19.1 C
Bhubaneswar
Wednesday, January 15, 2025
Homeଖେଳଇତିହାସ ରଚିଲା ଉଗାଣ୍ଡା; ଟି-୨୦ ବିଶ୍ୱକପ୍ ପାଇଁ ପ୍ରଥମ ଥର ଯୋଗ୍ୟତା ଅର୍ଜନ

ଇତିହାସ ରଚିଲା ଉଗାଣ୍ଡା; ଟି-୨୦ ବିଶ୍ୱକପ୍ ପାଇଁ ପ୍ରଥମ ଥର ଯୋଗ୍ୟତା ଅର୍ଜନ

ଦୁବାଇ: ଆଫ୍ରିକୀୟ ଦେଶ ଉଗାଣ୍ଡା ଆସନ୍ତା ବର୍ଷ ହେବାକୁ ଥିବା ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ ସହ ଇତିହାସ ସୃଷ୍ଟି କରିଛି । ଟିମ୍ ଆଫ୍ରିକା ରିଜିଅନ୍ କ୍ୱାଲିଫାୟର୍‌ର ଟପ୍ ୨ରେ ରହି ପ୍ରଥମ ଥର ଆଇସିସି ବିଶ୍ୱକପ୍ ଖେଳିବା ଯୋଗ୍ୟତା ହାସଲ କରିଛି । ଏହା ସହିତ ଉଗାଣ୍ଡା ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କରିବାରେ ଆଫ୍ରିକାର ପଞ୍ଚମ ଦେଶ ହୋଇଛି । ଉଗାଣ୍ଡା ବ୍ୟତୀତ ନାମ୍ବିୟା ମଧ୍ୟ ଜୁନ୍ ୬ରୁ ଆମେରିକା ଓ ୱେଷ୍ଟ୍‌ଇଣ୍ଡିଜ୍‌ରେ ହେବାକୁ ଥିବା ବିଶ୍ୱକପ୍ ପାଇଁ ଟିକେଟ୍ ହାସଲ କରିଛି । ଉଗାଣ୍ଡା ଆଫ୍ରିକା ରିଜିଅନ୍ କ୍ୱାଲିଫାୟର୍‌ରେ ନିଜର ଅନ୍ତିମ ମ୍ୟାଚ୍‌ରେ ରୁଆଣ୍ଡାକୁ ୯ ୱିକେଟ୍‌ରେ ହରାଇ ଦେଇଛି । ଏହି ବିଜୟ ସହ ଟିମ୍ ଟୁର୍ଣ୍ଣାମେଣ୍ଟ୍‌ର ପଏଣ୍ଟ୍ ଟେବଲ୍‌ର ଦ୍ୱିତୀୟ ସ୍ଥାନ ପକ୍କା କରିଛି । ଏହା ପୂର୍ବରୁ ଉଗାଣ୍ଡା ପ୍ରଥମ ମ୍ୟାଚ୍‌ରେ କେନିଆକୁ ୩୩ ରନ୍‌, ନାଇଜେରିଆକୁ ୯ ୱିକେଟ୍‌, ଜିମ୍ବାୱେକୁ ୫ ୱିକେଟ୍ ଏବଂ ତାଞ୍ଜାନିଆକୁ ୮ ୱିକେଟ୍‌ରେ ହରାଇଥିଲା । ଅନ୍ୟପକ୍ଷରେ ଟିମ୍‌କୁ ଜିମ୍ବାୱେଠାରୁ ୬ ୱିକେଟ୍‌ରେ ପରାଜିତ ହେବାକୁ ପଡ଼ିଥିଲା । ଉଗାଣ୍ଡା ୬ରୁ ୫ ମ୍ୟାଚ୍‌ରେ ବିଜୟୀ ହୋଇ ପଏଣ୍ଟ୍ ଟେବୁଲ୍‌ର ଦ୍ୱିତୀୟ ସ୍ଥାନରେ ଥିବାବେଳେ ନାମ୍ବିୟା ସମସ୍ତ ମ୍ୟାଚ୍‌ରେ ବିଜୟୀ ହୋଇ ଶୀର୍ଷରେ ରହିଛି ।

ଉଗାଣ୍ଡା ଯୋଗ୍ୟତା ଅର୍ଜନ କରିବା ଫଳରେ ଟୁର୍ଣ୍ଣାମେଣ୍ଟ୍‌ରେ ଭାଗ ନେବାକୁ ଥିବା ସମସ୍ତ ୨୦ ଟିମ୍ ସ୍ଥିର ହୋଇସାରିଛି । ଏଥିପାଇଁ ଏସିଆନ୍ ରିଜିଅନ୍‌ରୁ ନେପାଳ ଓ ଓମାନ୍ ଯୋଗ୍ୟତା ଅର୍ଜନ କରିଥିବା ବେଳେ ଆଫ୍ରିକା ରିଜିଅନ୍‌ରୁ ନାମ୍ବିୟା ଓ ଉଗାଣ୍ଡା ବିଶ୍ୱକପ୍ ଟିକେଟ୍ ହାସଲ କରିଛନ୍ତି । ଆୟୋଜକ ହୋଇଥିବାରୁ ଆମେରିକା ଓ ୱେଷ୍ଟଇଣ୍ଡିଜ୍ ସ୍ୱତଃ ଯୋଗ୍ୟତା ଅର୍ଜନ କରିଥିବା ବେଳେ ଇଂଲଣ୍ଡ, ପାକିସ୍ତାନ, ନ୍ୟୁଜିଲାଣ୍ଡ, ଭାରତ, ଅଷ୍ଟ୍ରେଲିଆ, ସାଉଥ୍ ଆଫ୍ରିକା, ନେଦରଲାଣ୍ଡ୍‌ସ ଓ ଶ୍ରୀଲଙ୍କା ୨୦୨୨ ବିଶ୍ୱକପ୍‌ର ଶୀର୍ଷ ୮ରେ ରହି ନିଜ ନିଜର ସ୍ଥାନ ପକ୍କା କରିଥିଲେ । ଆଫଗାନିସ୍ତାନ ଓ ବାଂଲାଦେଶ ଗତବର୍ଷ ନଭେମ୍ବର ୧୪ ର‌୍ୟାଙ୍କିଙ୍ଗ୍ ଆଧାରରେ ସ୍ଥାନ ହାସଲ କରିଛନ୍ତି ।

ଆଗାମୀ ଟି-୨୦ ବିଶ୍ୱକପ୍‌ରେ ପ୍ରଥମ ଥର ପାଇଁ ୨୦ ଟିମ୍ ଭାଗନେବେ । ଏହା ପୂର୍ବରୁ ୨୦୦୭ରୁ ୨୦୧୨ ପର୍ଯ୍ୟନ୍ତ ଖେଳାଯାଇଥିବା ୪ ବିଶ୍ୱକପ୍‌ରେ ୧୨ ଏବଂ ୨୦୧୪ରୁ ୨୦୨୨ ପର୍ଯ୍ୟନ୍ତ ଖେଳାଯାଇଥିବା ୪ ଟୁର୍ଣ୍ଣାମେଣ୍ଟ୍‌ରେ ୧୬ ଟିମ୍ ଭାଗ ନେଇଥିଲେ । ଟୁର୍ଣ୍ଣାମେଣ୍ଟ୍‌ର ସମସ୍ତ ୨୦ ଟିମ୍‌ଙ୍କୁ ଚାରିଟି ଗ୍ରୁପ୍‌ରେ ଭାଗ କରାଯିବ । ପ୍ରତ୍ୟେକ ଗ୍ରୁପ୍‌ର ଶୀର୍ଷ ଦୁଇଟି ଟିମ୍ ପରବର୍ତ୍ତୀ ରାଉଣ୍ଡ୍‌ରେ ପହଞ୍ଚିବେ । ଏହି ଆଠଟି ଟିମ୍‌କୁ ଦୁଇଟି ଗ୍ରୁପ୍‌ରେ ଭାଗ କରାଯିବା ଏବଂ ପ୍ରତ୍ୟେକ ଗ୍ରୁପ୍‌ର ଶୀର୍ଷ ଦୁଇଟି ଟିମ୍ ସେମିଫାଇନାଲ୍ ଖେଳିବେ । ଏହାପରେ ଫାଇନାଲ୍ ମ୍ୟାଚ୍ ଖେଳାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking