ନୂଆଦିଲ୍ଲୀ: ବିଗତ ୧୦ ବର୍ଷ ମଧ୍ୟରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳକୁ ୫୭ ଥର ବୃଦ୍ଧି କରାଯାଇଛି ବୋଲି ଗୁରୁବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟଙ୍କୁ ଅବଗତ କରାଯାଇଛି । ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ.ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠରେ ଏ ପ୍ରସଙ୍ଗରେ ଦିଲ୍ଲୀରେ କ୍ଷମତାସୀନ ଆପ୍ ସରକାରଙ୍କ ପକ୍ଷରୁ ଆଗତ ଏକ ପିଟିସନ୍ର ଶୁଣାଣି ହୋଇଥିଲା । ତଦନୁଯାୟୀ ଦିଲ୍ଲୀର ମୁଖ୍ୟ ଶାସନ ସଚିବ ନରେଶ କୁମାରଙ୍କ କାର୍ଯ୍ୟକାଳ ଆଉ ୬ ମାସ ବୃଦ୍ଧି କରିବାକୁ ଖଣ୍ଡପୀଠ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଇଛନ୍ତି ।
ନରେଶ କୁମାର ନଭେମ୍ବର ୩୦ରେ ଅବସର ଗ୍ରହଣ କରିବାକୁ ଥିବାବେଳେ ତାଙ୍କର କାର୍ଯ୍ୟକାଳ ବୃଦ୍ଧି ପାଇଁ ଆପ୍ ପକ୍ଷରୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟକୁ ସୁପାରିସ କରାଯାଇଥିଲା । କେନ୍ଦ୍ର ସରକାରଙ୍କ ତରଫରୁ ମାମଲା ଲଢୁଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଓ ଅତିରିକ୍ତ ସଲିସିଟର ଜେନେରାଲ ସଞ୍ଜୟ ଜୈନ୍ କୌଣସି ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳ ବୃଦ୍ଧି କିମ୍ବା ସେମାନଙ୍କର ନିଯୁକ୍ତି ସମ୍ପର୍କରେ ଚୂଡାନ୍ତ ନିଷ୍ପତ୍ତି ନେବାର ଅଧିକାର କେନ୍ଦ୍ର ସରକାରଙ୍କର ରହିଛି । ବିଗତ ୧୦ ବର୍ଷ ମଧ୍ୟରେ ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳ ବୃଦ୍ଧି ପ୍ରସଙ୍ଗରେ ୫୭ଟି ଦୃଷ୍ଟାନ୍ତ ରହିଥିବା ମେହେଟ୍ଟା ସୂଚନା ଦେଇଛନ୍ତି ।
ତେବେ ଆପ୍ ପକ୍ଷରୁ ମାମଲା ଲଢୁଥିବା ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଂଘଭୀ ଯୁକ୍ତି ଦର୍ଶାଇଥିଲେ ଯେ ମୁଖ୍ୟ ଶାସନ ସଚିବ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ତଦାରଖ କରୁଥିବାରୁ ତାଙ୍କର କାର୍ଯ୍ୟକାଳ ବୃଦ୍ଧିକୁ ନେଇ ପାତର ଅନ୍ତର ନୀତି ଅବଲମ୍ବନ କରିବା ଅନୁଚିତ । ଏହି ପ୍ରସଙ୍ଗରେ ସିଂଘଭୀ ଦିଲ୍ଲୀରେ ଏକଦା କାର୍ଯ୍ୟରତ ଥିବା ଜଣେ ମହିଳା ମୁଖ୍ୟମନ୍ତ୍ରୀଙ୍କ ଉଦାହରଣ ଉପସ୍ଥାପନ କରିଥିଲେ । ତାଙ୍କରି ଶାସନକାଳରେ ଦିଲ୍ଲୀର କୌଣସି ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳ ବୃଦ୍ଧି ପାଇଁ କେନ୍ଦ୍ରକୁ ସୁପାରିସ କରାଯାଇନଥିଲା ।