34.1 C
Bhubaneswar
Friday, October 18, 2024
Homeଓଡିଶାସରକାରୀ ସ୍କୁଲରେ ବି କମିବ ବସ୍ତାନୀ ବୋଝ; ଘରୋଇ ସ୍କୁଲ ପରେ ସରକାରୀ ସ୍କୁଲରେ ହେବ...

ସରକାରୀ ସ୍କୁଲରେ ବି କମିବ ବସ୍ତାନୀ ବୋଝ; ଘରୋଇ ସ୍କୁଲ ପରେ ସରକାରୀ ସ୍କୁଲରେ ହେବ ଯାଞ୍ଚ କଡ଼ାକଡ଼ି

ଭୁବନେଶ୍ୱର: ଘରୋଇ ସ୍କୁଲ ପରେ ସରକାରୀ ସ୍କୁଲରେ ବି ଅଧିକ ଓଜନର ବ୍ୟାଗ ପିଲାଙ୍କ ଲାଗି ବାରଣ ହେବ । ଏଥିପାଇଁ ସ୍କୁଲ ଓ ଗଣଶିକ୍ଷାବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ସରକାରୀ ସ୍କୁଲ ଉପରେ ନଜର ରଖାଯାଇଛି । ଏହି ବ୍ୟାଗ ଯାଞ୍ଚ ପ୍ରକ୍ରିୟା ସହିତ ଘରୋଇ ସ୍କୁଲରେ ପ୍ରଥମ ପର୍ଯ୍ୟାୟରେ ଯେଉଁ ପ୍ରମୁଖ ବ୍ୟବସ୍ଥାକୁ ସରକାର ଗୁରୁତ୍ୱ ଦେଉଥିଲେ ସେହି ସବୁ ସୁବିଧା ସରକାରୀ ସ୍କୁଲରେ ରହିଛି କି ନାହିଁ ତାହାକୁ ନଜର ଦିଆଯିବ । ତେବେ ସେହି ନୀୟମ ମଧ୍ୟରେ ସରକାରୀ ସ୍କୁଲଗୁଡିକ ଲାଗି ପ୍ରସ୍ତୁତ ହୋଇଥିବା ମାନଦଣ୍ଡ ମଧ୍ୟରେ ସ୍କୁଲ ପାଚେରୀ, ଅଗ୍ନିନିରାପତ୍ତା ବ୍ୟବସ୍ଥା, ପାନୀୟଜଳ, ଖେଳ ପଡ଼ିଆ, ପ୍ରାକ୍ଟିକାଲ କକ୍ଷ, ରୋଷେଇଶାଳ ସମେତ ପ୍ରତି କକ୍ଷରେ କେତେ ପିଲା ବସିବେ ଏବଂ ୩୫ପିଲାଙ୍କ ଲାଗି ୧ଶିକ୍ଷକ ରଖିବା ବାଧ୍ୟତା ମୂଳକ ରହିଥିଲା । ସ୍କୁଲର ଜମି ନିଜସ୍ୱ ହୋଇଥିବା ବେଳେ ପିଲାଙ୍କ ନାମଲେଖା ପ୍ରକ୍ରିୟା, ନାମଲେଖା ଫି’, ପରୀକ୍ଷା ପରିଚାଳନା ଆଦି ୨୨ଟି ମାନଦଣ୍ଡକୁ ଗୁରୁତ୍ୱ ଦିଆଯିବ । ଏହାବ୍ୟତୀତ ଗତ ୫ବର୍ଷ ମଧ୍ୟରେ କେଉଁ ସରକାରୀ ସ୍କୁଲକୁ କେତେ ଟଙ୍କା ଅନୁଦାନ ବାବଦରେ ମିଳିଛି ଏବଂ ସେଥିରୁ କେତେ ଟଙ୍କା ଖର୍ଚ୍ଚ ହୋଇଛି ସେ ସବୁର ହିସାବ ମଧ୍ୟ ଯାଞ୍ଚ ହେବ ।

ରାଜ୍ୟରେ ପ୍ରଥମରୁ ଦଶମ ପର୍ଯ୍ୟନ୍ତ ୬୭ହଜାର ୬୦୫ଟି ସ୍କୁଲ ରହିଛି । ତେବେ ସେହିପରି ରାଜ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ୍ ଶିକ୍ଷକଙ୍କ ସଂଖ୍ୟା ୧ଲକ୍ଷ ୯୭ହଜାର ୩୨୬ଜଣ । ସେଥିରୁ କେବଳ ପ୍ରାଥମିକ ଶିକ୍ଷକଙ୍କ ସଂଖ୍ୟା ଲକ୍ଷେ ୩୦ହଜାର ୫୧୬ ଏବଂ ପ୍ରାଥମିକ ଶିକ୍ଷକଙ୍କ ସଂଖ୍ୟା ୬୬ହଜାର ୮୧୦ଜଣ । ସମଗ୍ରଶିକ୍ଷା ଯୋଜନାରେ ରାଜ୍ୟ ସରକାର ଯେଉଁ ସବୁ ଯୋଜନା ପ୍ରଣୟନ କରିଛନ୍ତି ସେହି ଯୋଜନାର ରୂପରେଖ ମଧ୍ୟ ନିର୍ଦ୍ଧାରଣ କରାଯିବ । ମାଗଣା ପାଠ୍ୟପୁସ୍ତକ, ପୋଷାକ, ଶିକ୍ଷାଦାନ ବ୍ୟବସ୍ଥା ଏବଂ ମଧ୍ୟାହ୍ନ ଭୋଜନ ପରିଚାଳନା ସମ୍ପର୍କରେ ମଧ୍ୟ ଯାଞ୍ଚ କରାଯିବ । ଜିଲ୍ଲାୱାରୀ ସବୁ ସ୍କୁଲକୁ ତାଲିକାଭୁକ୍ତ କରାଯାଇ ପ୍ରର୍ଯ୍ୟାୟକ୍ରମେ ଯାଞ୍ଚ କରାଯିବ । ସରକାରୀ ସ୍କୁଲରେ ପଢ଼ାଇବାକୁ ଅଭିଭାବକମାନେ ପଛଘୁଞ୍ଚା ଦେଉଥିବାରୁ ରାଜ୍ୟରେ ଛତୁ ଫୁଟିବା ଭଳି ଘରୋଇ ସ୍କୁଲ ଗଢ଼ି ଉଠିଛି । ଗତ ୫ବର୍ଷ ମଧ୍ୟରେ ରାଜ୍ୟରେ ଏହି ଘରୋଇ ସ୍କୁଲ ସଂଖ୍ୟା ପ୍ରାୟ ୮ହଜାରରୁ ଅଧିକ ହୋଇଛି ।

ତେବେ ରାଜ୍ୟରେ ମାତ୍ର ୨୩ଶହ ଘରୋଇ ସ୍କୁଲକୁ ସାର୍ଟିଫିକେଟ୍ ଅଫ୍ ରେକଗ୍‌ନେସନ ପ୍ରଦାନ ହୋଇଥିବା ବେଳେ ଅବଶିଷ୍ଟ ଘରୋଇ ସ୍କୁଲକୁ ସିଓଆର୍ ମିଳିନି । ରାଜ୍ୟରେ ସରକାରଙ୍କ ଠାରୁ ସିଓଆର୍ ଓ ଏନ୍‌ଓସି ନପାଇ କିଭଳି ଘରୋଇ ସ୍କୁଲ ଚାଲିଛି ତାକୁ ନେଇ ଚର୍ଚ୍ଚା ହେଉଛି । ଗୁଣାତ୍ମକ ଶିକ୍ଷା ଲାଗି ଉଭୟ ସିଓଆର୍ ଓ ଏନ୍‌ଓସି ପ୍ରଦାନ ଲାଗି ରାଜ୍ୟ ସରକାର ଏକ ଗାଇଡ଼ ଲାଇନ୍ ପ୍ରଣୟନ କରିଥିଲେ । ଯେଉଁଥିରେ ଘରୋଇ ସ୍କୁଲଗୁଡିକରେ କେଉଁ ସୁବିଧା ସୁଯୋଗ ରହିବା ବାଧ୍ୟତାମୂଳକ ତାହା ଉଲ୍ଲେଖ କରାଯାଇଥିଲା । ସମ୍ପୃକ୍ତ ନୀୟମକୁ ମଧ୍ୟ ବର୍ତ୍ତମାନ ସରକାରୀ ସ୍କୁଲ ଲାଗି ଲାଗୁ କରାଯିବ ବୋଲି ଶୁଣିବାକୁ ମିଳୁଛି । କିଛି ସ୍କୁଲର ପ୍ରଧାନଶିକ୍ଷକଙ୍କ କହିବା ଅନୁସାରେ ଗୁଣାତ୍ମକ ଶିକ୍ଷା ପ୍ରଦାନ ଲାଗି ସରକାର ଗୁରୁତ୍ୱ ଦେଉଥିବା ବେଳେ ସରକାରୀ ସ୍କୁଲରେ ଶିକ୍ଷାବ୍ୟବସ୍ଥାରେ ଯେପରି ସର୍ବାଧିକ ବିକାଶ ଆସିବ ସେ ନେଇ ମଧ୍ୟ ବହୁ ପଦକ୍ଷେପ ଗ୍ରହଣ କରାଯାଉଛି । ପିଲାଙ୍କ ଉଜ୍ୱଳ ଭବିଷ୍ୟତକୁ ନଜର ଦେଇ କୌଣସି ଅବ୍ୟବସ୍ଥାକୁ ବରଦାସ୍ତ କରାଯିବ ନାହିଁ । ତେବେ ଘରୋଇ ସ୍କୁଲରେ ବସ୍ତାନୀ ବୋଛ ଯାଞ୍ଚ ପ୍ରକ୍ରିୟା ଶେଷ ହେବା ପରେ ସରକାରୀ ସ୍କୁଲରେ ମଧ୍ୟ ଯାଞ୍ଚ ପ୍ରକ୍ରିୟା କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking