌ସ କରିବ । ବିଦେଶୀ କମ୍ପାନୀ ଉପରେ ନିର୍ଭରତାକୁ ଯଥାସମ୍ଭବ ହ୍ରାସ କରିବାକୁ ମୋଦୀ ସରକାର ବହୁଦିନରୁ ନିଷ୍ପତ୍ତି ନେଇସାରିଛନ୍ତି ।

ବିଦେଶରୁ କିଣାଯାଉଥିବା ଯୁଦ୍ଧାସ୍ତ୍ର ଅପେକ୍ଷାକୃତ ମହଙ୍ଗା ପଡୁଥିବାରୁ ଭାରତୀୟ କମ୍ପାନୀକୁ ପ୍ରୋତ୍ସାହିତ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି । ଡିଫେନ୍ସ ଆକ୍ୟୁଜିସନ ପ୍ରୋସିଡୁୟର ଆଇନ ୨୦୨୦ରେ ଆବଶ୍ୟକ ସଂଶୋଧନ ପାଇଁ ବୈଠକରେ ପ୍ରସ୍ତାବ ଗୃହୀତ ହୋଇଛି । ତେବେ ସ୍ୱଦେଶୀ କମ୍ପାନୀଗୁଡିକ ଯେଉଁ ଅର୍ଡର ପାଇବେ, ସେହି ବିମାନ, ହେଲିକପ୍ଟର, କ୍ଷେପଣାସ୍ତ୍ର କିମ୍ବା ଅନ୍ୟ ଯୁଦ୍ଧାସ୍ତ୍ରରେ ଅତିକମରେ ୫୦ ପ୍ରତିଶତ ଘରୋଇ ଯନ୍ତ୍ରାଂଶ ଖଞ୍ଜିବାକୁ ନିର୍ଦ୍ଦେଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking