କେନ୍ଦୁଝର: ମା’ ତାରିଣୀଙ୍କୁ ଦର୍ଶନ କରିବା ପାଇଁ ଖୁସିରେ ବାହାରିଥିଲେ ଦୁଇଟି ପରିବାର । ହେଲେ ସେମାନେ ଖୁସି ଗୋଟିଏ ମିନିଟରେ ପାଣି ଫୋଟାକା ପରି ମିଳାଇ ଯାଇଥିଲା। ତାରିଣୀ ମନ୍ଦିର ମାତ୍ର ୩ କିଲୋମିଟର ଥିବା ବେଳେ ଘଟିଥଲା ମର୍ମନ୍ତୁଦ ଦୁର୍ଘଟଣା। ରାସ୍ତାକଡ଼ରେ ଠିଆ ହୋଇଥିବା ଟ୍ରକକୁ ଭ୍ୟାନ୍ ଧକ୍କା ଦେବାରୁ ୮ ଜଣଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ୧୩ ଜଣ ଗୁରୁତର ଆହତ ହୋଇଛନ୍ତି। କେନ୍ଦୁଝର ଜିଲ୍ଲା ଏନ୍ଏଚ୍-୨୦ ବାଲିଯୋଡ଼ି ନିକଟରେ ଆଜି ଭୋରରୁ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତାହତଙ୍କ ଘର ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ପୋଡ଼ାମାରି ଗାଁର ବୋଲି ଜଣାଯାଇଛି। ମୃତକଙ୍କ ମଧ୍ୟରେ ମହିଳା, ପୁରୁଷ ଓ ଛୋଟ ଛୁଆ ଥିବା ଜଣାଯାଇଛି।
ଏକ ଭ୍ୟାନ୍ରେ ଦିଗପହଣ୍ଡିରୁ ଦୁଇ ପରିବାରରର ୨୧ ଜଣ ତାରିଣୀ ଦର୍ଶନ ପାଇଁ ଆସୁଥିଲେ। ଆଜି ଭୋର ପ୍ରାୟ ୫ଟା ସମୟରେ ଏନ୍ଏଚ୍-୨୦ ବାଲିଯୋଡ଼ି ନିକଟରେ ରାସ୍ତାକଡ଼ରେ ଠିଆ ହୋଇଥିବା ଟ୍ରକକୁ ଭ୍ୟାନ୍ଟି ପଛରୁ ଧକ୍କା ଦେବାରୁ ଘଟଣାସ୍ଥଳରେ ୮ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୨୧ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଆହତମାନଙ୍କୁ ପ୍ରଥମେ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ୩ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କଟକ ସ୍ଥା଼ନାନ୍ତର କରାଯାଇଛି। ଦୁର୍ଘଟଣାରେ ଭ୍ୟାନ୍ଟି ଭାଙ୍ଗିରୁଜି ନଷ୍ଟ ହୋଇଯାଇଛି। କୁହୁଡି ଯୋଗୁ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବା କୁହାଯାଉଥିବା ବେଳେ ପ୍ରକୃତ କାରଣ ସ୍ପଷ୍ଟ ହୋଇନାହିଁ। ପୁଲିସ ଘଟଣାର ତଦନ୍ତ କରୁଛି।